ସୁଜାତ ବୁଖାରୀ ହତ୍ୟାରେ ପାକିସ୍ତାନୀ ଆତଙ୍କବାଦୀ ସମ୍ପୃକ୍ତ
ଶ୍ରୀନଗର : ‘ରାଇଜିଂ କାଶ୍ମୀର’ର ସମ୍ପାଦକ ସୁଜାତ ବୁଖାରୀଙ୍କ ହତ୍ୟା ମାମଲାରେ ପାକିସ୍ତାନ ଆତଙ୍କବାଦୀଙ୍କ ସମ୍ପୃକ୍ତି ପଦାକୁ ଆସିଛି। ୩ ଜଣ ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ସମର୍ଥିତ ଲସ୍କର-ଇ-ତୋଏବାର ଏବଂ ଅନ୍ୟ ଦୁଇ ଜଣ ଦକ୍ଷିଣ କାଶ୍ମୀରର ଆତଙ୍କବାଦୀ ବୋଲି ଜାମ୍ମୁ କାଶ୍ମୀର ପୁଲିସ ବୁଧବାର ପ୍ରକାଶ କରିଛି। ପାକିସ୍ତାନୀ ଆତଙ୍କବାଦୀ ନଭିଦ ଜାଟ୍ ଚଳିତବର୍ଷ ଫେବୃଆରୀରେ ଶ୍ରୀ ମହାରାଜା ହରି ସିଂହ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବେଳେ ଜାମ୍ମୁ କାଶ୍ମୀର ପୁଲିସ ହାଜତରୁ ଖସି ପଳାଇଥିଲା। ସେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ପାଇଁ କାର୍ଯ୍ୟ କରୁଥିବା ଜଣାପଡିଛି। ପୁଲିସ କହିଛି, ବହୁ ପୂର୍ବରୁ ପାକିସ୍ତାନ ମାଟିରୁ ବୁଖାରୀଙ୍କ ବିରୋଧରେ ସ୍ୱର ଉଠିଥିଲା। ଜଣେ ପାକିସ୍ତାନୀ ବ୍ଲଗ୍ ଲେଖକ ତାଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଥିଲେ। ତେବେ ସମ୍ପୃକ୍ତ ବ୍ଲଗ୍ ଲେଖକ ପାକିସ୍ତାନରେ ବସବାସ କରୁଥିବା ଶ୍ରୀନଗରର ଜଣେ ଆତଙ୍କବାଦୀ। ଇଦ୍ ଅବ୍ୟବହିତ ପୂର୍ବରୁ ଜୁନ୍ ୧୪ରେ ବୁଖାରି ନିଜ ଘରକୁ ଫେରିବା ନିମନ୍ତେ କାର୍ଯ୍ୟାଳୟରୁ ବାହାରିବା ପରେ ହଠାତ୍ ୩ ଜଣ ଯୁବକ ଏକ ବାଇକ୍ରେ ଆସି ତାଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ବୁଖାରିଙ୍କ ସମେତ ତାଙ୍କର ଦୁଇ ଜଣ ସୁରକ୍ଷାକର୍ମୀଙ୍କର ମୃତ୍ୟୁ ଘଟିଥିଲା; କିନ୍ତୁ ବୁଖାରିଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତିକୁ ଲସ୍କର-ଇ-ତୋଏବା ପୂର୍ବରୁ ଅସ୍ୱୀକାର କରିଥିଲା। ପୁଲିସ ସିସିଟିଭି ଭିଡିଓକୁ ଭିତ୍ତି କରି ହତ୍ୟାକାରୀଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛି।