ଓୱେସି- ସମ୍ବିତ ପାତ୍ର ମୁହାଁମୁହିଁ : ଜିନ୍ନା ଏବଂ ଶିଶୁ ସହ ପରସ୍ପରକୁ ତୁଳନା
ହାଇଦରାବାଦ : ୧୯୭୫ ଜରୁରୀକାଳୀନ ପରିସ୍ଥିତି ବିରୋଧରେ ଦେଶବ୍ୟାପୀ କଳା ଦିବସ ପାଳନକୁ ନେଇ ଏଆଇଏମ୍ଆଇଏମ୍ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ବିଜେପିକୁ କଡ଼ା ସମାଲୋଚନା କରିବା ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସମ୍ବିତ ପାତ୍ର ଏହାର ଜବାବ ଦେଇଛନ୍ତି। ଫଳରେ ଓୱେସି ଏବଂ ପାତ୍ର ପରସ୍ପରକୁ ଆକ୍ଷେପ ଏବଂ ପ୍ରତିଆକ୍ଷେପ କରି ଜିନ୍ନା ଏବଂ ଶିଶୁ ସହ ତୁଳନା କରିଛନ୍ତି। ମୁସଲମାନ ପ୍ରାର୍ଥୀଙ୍କୁ ମୁସଲମାନ ଭୋଟ ଦିଅନ୍ତୁ କହିବାର ଦୁଇ ଦିନ ପରେ ଓୱେସି କହିଛନ୍ତି ବାବ୍ରି ମସଜିଦ୍ ଭଙ୍ଗା, ମହାତ୍ମା ଗାନ୍ଧିଙ୍କ ହତ୍ୟା, ୨୦୦୨ ଗୁଜରାତ ଦଙ୍ଗା ଏବଂ ୧୯୮୪ ଶିଖ୍ ନରସଂହାର ଆଦି ଦୁନିଆକୁ ଦୋହଲାଇଦେବା ଭଳି ଘଟଣା। ଏସବୁକୁ କେହି ଭୁଲିପାରିବେ ନାହିଁ ଓ ସବୁ ଦିନ ପାଇଁ ମନେରଖିବା ଆବଶ୍ୟକ। ଓୱେସିଙ୍କ ଟିପ୍ପଣୀକୁ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କଡ଼ା ସମାଲୋଚନା କରିଛନ୍ତି। ଆଜିର ରାଜନୈତିକ ପରିସ୍ଥିତି ଓ ପାରିପାର୍ଶ୍ବିକ ସ୍ଥିତିକୁ ଦେଖି ଓୱେସିଙ୍କୁ ବର୍ତ୍ତମାନର ଜିନ୍ନା କହିବାକୁ କୌଣସି ଦ୍ୱିଧାବୋଧ କରୁନାହିଁ ବୋଲି ସମ୍ବିତ କହିଛନ୍ତି। ସମ୍ବିତ ପାତ୍ର କହିଛନ୍ତି ଯେ ମୁସଲମାନଙ୍କୁ ମୁଖ୍ୟସ୍ରୋତରୁ ଦୂରରେ ରଖିବା ଏବଂ ଭାଙ୍ଗିବା ପାଇଁ ଓୱେସି ସର୍ବଦା ଉତ୍ତେଜିତ ରହିଥାନ୍ତି। ତାଙ୍କର ଏହି ଋଣନୀତି ଅତିବିପଦଜନକ ଏବଂ ଏହାକୁ ସେ ବାରମ୍ବାର ଦୋହରାଉଛନ୍ତି। ସମ୍ବିତ ପାତ୍ରଙ୍କ ମନ୍ତବ୍ୟ ପରେ ଅସଦୁଦ୍ଦିନ ଓୱେସି ତାଙ୍କୁ ସମାଲୋଚନା କରି ଶିଶୁ ବୋଲି ସମ୍ବୋଧିତ କରିଛନ୍ତି। ଓୱେସି କହିଛନ୍ତି ସମ୍ବିତ ପାତ୍ର ଜଣେ ଶିଶୁ ଓ ମୁଁ ଶିଶୁଙ୍କ ଉପରେ କିଛି କହିବାକୁ ଚାହୁଁନି। ଆମ ମୁକାବିଲା ତାଙ୍କ ସହ ନୁହେଁ ଶୀର୍ଷ ନେତାଙ୍କ ସହ। ମୁଁ କହିବାକୁ ଚାହୁଁଛି ଯେତେବେଳେ ବଡ଼ ଲୋକ କଥା ହେଉଛନ୍ତି ଶିଶୁ ଚୁପ୍ ରୁହିବା ଆବଶ୍ୟକ।
ଉଲ୍ଲେଖଯୋଗ୍ୟ ଯେ ୧୯୭୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଜାରି ଜରୁରୀ ପରିସ୍ଥିତି ବିରୋଧରେ ବିଜେପି ୨୫ ଏବଂ ୨୬ ଜୁନ୍ରେ ଦେଶବ୍ୟାପୀ କଳା ଦିବସ ପାଳନ କରୁଛି।