କାର୍ଯ୍ୟଭାର ଚାପ ଜନିତ ଆତ୍ମହତ୍ୟା ପାଇଁ କର୍ତ୍ତୃପକ୍ଷ ଦାୟୀ ହେବେ ନାହିଁ: ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ: କାର୍ଯ୍ୟାଳୟରେ ମାତ୍ରାଧିକ କାର୍ଯ୍ୟଭାର ଜନିତ ଚାପ ଯୋଗୁଁ ଯଦି କୌଣସି କର୍ମଚାରୀ ଆତ୍ମହତ୍ୟା କରନ୍ତି ତେବେ ସେଥିପାଇଁ କାର୍ଯ୍ୟାଳୟର ମାଲିକ କିମ୍ବା କର୍ତ୍ତୃପକ୍ଷ କିମ୍ବା ଉଚ୍ଚ ଅଧିକାରୀଙ୍କୁ ଦାୟୀ କରାଯାଇପାରିବ ନାହିଁ। ବମ୍ବେ ହାଇକୋର୍ଟଙ୍କ ଏକ ରାୟକୁ ଖାରଜ କରି ସୁପ୍ରିମକୋର୍ଟ ଉପରୋକ୍ତ ରାୟ ଦେଇଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ବେଳେବେଳେ ସେମାନଙ୍କ ଅଧସ୍ତନଙ୍କୁ ମାତ୍ରାଧିକ କାର୍ଯ୍ୟଭାର ଦେବାକୁ ପଡ଼େ। ଏହାକୁ ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଯାତନା ପ୍ରବଣତା କିମ୍ବା ଆତ୍ମହତ୍ୟା କରିବାକୁ ବାଧ୍ୟ କରିବା ମନୋବୃତ୍ତି ବୋଲି ବିବେଚନା କରାଯାଇପାରିବ ନାହିଁ କି ତାଙ୍କୁ ଅପରାଧୀ ବୋଲି କୁହାଯାଇପାରିବ ନାହିଁ।
ମହାରାଷ୍ଟ୍ର ସରକାରଙ୍କ ଉପ ଶିକ୍ଷା ନିର୍ଦ୍ଦେଶାଳୟରେ କାର୍ଯ୍ୟରତ କିଶୋର ପରାଶର ନାମକ ଜଣେ କର୍ମଚାରୀ ଅତ୍ୟଧିକ କାର୍ଯ୍ୟଭାର ଜନିତ ଚାପ ସହି ନ ପାରି ୨୦୧୭ ଅଗଷ୍ଟ ମାସରେ ଆତ୍ମହତ୍ୟା କରିଥିଲେ। ତାଙ୍କ ଆତ୍ମହତ୍ୟା ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଦାୟୀ କରି କିଶୋରଙ୍କ ପତ୍ନୀ ଥାନାରେ ଏତଲା ଦେଇଥିଲେ। ଏତଲାରେ ଦର୍ଶାଯାଇଥିଲା ଯେ କିଶୋରଙ୍କ ଉପରିସ୍ଥ ଅଧିକାରୀ ତାଙ୍କୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଓ ଛୁଟି ଦିନରେ କାମ କରିବାକୁ ବାଧ୍ୟ କରୁଥିଲେ। କାମ ନ କଲେ ଦରମା କାଟି ଦେବେ ବୋଲି ଧମକ ଦେଉଥିଲେ। ଏଥିଯୋଗୁଁ କିଶୋର ମାନସିକ ଭାରସମ୍ୟ ହରାଇ ଆତ୍ମହତ୍ୟା କରିଥିଲେ।
ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରିବା ପରେ ଉପରିସ୍ଥ ଅଧିକାରୀ ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବମ୍ବେ ହାଇକୋର୍ଟଙ୍କ ଔରଙ୍ଗାବାଦ ଖଣ୍ଡପୀଠ ମାମଲାର ଶୁଣାଣି କରି କିଶୋରଙ୍କ ପତ୍ନୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଜାନୁଆରୀ ୨୩ ତାରିଖରେ ହୋଇଥିବା ଶୁଣାଣି ଅବସରରେ ଖଣ୍ଡପୀଠ କହିଥିଲେ ଯେ କିଶୋରଙ୍କ ଆତ୍ମହତ୍ୟା ପାଇଁ ଉପରିସ୍ଥ ଅଧିକାରୀ ପ୍ରତ୍ୟକ୍ଷ ଭାବେ ଦାୟୀ ନଥିଲେ ମଧ୍ୟ ତାଙ୍କୁ ମାତ୍ରାଧିକ କାର୍ଯ୍ୟଭାର ଦେଉଥିବାରୁ କିଶୋର ମାନସିକ ଭାରସମ୍ୟ ହରାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ। ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଖଣ୍ଡପୀଠ ଦୋଷୀ ସାବ୍ୟସ୍ତ କରିଥିଲେ। ଏହି ରାୟ ବିରୋଧରେ ସମ୍ପୃକ୍ତ ଅଧିକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସୁପ୍ରିମକୋର୍ଟ ଔରଙ୍ଗାବାଦ୍‍ ଖଣ୍ଡପୀଠଙ୍କ ରାୟକୁ ଖାରଜ କରିଦେଇଛନ୍ତି।

kalyan agarbati
Leave A Reply