www.samajalive.in
Monday, December 15, 2025
24.1 C
Bhubaneswar

ସ୍ନାନଯାତ୍ରା ଢଙ୍ଗରେ ରଥଯାତ୍ରା !

ପୁରୀ :  ରଥଯାତ୍ରା ପାଇଁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ସଂପୃକ୍ତ ସେବକଙ୍କ ସହ ଶୁକ୍ରବାର ପୁଣିଥରେ ଆଲୋଚନା କରିଛି ଶ୍ରୀମନ୍ଦିର ପ୍ରଶାସନ। ରାଜ୍ୟ ସରକାର ଯଦି ରଥଯାତ୍ରା ପାଇଁ ଅନୁମତି ଦିଅନ୍ତି କିପରି ରଥ ଭିଡାଯିବ ସେ ସମ୍ପର୍କରେ ଆଲୋଚନା ହୋଇଛି। ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା, ବାହୁଡା ଏବଂ ସୁନାବେଶ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି। ଆଗାମୀ ୨୩ତାରିଖ ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ତେଣୁ ଏହାର ଦିନକ ପୂର୍ବରୁ ଏବଂ ପରଦିନ ଶ୍ରୀମନ୍ଦିର ଓ ଗୁଣ୍ଡିଚା ମନ୍ଦିର ଚତୁଃପାର୍ଶ୍ବ ସମେତ ବଡ଼ଦାଣ୍ଡରେ ୧୪୪ଧାରା ଜାରି ପାଇଁ ପ୍ରଶାସନ ଚିନ୍ତା କରୁଛି।
ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ସାହିଗୁଡିକରେ ବ୍ୟାରିକେଡ କରାଯାଇ ଲୋକଙ୍କୁ ନଛାଡିବା ପାଇଁ ବୈଠକରେ କେତେକ ବ୍ୟକ୍ତି ପ୍ରସ୍ତାବ ଦେଇଛନ୍ତି। ସେସବୁ ସ୍ଥାନରେ ଦିନକ ପୂର୍ବରୁ ପୁଲିସ ଫୋର୍ସ ନିୟୋଜିତ କରାଯିବା ସହ ପୁରୀ ସହରର ପ୍ରବେଶପଥ ଗୁଡିକୁ ସିଲ୍‌ କରାଯିବା ସମ୍ଭାବନା ରହିଛି। ବସ୍‌, ଟ୍ରେନ, ଟ୍ୟାକ୍ସି, ଅଟୋରିକ୍ସା ଏବଂ ରିକ୍ସା ଚଳାଚଳ ବନ୍ଦ ନିମନ୍ତେ ଜିଲା ପ୍ରଶାସନ କଟକଣା ଜାରି କରିପାରେ। ସେବକ ଏବଂ ପୁଲିସ କର୍ମଚାରୀ ରଥ ଟାଣିବା ସମ୍ପର୍କରେ ଆଲୋଚନା ହୋଇଛି। ସ୍ନାନଯାତ୍ରା ପରି ସୀମିତ ସଂଖ୍ୟକ ସେବକଙ୍କୁ ନେଇ ରଥଯାତ୍ରା କରାଯିବାକୁ ମନ୍ଦିର ପ୍ରଶାସନ ଚିନ୍ତା କରୁଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ତେଣୁ କେଉଁ ସେବକ ନିଯୋଗର କେତେଜଣ ସେବକ ରଥଯାତ୍ରାରେ ଅଂଶଗ୍ରହଣ କରିବେ ତାହାର ତାଲିକା ପ୍ରସ୍ତୁତ କରାଯିବ। ରଥଯାତ୍ରା ସହ ସଂପୃକ୍ତ ସେବକଙ୍କର କୋଭିଡ ପରୀକ୍ଷା ପାଇଁ ସ୍ଥିର କରାଯାଇଛି। ବିନା ପୁଲିସରେ ସେବକଙ୍କ ଦ୍ବାରା ରଥଟଣା ଯାଇ ପାରିବ ବୋଲି କେତେକ ସେବକ ପ୍ରସ୍ତାବ ଦେଇଛନ୍ତି। ପ୍ରତ୍ୟେକ ରଥରେ ଅଳ୍ପ ସଂଖ୍ୟକ ଘଣ୍ଟୁଆ ଏବଂ ଦଇତାପତିଙ୍କ ସମେତ ଅନ୍ୟ ସେବକ ରହିବାକୁ ଅନୁମତି ଦିଆଯିବ। ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ରଥଯାତ୍ରାର ସିଧା ପ୍ରସାରଣ କରାଯିବା ସମ୍ଭାବନା ରହିଛି। ରଥଯାତ୍ରା ଶେଷକରି ଦାରୁବ୍ରହ୍ମ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ ନକରିବା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ପ୍ରବେଶ ପାଇଁ ଭକ୍ତଙ୍କୁ ଅନୁମତି ଦିଆଯିବ ନାହିଁ। ପରିଚାଳନା କମିଟି ପକ୍ଷରୁ ପୂର୍ବରୁ ଏ ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରସ୍ଥିତ ଆଡ଼ପମଣ୍ଡପରେ ବିଜେ କରିଥିବା ବେଳେ କୌଣସି ଭକ୍ତଙ୍କୁ ଦର୍ଶନ ପାଇଁ ସେଠାକୁ ଛଡାଯିବ ନାହିଁ। ବାହୁଡାଯାତ୍ରା ଦିନ ବଡ଼ଦାଣ୍ଡରେ ୧୪୪ଧାରା ଜାରି କରାଯିବା ସମ୍ପର୍କରେ ଆଲୋଚନା ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ରଥଉପରେ ଦାରୁବ୍ରହ୍ମଙ୍କୁ ସୁନାବେଶ କରାଯିବା ସହ ଅଧରପଣା ଭୋଗ କରାଯିବ। ସୁନାବେଶ, ଅଧରପଣା ଏବଂ ନୀଳାଦ୍ରିବିଜେ ସମୟରେ କେବଳ ପାଳିଆ ସେବକ, ନୀତିକାନ୍ତି ସହ ସଂପୃକ୍ତ ଅଧିକାରୀ ଏବଂ ପୁଲିସକୁ ସେଠାକୁ ଛଡାଯିବ। ବିନା ଭକ୍ତରେ କଟକଣାଯୁକ୍ତ ସ୍ନାନଯାତ୍ରା ସଫଳ ହୋଇଥିବାରୁ ସେହି ଢାଞ୍ଚାରେ ରଥଯାତ୍ରା କରିବାକୁ ପ୍ରଶାସନ ଅଧିକ ଉତ୍ସାହିତ ହୋଇପଡିଛି।
ସମ୍ଭାବ୍ୟ କଟକଣା ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଶୁକ୍ରବାର ବିଭିନ୍ନ ସେବକ ନିଯୋଗ କର୍ମକର୍ତ୍ତା, ଜିଲାପାଳ ଏବଂ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। କଟକଣାଯୁକ୍ତ ରଥଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ତେବେ ଏ ସମ୍ପର୍କରେ ମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ଦିଆଯାଇଛି। ରାଜ୍ୟ ସରକାରଙ୍କଠାରୁ ରଥଯାତ୍ରା ପାଇଁ ଅନୁମତି ମିଳିବା ପରେ ପରିଚାଳନା କମିଟି ବୈଠକ ଡକାଯାଇ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣେ ଅଧିକାରୀ ପ୍ରକାଶ କରିଛନ୍ତି। ବିନାଭକ୍ତରେ ଏବଂ କଟକଣାଯୁକ୍ତ ରଥଯାତ୍ରା ଆୟୋଜନ ସମ୍ପର୍କରେ ପରିଚାଳନା କମିଟି ସଭ୍ୟ ଏବଂ ସେବକ ନିଯୋଗ କର୍ମକର୍ତ୍ତାଙ୍କ ସହ ଶ୍ରୀମନ୍ଦିର ପ୍ରଶାସନ ଶୁକ୍ରବାର ଆଲୋଚନା କରିଛି।

Hot this week

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

Related Articles

Popular Categories