ମହିଳାଙ୍କ ପାଇଁ ଭାରତ ସବୁଠାରୁ ଅସୁରକ୍ଷିତ

0

ଲଣ୍ଡନ: ମହିଳାଙ୍କ ପାଇଁ ଭାରତ ବିଶ୍ୱର ସବୁଠାରୁ ଅସୁରକ୍ଷିତ ରାଷ୍ଟ୍ର। ଥମ୍‍ସନ୍‍ ରଏଟର ଫାଉଣ୍ଡେସନ ଆନୁକୂଲ୍ୟରେ ଆନ୍ତର୍ଜାତିକ ବିଶେଷଜ୍ଞଙ୍କ ଦ୍ୱାରା ବିଶ୍ୱବ୍ୟାପୀ ସର୍ବେକ୍ଷଣ ଆଧାରରେ ପ୍ରସ୍ତୁତ ରିପୋର୍ଟରେ ଭାରତକୁ ଏହି ଲଜ୍ଜାଜନକ ସ୍ଥାନ ମିଳିଛି। ଦେଶରେ ବଢ଼ି ଚାଲିଥିବା ବଳାତ୍କାର ଓ ଗୋତି ଶ୍ରମିକ ସଂଖ୍ୟା ଆଧାରରେ ଭାରତକୁ ତାଲିକାର ପ୍ରଥମ ସ୍ଥାନ ମିଳିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏପରିକି ଯୁଦ୍ଧବିଧ୍ୱସ୍ତ ଓ ଅଶାନ୍ତ ଆଫ୍‍ଗାନିସ୍ତାନ, ସିରିଆ, ସାଉଦି ଆରବ ଓ ସୋମାଲିଆ ପରି ରାଷ୍ଟ୍ର ଭାରତଠାରୁ ଭଲ ସ୍ଥାନରେ ରହିଛନ୍ତି। ତାଲିକାରେ ଆଫ୍‍ଗାନିସ୍ତାନ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସିରିଆ ଓ ଆମେରିକାର ଯୁଗ୍ମ ଭାବରେ ତୃତୀୟ ସ୍ଥାନରେ ରହିଛନ୍ତି। ସୋମାଲିଆ ଚତୁର୍ଥ ସ୍ଥାନରେ ଥିବା ବେଳେ ସାଉଦି ଆରବ ପଞ୍ଚମ ସ୍ଥାନରେ ରହିଛି।
ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି ଯେ ଭାରତରେ ମହିଳାମାନେ ସର୍ବାଧିକ ବଳାତ୍କାର, ଅସଦାଚରଣ, ଶାରୀରିକ ଓ ମାନସିକ ନିର୍ଯାତନା, ବାଲ୍ୟ ବିବାହ, ଘରଚାକର ଓ ଚାଲାଣର ଶିକାର ହେଉଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଭାରତରେ ୨୦୦୭ରୁ ୨୦୧୬ ମଧ୍ୟରେ ମହିଳା ବିରୋଧୀ ହିଂସା ୮୩% ବୃଦ୍ଧି ଘଟିଛି। ପ୍ରତି ଘଣ୍ଟାରେ ୪ ଜଣ ମହିଳା ବଳାତ୍କାରର ଶିକାର ହେଉଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ ରହିଛି। ବିଶ୍ୱର ସର୍ବବୃହତ୍‍ ଅର୍ଥନୈତିକ ଅଭିବୃଦ୍ଧିଶୀଳ ଓ ସୂଚନାପ୍ରଯୁକ୍ତି ବିଦ୍ୟାରେ ଅଗ୍ରଣୀ ରାଷ୍ଟ୍ରର ମାନ୍ୟତା ପାଇଥିବା ଭାରତ ପାଇଁ ଏଭଳି ହିଂସା ସ୍ପୃହଣୀୟ ନୁହେଁ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ରିପୋର୍ଟ ଉପରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି।

kalyan agarbati
Leave A Reply