ମୋ ହତ୍ୟା ପାଇଁ ଯୋଜନା ହୋଇଛି : ପ୍ରକାଶ ରାଜ
ବେଙ୍ଗାଲୁରୁ : ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ ମୋତେ ମାରିବାକୁ ଚାହୁଁଛନ୍ତି ବୋଲି ବଲିଉଡ଼ ଅଭିନେତା ପ୍ରକାଶ ରାଜ ବୁଧବାର ଅଭିଯୋଗ କରିଛନ୍ତି। ହେଲେ କେହି ତାଙ୍କ କଣ୍ଠରୋଧ କରିପାରିବେ ନାହିଁ ଓ ସେ ନିଜ କଥା ଦୃଢତାର ସହ ରଖିବେ ବୋଲି ପ୍ରକାଶ କହିଛନ୍ତି। ସାମ୍ବାଦିକା ଗୌରୀ ଲଙ୍କେଶ ହତ୍ୟାକାଣ୍ଡର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳର ଅନୁସନ୍ଧାନ ନେଇ ଏକ ନ୍ୟୁଜ୍ ରିପୋର୍ଟକୁ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରି ପ୍ରକାଶ ଲେଖିଛନ୍ତି ଯେ ତଦନ୍ତରୁ ଜାଣିବାକୁ ମିଳିଛି ଯେ ଗୌରୀଙ୍କୁ ହତ୍ୟା କରିଥିବା ଲୋକେ ମୋତେ ହତ୍ୟା କରିବାକୁ ଯୋଜନା କରିଛନ୍ତି। ହେଲେ କେହି ତାଙ୍କ କଣ୍ଠରୋଧ କରିପାରିବେ ନାହିଁ ଓ ସେ ଦୃଢତାର ସହ ତାଙ୍କ କଥା ରଖିବେ ବୋଲି ଟ୍ୱିଟ୍ କରିଛନ୍ତି। ଉଲ୍ଲେଖ ଯେ ବେଙ୍ଗାଲୁରୁର ଏକ ଖବରକାଗଜରେ ସିଟ୍ ତଦନ୍ତର ଏକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ ପ୍ରକାଶ ରାଜଙ୍କୁ ହତ୍ୟା ପାଇଁ ଯୋଜନା କରୁଥିବା ଉଲ୍ଲେଖ ରହିଛି। ପ୍ରକାଶରାଜ ସାର୍ବଜନୀନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପିକୁ ସମାଲୋଚନା କରୁଥିବାରୁ ତାଙ୍କୁ ହତ୍ୟା ଅଭିଯୋଗ କରାଯାଇଥିବା ଦର୍ଶାଯାଇଛି। ଏପରିକି ହତ୍ୟାକାରୀମାନେ ଜ୍ଞାନପୀଠ ପୁରସ୍କାର ବିଜେତା ଗିରୀଶ କାରନାଡଙ୍କୁ ହତ୍ୟା ପାଇଁ ଯୋଜନା କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ହତ୍ୟା ଯୋଜନାକୁ ‘ଅପରେସନ୍ କକା’ ନାମ ଦିଆଯାଇଛି।