ବିବାହ ଭୋଜିରେ କମ୍ ପଡ଼ିଲା ଥାଳି: ୧ମୃତ ୪ଆହତ
ଲକ୍ଷୌ: ଉତ୍ତରପ୍ରଦେଶର ବିକ୍ରମପୁରଠାରୁ ଅନୁଷ୍ଠିତ ଏକ ବିବାହ ଭୋଜିରେ ଥାଳି କମ୍ ପଡ଼ିବା ଘଟଣାକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ଗଣ୍ଡଗୋଳ ହେତୁ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବାବେଳେ ୪ଜଣ ଆହତ ହୋଇଛନ୍ତି। ବିବାହ ଭୋଜିରେ ଥାଳି କମ୍ ପଡ଼ିବାରୁ ଆମନ୍ତ୍ରିତ ଅତିଥି ଓ ଭୋଜି ଆୟୋଜନ କରୁଥିବା ଇଭେଣ୍ଟ ମେନେଜମେଣ୍ଟ କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ୨୪ଜୁନ ୨୦୧୮ ଶନିବାର ସନ୍ଧ୍ୟାରେ ବିବାହ ଭୋଜିର ଆୟୋଜନ କରାଯାଇ ଥିଲା। ଆମନ୍ତ୍ରିତ ଅତିଥିଙ୍କ ପାଇଁ ପ୍ରଥମେ “ଷ୍ଟାଟର’ ସ୍ୱଳ୍ପ ଖାଦ୍ୟର ପରିବେଷଣ କରାଯାଇ ଥିଲା। ତେବେ ହଠାତ୍ ଆୟୋଜନ କ୍ଷେତ୍ରରେ ଅତିଥିଙ୍କ ସମାଗମ ବୃଦ୍ଧି ପାଇବା ଫଳରେ ଅତିଥିଙ୍କୁ ପରିବେଷଣ ନିମନ୍ତେ ଥାଳି କମ୍ ପଡ଼ିଥିଲା। ଏହାକୁ ନେଇ ଉପସ୍ଥିତ ଅତିଥି ଓ ଭୋଜି ଆୟୋଜନ କରିଥିବା ସଂସ୍ଥା କର୍ମଚାରୀଙ୍କ ମଧ୍ୟରେ ବିବାଦ ଘନିଭୂତ ହୋଇଥିଲା। ପରେ ଏହି ଘଟଣା ଗଣ୍ଡଗୋଳର ରୂପ ନେବା ସହ ଘଟଣାସ୍ଥଳରେ ବିଶାଲ ନାମକ ଜଣେ ୨୦ବର୍ଷ ଯୁବକଙ୍କ ମୃତ୍ୟୁ ହୋଇଯାଇ ଥିଲା। ଘଟଣା ଶେଷରେ ପୁଲିସର ହସ୍ତକ୍ଷେପ ପରେ ଶାନ୍ତ ହୋଇଥିଲା। ଏହି ଗଣ୍ଡଗୋଳରେ ୪ଜଣ ଆହତ ହେବାରୁ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।