ଗ୍ୟାସ୍‍ ଲିକ୍‍ଜନିତ ଦୁର୍ଘଟଣା ରୋକିବ ଆପ୍‍

0

ଚଣ୍ଡିଗଡ଼ : ଏଣିକି ଗ୍ୟାସ୍‍ ଲିକ୍‍ଜନିତ ଦୁର୍ଘଟଣା ନେଇ ଚିନ୍ତିତ ହେବାକୁ ପଡିବ ନାହିଁ। ଗ୍ୟାସ୍‍ ଲିକ୍‍ ହେଲେ ସିଲିଣ୍ଡରର ରେଗୁଲେଟର ସ୍ୱତଃ ବନ୍ଦ ହୋଇଯିବ। ଯେକୌଣସି ସ୍ଥାନରେ ବସି ଗ୍ୟାସ୍‍ ସିଲିଣ୍ଡରର ରେଗୁଲେଟର୍‍ ଅନ୍‍-ଅଫ୍‍ କରିବା ସମ୍ଭବ ହେବ। ଏପରିକି ସିଲିଣ୍ଡର ଖାଲି ହୋଇଗଲେ ବୁକିଂ ପାଇଁ ମଧ୍ୟ ଚିନ୍ତା ରହିବ ନାହିଁ। ଏହି ସୁବିଧା ଲାଗୁ କରିବା ନିମନ୍ତେ ଗୃହିଣୀଙ୍କୁ ଏକ ସ୍ୱତନ୍ତ୍ର ଆପ୍‍ ବ୍ୟବହାର କରିବାକୁ ହେବ। ସ୍ୱତନ୍ତ୍ର ବୈଦ୍ୟୁତିକ ଉପକରଣ ସହିତ ସଂଲଗ୍ନ ଏହି ଆପ୍‍ ବାସ୍ତବରେ ଇଣ୍ଟରନେଟ୍‍ ସହାୟତାରେ କାର୍ଯ୍ୟ କରିବ। ସମାଜ କଲ୍ୟାଣ ଦିଗରେ ଅତ୍ୟନ୍ତ ଉପାଦେୟ ଏହି ଆପ୍‍ଟିକୁ ଚଣ୍ଡିଗଡ଼ର ମଣିମାଜରା ନିବାସୀ ଅନୀଶ ଯାଦବ (୨୨ ବର୍ଷ) ଏବଂ ଐଶ୍ୱର୍ଯ୍ୟା କୌଶିକ (୨୧ ବର୍ଷ) ମାତ୍ର ୬ ମାସ ମଧ୍ୟରେ ଉପକରଣର ଉଦ୍ଭାବନ କରିଛନ୍ତି। ଅନୀଶ ଇଲେକ୍‍ଟ୍ରୋନିକ୍‍ ଇଞ୍ଜିନିୟରିଂର ଶେଷ ବର୍ଷ ଛାତ୍ର ହୋଇଥିବା ବେଳେ ଐଶ୍ୱର୍ଯ୍ୟା ସଫ୍ଟୱେର୍‍ ଇଞ୍ଜିନିୟର। ଆପ୍‍ ସମ୍ପର୍କରେ ସୂଚନା ଦେଇ ଅନୀଶ କହିଛନ୍ତି, ସାଧାରଣତଃ ମହିଳାମାନେ ଗ୍ୟାସ୍‍ ବନ୍ଦ କରିବାକୁ ଭୁଲିଯାଇଥାଆନ୍ତି ଯାହା ଅତ୍ୟନ୍ତ ବିପଜ୍ଜନକ। ଗତବର୍ଷ ଦୀପାବଳୀ ଅବସରରେ ପଞ୍ଚକୂଳା ଅନ୍ତର୍ଗତ ସେକ୍ଟର-୧୦ ନିବାସୀ ଜଣେ ବ୍ୟକ୍ତିଙ୍କ ଘରେ ଗ୍ୟାସ୍‍ ଲିକ୍‍ କାରଣରୁ ବିସ୍ଫୋରଣ ଘଟି ବହୁ ଲୋକ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣା ଅନୀଶ ଏବଂ ଐଶ୍ୱର୍ଯ୍ୟାଙ୍କୁ ଦୋହଲାଇ ଦେଇଥିଲା। ଭବିଷ୍ୟତରେ ଏଭଳି ଦୁର୍ଘଟଣା ରୋକିବା ନିମନ୍ତେ ସେମାନେ ନିଜ ବିଦ୍ୟାର ଉପଯୋଗ ପୂର୍ବକ ବ୍ୟକ୍ତିଗତ ଗବେଷଣା କରି ଏହି ଇଲେକ୍‍ଟ୍ରୋନିକ୍‍ ଉପକରଣ ସଂଲଗ୍ନ ସ୍ୱତନ୍ତ୍ର ଆପ୍‍ର ଉଦ୍ଭାବନ କରିଛନ୍ତି। ଏହା ବ୍ୟବହାରକାରୀଙ୍କ ଇଣ୍ଟରନେଟ୍‍ ସହିତ ସଂଲଗ୍ନ ରହିବ। ମୋବାଇଲ୍‍ ଆପ୍‍ ଦ୍ୱାରା ଏଲ୍‍ପିଜି ଗ୍ୟାସ୍‍ ସିଲିଣ୍ଡର ଲିକ୍‍ ହେବା ତଥା ସିଲିଣ୍ଡରରେ ଗ୍ୟାସ୍‍ ପରିମାଣ ସମ୍ବନ୍ଧରେ ସୂଚନା ସଂଗ୍ରହ କରିହେବ। ସିଲିଣ୍ଡର ଲିକ୍‍ ସ୍ଥଳେ ଉପକରଣଟି ସ୍ୱତଃ ରେଗୁଲେଟର ଅଫ୍‍ କରି ତୁରନ୍ତ ଲିକ୍‍ ସମ୍ବନ୍ଧରେ ମୋବାଇଲ୍‍କୁ ବାର୍ତ୍ତା ପଠାଇବ। ଏପରିକି ସିଲିଣ୍ଡରରୁ ଗ୍ୟାସ୍‍ ଶେଷ ହୋଇଗଲେ ଏହି ଆପ୍‍ ସ୍ୱତଃ ନୂତନ ସିଲିଣ୍ଡର ପାଇଁ ବୁକିଂ କରିଦେବ। ଆପ୍‍ଟି ଉଭୟ ଆଇଓଏସ୍‍ ଏବଂ ଆଣ୍ଡ୍ରୋଏଡ୍‍ରେ ଉପଲବ୍ଧ। ଏହାର ମୂଲ୍ୟ ୫ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାକୁ ଖୁବ୍‍ଶୀଘ୍ର ପ୍ୟାଟେଣ୍ଟ ମଞ୍ଜୁରୀ ପାଇଁ ପଠାଯିବ ବୋଲି ଅନୀଶ ସୂଚନା ଦେଇଛନ୍ତି। ଆପ୍‍ଟିକୁ ଅନ୍‍-ଅଫ୍‍ କରିବା ନିମନ୍ତେ ଏଥିରେ ଏକ ଟାଇମର୍‍ ସେଟ୍‍ କରାଯାଇଛି। ବୈଦ୍ୟୁତିକ ଉପକରଣଟିକୁ ଥରେ ଚାର୍ଜ କଲେ ତାହା ୬ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟ କରିଥାଏ। ଉପକରଣଟି ଉଭୟ ଘରୋଇ ଏବଂ ବ୍ୟବସାୟିକ ଦୃଷ୍ଟିକୋଣରୁ ଉପାଦେୟ। ଏଥିରେ ଏୟାରଟାଇଟ୍‍ ଏବଂ ଜଳରୋଧୀ ସର୍କିଟ୍‍ କିଟ୍‍ ରହିଥିବା ବେଳେ ଏହାର ସେନ୍‍ସର ଏବଂ ରେଗୁଲେଟର୍‍କୁ ପ୍ଲାଷ୍ଟିକ୍‍ର ଆବରଣ ଦ୍ୱାରା ବନ୍ଦ କରି ରଖାଯାଇଛି।

kalyan agarbati
Leave A Reply