ଗାନ୍ଧିଜୀଙ୍କର ୧୫୦ ତମ ଜୟନ୍ତୀ ବର୍ଷରେ ରାଜଘାଟ ସମାଧୀରେ ତାଲା
ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶ ତଥା ବିଶ୍ୱ ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ପାଳନ କରିବାକୁ ପ୍ରସ୍ତୁତ ହେଉଛି । ହେଲେ ବିଶ୍ୱହିନ୍ଦୁ ପରିଷଦର କାର୍ଯ୍ୟକ୍ରମ ପାଇଁ ମହାତ୍ମା ଗାନ୍ଧିଙ୍କର ସମାଧିସ୍ଥଳରେ ଦୁଇଦିନ ଧରି ତାଲା ପକାଯିବା ଯୋଗୁଁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଗାନ୍ଧିବାଦୀମାନେ ଏହାର ବିରୋଧରେ ଜୁନ୍ ୨୯ ତାରିଖରେ ସାରିଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବେ । ଗାନ୍ଧିଜୀଙ୍କର ୧୫୦ ତମ ଜୟନ୍ତୀ ପାଳନ ପାଇଁ ପ୍ରଧାନମନ୍ତ୍ରୀଙ୍କର ନେତୃତ୍ୱରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କତିପୟ ଗାନ୍ଧିବାଦୀମାନଙ୍କୁ ନେଇ ଏକ ସମିତି ମଧ୍ୟ ଗଢା ହୋଇଛି । ଅପର ପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ସଭାପତିତ୍ୱରେ ଗଠିତ ଗାନ୍ଧୀ ସ୍ମୃତି ଓ ଦର୍ଶନ ସମିତି ଦ୍ୱାରା ପରିଚାଳିତ ଦେଶର ସବୁଠୁ ବଡ ସ୍ମାରକ ସ୍ଥଳ ଦିଲ୍ଲୀ ରାଜଘାଟରେ ଥିବା ମହାତ୍ମାଗାନ୍ଧୀଙ୍କର ସମାଧୀପୀଠରେ କୌଣସି ପୂର୍ବ ସୂଚନା ବିନା ଗତ ଜୁନ୍ ୨୪ ଓ ୨୫ ତାରିଖରେ ଦୁଇଦିନ ଧରି ତାଲା ପକାଇ ଦିଆଯାଇଥିଲା । କେବଳ ସେତିକି ନୁହେଁ ରାସ୍ତା ଅପରପାର୍ଶ୍ୱରେ ରହିଥିବା ଗାନ୍ଧି ଦର୍ଶନର ସଂଗ୍ରହାଳୟକୁ ମଧ୍ୟ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଥିଲା । ଏହି ସଂଗ୍ରହାଳୟରେ ଗାନ୍ଧିଙ୍କ ଅନ୍ତିମ ଯାତ୍ରାରେ ବ୍ୟବହୃତ ଗାଡି ସମେତ ଅନେକ ଦର୍ଶନୀୟ ବସ୍ତୁ ସଂଗୃହିତ ହୋଇ ରହିଛି ।
ବାସ୍ତବରେ ଉକ୍ତ ଦୁଇ ଦିନରେ ଗାନ୍ଧି ଦର୍ଶନର ସଭାଗୃହରେ ବିଶ୍ୱ ହିନ୍ଦୁ ପରିଷଦର ଏକ ଦୁଇ ଦିନିଆ କର୍ମଶାଳା ଆୟୋଜନ କରାଯାଇଥିବାରୁ ଏହପରି କରାଯାଇଥିବା ସୂଚନା ମିଳିଛି । ରାଜଘାଟରେ ଅବସ୍ଥିତ କେନ୍ଦ୍ରୀୟ ଗାନ୍ଧି ସ୍ମାରକ ନିଧିର ଅଧ୍ୟକ୍ଷ ରାମଚନ୍ଦ୍ର ରାହିଙ୍କର ଅନୁସାରେ କେବଳ କୌଣସି ସରକାରୀ, ବିଦେଶୀ ଅତିଥିଙ୍କର ଆଗମନରେ ହିଁ ମାତ୍ର କିଛି ସମୟ ପାଇଁ ଏହି ସ୍ମାରକ ସର୍ବସାଧାରଣଙ୍କ ପାଇଁ ବନ୍ଦ ରୁହେ । ହେଲେ ଦୁଇ ଦିନଧିରି ତାଲା ପଡିବା ଘଟଣା ଏହାର ଇତିହାସରେ ପ୍ରଥମ ।
ବିଶ୍ୱ ହିନ୍ଦୁ ପରିଷଦର ଏହି ବୈଠକରେ ରାମ ମନ୍ଦିର ନିର୍ମାଣ, ଆମେରିକୀୟ ସଂସ୍ଥା ସିଆଇଏ ପକ୍ଷରୁ ପରିଷଦକୁ ଆତଙ୍କବାଦୀ ସଂଗଠନ ଘୋଷଣା ବାବଦରେ ଚର୍ଚ୍ଚା ଆଲୋଚନା ହେଇଥିବା ଗଣମାଧ୍ୟମରୁ ଜଣା ପଡିଥିଲା।
ରାଜଘାଟ ସମାଧୀ ପୀଠରେ ତାଲା ଘଟଣାର ତୀବ୍ର ନିନ୍ଦା କରି ନୂଆଦିଲ୍ଲୀର ଗାନ୍ଧି ଶାନ୍ତି ପ୍ରତିଷ୍ଠାନର ଅଧ୍ୟକ୍ଷ କୁମାର ପ୍ରଶାନ୍ତ, କେନ୍ଦ୍ରୀୟ ଗାନ୍ଧି ସ୍ମାରକ ନିଧିର ମନ୍ତ୍ରୀ ସଞ୍ଜୟ ସିଂହ , ଜାତୀୟ ଗାନ୍ଧି ସଂଗ୍ରହାଳୟର ନିର୍ଦେଶକ ଆନ୍ନା ମଲ୍ଲାଇ , ରାଷ୍ଟ୍ରୀୟ ଯୁବ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଡାକ୍ତର ବିଶ୍ୱଜିତ ପ୍ରମୁଖ ଏକ ପ୍ରେସ ବିବୃତିରେ ଏହା ରାଷ୍ଟ୍ରୀୟ ଭାବନା ପ୍ରତି ଅପମାନ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏଥିପ୍ରତି ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି କରିଛନ୍ତି । ଏଥିସହ ସରକାରଙ୍କ ଦ୍ୱାରା ଗଠିତ ୧୫୦ତମ ଗାନ୍ଧିଜୟନ୍ତୀ ସମିତିରେ ଅବସ୍ଥାପିତ ଗାନ୍ଧିବାଦୀମାନେ ନିଜର ବିବେକକୁ ଜାଗ୍ରତ କରି ଏହି ସମିତିରୁ ସମୂହ ଇସ୍ତଫା ଦେବାକୁ ଆହ୍ୱାନ ଦେଇଛନ୍ତି ।