ପେରୁର ସାନ୍ତ୍ୱନାମୂଳକ ବିଜୟ
ସୋଚି : ଚଳିତ ଫିଫା ବିଶ୍ୱକପ୍ର ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି ଅଷ୍ଟ୍ରେଲିଆ ଓ ପେରୁ। ମଙ୍ଗଳବାର ଗ୍ରୁପ୍ ‘ସି’ ମ୍ୟାଚ୍ରେ ଅଷ୍ଟ୍ରେଲିଆକୁ ୨-୦ ଗୋଲ୍ରେ ପେରୁ ପରାସ୍ତ କରିଛି। ଫଳରେ ପେରୁ ୩ଟି ମ୍ୟାଚ୍ରୁ ୩ ପଏଣ୍ଟ ପାଇ ୩ୟ ସ୍ଥାନରେ ଥିବା ବେଳେ ଅଷ୍ଟ୍ରେଲିଆ ୩ଟି ମ୍ୟାଚ୍ରୁ ୧ ପଏଣ୍ଟ ଲେଖାଏଁ ପାଇ ଗ୍ରୁପ୍ର ସର୍ବନିମ୍ନ ସ୍ଥାନରେ ରହି ଅଭିଯାନ ଶେଷକରିଛି। ପ୍ରିକ୍ୱାର୍ଟରଫାଇନାଲ ଯିବା ପାଇଁ ଅଷ୍ଟ୍ରେଲିଆକୁ ଏହି ମ୍ୟାଚ୍ ଜିତିବାର ଥିଲା। ହେଲେ ପେରୁ ଏହି ମ୍ୟାଚ୍ ଜିତିପାରିଛି। ପେରୁ ପାଇଁ ପ୍ରଥମାର୍ଦ୍ଧରେ ଆନ୍ଦ୍ରେ କାରିଲେ ଓ ଦ୍ୱିତୀୟାର୍ଦ୍ଧରେ ପାଓଲୋ ଗ୍ୱେରେରୋ ଗୋଲ୍ ଦେଇଥିଲେ।
ପେରୁ ଅପେକ୍ଷା ଅଷ୍ଟ୍ରେଲିଆ ପାଇଁ ଏହି ମ୍ୟାଚ୍ ଅଧିକ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ଲେଅଫ୍ ଖେଳିବା ଆଶା ବଜାୟ ରଖିବା ପାଇଁ କଙ୍ଗାରୁଦଳକୁ ଅଧିକ ଗୋଲ୍ ବ୍ୟବଧାନରେ ଜିତିବାର ଥିଲା। ତେବେ ଆରମ୍ଭରୁ ପେରୁ ଆକ୍ରମଣାତ୍ମକ ଫୁଟ୍ବଲ ଖେଳି ଅଷ୍ଟ୍ରେଲିଆକୁ ଚକିତ କରି ଦେଇଥିଲା। ପରେ ଅଷ୍ଟ୍ରେଲିଆ ମଧ୍ୟ କିଛି ସଂଘବଦ୍ଧ ଆକ୍ରମଣ କରିଥିଲା। ୧୩ ଓ ୧୫ ମିନିଟରେ ଅଷ୍ଟ୍ରେଲିଆର ୨ଟି ଆକ୍ରମଣକୁ ପେରୁ ରକ୍ଷାପନ୍ଥୀ ବେକାର କରି ଦେଇଥିଲେ। ତେବେ ୧୮ ମିନିଟରେ ଏକ ପ୍ରତ୍ୟାକ୍ରମଣରୁ ପେରୁ ଗୋଲ୍ ସ୍କୋର୍ କରିଥିଲା। ଦୂରରୁ ଏକ କ୍ରସ୍ ପାଇ ପେରୁର ଆନ୍ଦ୍ରେ କାରିଲେ ଏକ ଜୋର୍ଦାର ଭଲି ମାରି ଅଷ୍ଟ୍ରେଲିଆ ଗୋଲ୍ରକ୍ଷକ ମ୍ୟାଟ୍ ଽାନ୍ଙ୍କୁ ପରାସ୍ତ କରିଥିଲେ। ସୂଚନାଯୋଗ୍ୟ; ଫୁଟ୍ବଲ ବିଶ୍ୱକପ୍ରେ ଦୀର୍ଘ ୩୬ ବର୍ଷ ପରେ ପେରୁ ଏକ ଗୋଲ୍ ସ୍କୋର୍ କରିପାରିଛି ଏବଂ ଏହି ମ୍ୟାଚ୍ରେ ଏହି କୃତିତ୍ୱ ପାଇଛନ୍ତି ପେରୁର ଆନ୍ଦ୍ରେ କାରିଲୋ। ୧୯୮୨ ବିଶ୍ୱକପ୍ରେ ପୋଲାଣ୍ଡଠାରୁ ପେରୁ ୧-୫ ଗୋଲ୍ରେ ପରାସ୍ତ ହୋଇଥିବା ବେଳେ ଏହି ଏକମାତ୍ର ଗୋଲ୍ ପେରୁ ପାଇଁ ଗ୍ୱିଲେର୍ମୋ ଲା ରୋଜା ସ୍କୋର୍ କରିଥିଲେ। ଏହି ଗୋଲ୍ ବରଣ କରିବା ପରେ ଅଷ୍ଟ୍ରେଲିଆ ଅଧିକ ଆକ୍ରମଣ କରିଥିଲା। ୩୨ ମିନିଟରେ ଅଷ୍ଟ୍ରେଲିଆ ରଜିକ୍ ଗୋଲ୍ଦେବା ସ୍ଥିତିରେ ଥିଲେ ହେଁ ଅଫ୍ସାଇଡ୍ ଘୋଷିତ ହୋଇଥିଲେ। ୪୦ ମିନିଟରେ ଫ୍ରିିକିକ୍ରୁ ସୁଯୋଗ ଛାଡ଼ିଥିଲେ ଅଷ୍ଟ୍ରେଲିଆର ଷ୍ଟ୍ରାଇକର ଆରୋନ୍ ମୁନି। ୨ ମିନିଟ ପରେ ପେରୁକୁ ମଧ୍ୟ ଏକ ଫ୍ରିକିକ୍ ମିଳିଥିଲା। ତେବେ ଏହାକୁ ନିଷ୍ଫଳ କରିବା ଲାଗି ଅଷ୍ଟ୍ରେଲିଆର ରକ୍ଷାପନ୍ଥୀ ସଜାଗ ରହିଥିଲା। ଏହିପରି ମଧ୍ୟାନ୍ତର ସୁଦ୍ଧା ପେରୁ ୧-୦ ଗୋଲ୍ରେ ଆଗୁଆ ରହିଥିଲା। ମଧ୍ୟାନ୍ତର ପରେ ପେରୁ ଆଉ ଏକ ଗୋଲ୍ ସ୍କୋର୍କରି ଅଷ୍ଟ୍ରେଲିଆକୁ ମ୍ୟାଚ୍କୁ ଫେରିବାର ସୁଯୋଗ ଦେଇନଥିଲା। ୫୦ ମିନିଟରେ ପେରୁ ଦଳର ଅଧିନାୟକ ପାଓଲୋ ଗ୍ୱେରେରୋ ଦଳ ପାଇଁ ୨ୟ ଗୋଲ୍ ଦେଇଥିଲେ। ବାମପଟୁ ଟାଓକୋ ସାଥୀ ଖେଳାଳି ଫ୍ଲୋରିସ୍ଙ୍କୁ ଏକ ଚମତ୍କାର ପାସ୍ ଦେଇଥିଲେ। ଫ୍ଲୋରିସ୍ଙ୍କ ପାସ୍ ପହଞ୍ଚିଥିଲା ପେରୁର ଖ୍ୟାତିସମ୍ପନ୍ନ ଖେଳାଳି ପାଓଲୋ ଗ୍ୱେରେରୋଙ୍କ ପାଖରେ; ଯେଉଁଥିରୁ ଗ୍ୱେରେରୋ ଗୋଲ୍ ସ୍କୋର୍ କରିଥିଲେ। ୨ଟି ଗୋଲ୍ରେ ପଛୁଆ ରହିବା ପରେ ଅଷ୍ଟ୍ରେଲିଆ ଦଳର ୨ୟ ରାଉଣ୍ଡ ଖେଳିବା ଆଶା ଧିରେଧିରେ ମଉଳି ଯାଇଥିଲା। ତଥାପି ଅଷ୍ଟ୍ରେଲିଆ ଆକ୍ରମଣର ଗତି ଓ ମାତ୍ରା ବଢ଼ାଇଥିଲା। ତେବେ ପେରୁରୁ ଡିଫେନ୍ସ ପ୍ରାଚୀର ପରି ଦୃଢ଼ ରହିଥିଲା।