ଦୁବାଇରେ ୧୧ ଭାରତୀୟ ନିଖୋଜ
ତିରୁଅନନ୍ତପୁରମ୍ : ଦୁବାଇରେ ୧୧ଜଣ ଭାରତୀୟ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ନିଖୋଜ ସମସ୍ତ ଭାରତୀୟ କେରଳର ବାସିନ୍ଦା ଓ ସେମାନେ ଦୁଇଟି ପରିବାରର ସଦସ୍ୟ। ଏମାନେ ସମସ୍ତେ ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ (ଆଇଏସ୍)ରେ ଯୋଗ ଦେଇଥିବା ଆଶଙ୍କା କରାଯାଇଛି। ନିଖୋଜ ସମ୍ପର୍କରେ ଦୁଇ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ ହୋଇଛି। କାସାରାଗଡ ଜିଲା ଚେମନାଦ ଅଞ୍ଚଳର ବାସିନ୍ଦା ଅବଦୁଲ ହମିଦଙ୍କ ଅଭିଯୋଗ ଅନୁଯାୟୀ ତାଙ୍କର ୨୮ବର୍ଷର ଝିଅ ନଜିରାଙ୍କ ସମେତ ୬ଜଣ ନିଖୋଜ ହୋଇଯାଇଛନ୍ତି। ଦ୍ୱିତୀୟ ଅଭିଯୋଗ ଅନୁଯାୟୀ ନଜିରାଙ୍କ ସ୍ୱାମୀ ମହମ୍ମଦ ସାବାଦ (୩୫ବର୍ଷ), ସାବାଦଙ୍କ ଦ୍ୱିତୀୟ ପତ୍ନୀ ରାହନାଥ (୨୮ବର୍ଷ) ଓ ସେମାନଙ୍କର ୩ ପିଲା ନିଖୋଜ ହୋଇଯାଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଦୁଇଟି ମାମଲା ରୁଜୁ କରିଛି। ସାବାଦ ଦୁବାଇରେ ଏକ ମୋବାଇଲ ମରାମତି ଓ ଫରଫ୍ୟୁମ୍ ଦୋକାନ ଚଳାଇଥିଲେ ବୋଲି ସେମାନଙ୍କ ସମ୍ପର୍କୀୟ କହିଛନ୍ତି। ତେବେ ଜୁନ୍ ୧୫ ତାରିଖ ଠାରୁ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନାହିଁ।