ଖାଦ୍ୟରେ ଅପମିଶ୍ରଣ: ହୋଇପାରେ ଆଜୀବନ କାରାଦଣ୍ଡ
ନୂଆଦିଲ୍ଲୀ: ଯଦି କୌଣସି କମ୍ପାନୀ କିମ୍ବା ଦୋକାନର ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ପ୍ରମାଣିତ ହୁଏ ତେବେ ତାଙ୍କୁ ୧୦ଲକ୍ଷ ଟଙ୍କା ଅର୍ଥିକ ଦଣ୍ଡାଦେଶ ସହ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିବ। ଏଭଳି ନିୟମକୁ କାର୍ଯ୍ୟକାରୀ କରିବାକୁ ଫୁଡ଼ ସେଫଟି ଆଣ୍ଡ ଷ୍ଟାଣ୍ଡାର୍ଡ଼ ଅଥୋରିଟି ଅଫ ଇଣ୍ଡିଆ(ଏଫଏସଏସଏଆଇ) ଦ୍ୱାରା ସଂଶୋଧନ ପ୍ରସ୍ତାବ ଦିଆଯାଇଛି। ସୁପ୍ରିମ କୋର୍ଟ ପକ୍ଷରୁ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ଉପରେ କଡ଼ା ଆଇନର ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱାରୋପ କରାଯାଇ ଥିଲା। ଏହାକୁ ଦୃଷ୍ଟିରେ ରଖି ଏଫଏସଏସଏଆଇ ପକ୍ଷରୁ ୧୦୦ପୃ୍ଷ୍ଠାର ଡ୍ରାଫ୍ଟ ପ୍ରସ୍ତୁତ କରାଯିବା ସହ ଏଭଳି ଆଇନକୁ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦିଆଯାଇଛି।
ଡ୍ରାଫ୍ଟରେ ଯଦି କୌଣସି କମ୍ପାନୀ କିମ୍ବା ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଅପମିଶ୍ରିତ ଖାଦ୍ୟ ଖାଇ ଏକ ଅଥବା ଅଧିକ ଲୋକ ଅସୁସ୍ଥ କିମ୍ବା ପ୍ରାଣ ହରାଉଛନ୍ତି ତେବେ ଉକ୍ତ ବ୍ୟକ୍ତିଙ୍କୁ ୭ବର୍ଷରୁ ଜବତଜୀବନ କାରାଦଣ୍ଡ ପ୍ରଦାନ କରିବାକୁ ପ୍ରସ୍ତାବ ଦିଆଯାଇଛି। ଡ୍ରାଫ୍ଟରେ ଆର୍ଥିକ ଦଣ୍ଡାଦେଶର ବ୍ୟବସ୍ଥା ଉପରେ ମଧ୍ୟ ଆଲୋକପାତ କରାଯାଇଛି। ଏଭଳି କାର୍ଯ୍ୟରେ ଲିପ୍ତ ବ୍ୟକ୍ତି ବିଶେଷଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ପ୍ରଦାନ ନିମନ୍ତେ ପ୍ରସ୍ତାବ ଦିଆଯାଇଛି। ଏହା ବ୍ୟତୀତ ପ୍ରତି ରାଜ୍ୟରେ ପୃଥକ ପୃଥକ ଅଥରିଟି ଦ୍ୱାରା ଏଭଳି ଅପରାଧକୁ ନିୟନ୍ତ୍ରଣ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ଫୁଡ଼ ସେଫଟି ଅଧିକାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କିମ୍ବା ଧମକ ଦେଉଥିବା ବ୍ୟକ୍ତି ବିଶେଷଙ୍କୁ ୬ମାସରୁ ୨ ବର୍ଷ କାରାଦଣ୍ଡ ଓ ୫ଲକ୍ଷ ଟଙ୍କା ଅର୍ଥିକ ଦଣ୍ଡ ପ୍ରଦାନ ଉପରେ ଡ୍ରାଫ୍ଟରେ ପ୍ରସ୍ତାବ ଦିଆଯାଇଛି। ଜୁଲାଇ ୨ ସୁଦ୍ଧା ଏହି ପ୍ରସ୍ତାବ ସୁପ୍ରିମ କୋର୍ଟରେ ଦାଖଲ କରିବାକୁ ନିର୍ଦେଶ ଦିଆଯାଇ ଥିଲା।