ଆଇଏନଏକ୍ସ ମିଡିଆ ମାମଲା: କାର୍ତ୍ତିଙ୍କ ବିରୋଧରେ ସୁପ୍ରିମକୋର୍ଟ ଗଲା ସିବିଆଇ
ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ୍ଙ୍କ ପୁଅ କାର୍ତ୍ତି ଚିଦମ୍ବରମ୍ଙ୍କ ବିରୋଧରେ ସିବିଆଇ ସୋମବାର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛି। ଏହି ମାମଲାରେ କାର୍ତ୍ତିଙ୍କୁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ଜାମିନକୁ ସିବିଆଇ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛି। ସିବିଆଇ ଏହାର ପିଟିସନରେ ଉଲ୍ଲେଖ କରିଛି ଯେ ହାଇକୋର୍ଟ ମାମଲାକୁ ଭୁଲ୍ ତର୍ଜମା କରି କାର୍ତ୍ତିଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏପରି କି ଏହି ମାମଲାରେ କାର୍ତ୍ତିଙ୍କ ଜାମିନ ଆବେଦନ ବିଚାର ବିଭାଗୀୟ କୋର୍ଟରେ ବିଚାରାଧୀନ ଥିବାବେଳେ ହାଇକୋର୍ଟ ଏହାର ବିଚାର କରି ଜାମିନ ଦେଇଥିଲେ। ଯାହାକି ହାଇକୋର୍ଟଙ୍କ ନୀତି ନିଷ୍ପତ୍ତି କ୍ଷେତ୍ରରେ ଅସମୀଚୀନ ବୋଲି ସିବିଆଇ କହିଛି। ମାର୍ଚ୍ଚ ୨୩ରେ ହାଇକୋର୍ଟଙ୍କ ଜଣିକିଆ ବିଚାରପତି ପୀଠ କାର୍ତ୍ତିଙ୍କୁ ଜାମିନ ପ୍ରଦାନ କରିଥିଲେ। ଫେବୃଆରୀ ୨୮ରେ କାର୍ତ୍ତିଙ୍କୁ ସିବିଆଇ ଗିରଫ କରିଥିଲେ।