ଅଷ୍ଟ୍ରେଲିଆର ଦିନିକିଆ ମାନ୍ୟତା ୬କୁ ହ୍ରାସ
ଦୁବାଇ : ଦିନିକିଆ ଫର୍ମାଟରେ ଅଷ୍ଟ୍ରେଲିଆ କ୍ରିକେଟ ଦଳର ମାନ୍ୟତା ହ୍ରାସ ପାଇଛି। ସୋମବାର ଆଇସିସି ପକ୍ଷରୁ ପ୍ରକାଶିତ ଏହି ତାଲିକାରେ ଅଷ୍ଟ୍ରେଲିଆ ଗୋଟିଏ ପାହ୍ୟା ତଳକୁ ଖସି ୬ଷ୍ଠ ସ୍ଥାନରେ ପହଞ୍ଚିଛି। ସଦ୍ୟସମାପ୍ତ ପାଞ୍ଚଟିକିଆ ଦିନିକିଆ ସିରିଜରେ ଇଂଲଣ୍ଡ ୫-୦ରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାପରେ ଅଷ୍ଟ୍ରେଲିଆ ଦଳର ମାନ୍ୟତାରେ ଏଭଳି ପ୍ରତିକୂଳ ପ୍ରଭାବ ପଡିଛି। ୨୦୧୫ ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ବିଗତ ୩୪ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ତାଲିକାର ଶ୍ରେଷ୍ଠ ପାଞ୍ଚ ତଳକୁ ଖସିଥିବା ପ୍ରକାଶ। ଇଂଲଣ୍ଡ ୧୨୫ ପଏଣ୍ଟ ସହ ତାଲିକାର ଶୀର୍ଷରେ ଥିବାବେଳେ ଭାରତ (୧୨୨) ଦ୍ୱିତୀୟ, ଦକ୍ଷିଣ ଆଫ୍ରିକା (୧୧୩) ତୃତୀୟ, ନ୍ୟୁଜିଲାଣ୍ଡ (୧୧୨) ଚତୁର୍ଥ, ପାକିସ୍ତାନ (୧୦୨) ପଞ୍ଚମ, ଅଷ୍ଟ୍ରେଲିଆ (୧୦୧) ଷଷ୍ଠ, ବାଂଲାଦେଶ (୯୩) ସପ୍ତମ, ଶ୍ରୀଲଙ୍କା (୭୭) ଅଷ୍ଟମ, ୱେଷ୍ଟଇଣ୍ଡିଜ (୬୯) ନବମ ଓ ଆଫଗାନିସ୍ତାନ (୬୩) ଦଶମ ସ୍ଥାନରେ ରହିଛି।
ଅନ୍ୟପକ୍ଷରେ ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ପଞ୍ଚମ ତଥା ଅନ୍ତିମ ଦିନିକିଆ ମ୍ୟାଚରେ ଜୋସ୍ ବଟ୍ଲରଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡ ଅଷ୍ଟ୍ରେଲିଆକୁ ୧ ୱିକେଟରେ ପରାସ୍ତ କରି ଏହି ସିରିଜକୁ ୫-୦ରେ ପୋଛିନେଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ୩୪.୪ ଓଭରରେ ୨୦୫ ରନରେ ଅଲଆଉଟ ହୋଇଥିଲା। ଟ୍ରାଭିସ ହେଡ୍ ୫୬, ଡି’ଆର୍ସି ସର୍ଟ ୪୭, ଆଲେକ୍ସ କ୍ୟାରେ ୪୪ ରନ କରିଥିବାବେଳେ ଇଂଲଣ୍ଡ ପକ୍ଷରୁ ମୋଇନ ଅଲ୍ଲୀ ୪ଟି ଓ ସାମ୍ କ୍ୟୁରାନ୍ ୨ଟି ୱିକେଟ ଅକ୍ତିଆର କରିଥିଲେ। ୨୦୬ ରନ୍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଇଂଲଣ୍ଡ ଏକଦା ୧୧୪ ରନରେ ୭ଟି ୱିକେଟ ହରାଇଥିଲା। ତେବେ ଜୋସ୍ ବଟ୍ଲର ଓ ଆଦିଲ ରସିଦ ୮ମ ୱିକେଟ ପାଇଁ ୮୧ ରନ ଯୋଗକରି ଦଳକୁ ବିଜୟ ଦ୍ୱାରରେ ଉପନୀତ କରାଇଥିଲେ। ଦଳୀୟ ସ୍କୋର ୧୯୫ରେ ରସିଦ୍ ୨୦ ରନ କରି ୯ମ ଖେଳାଳି ଭାବେ ଆଉଟ ହୋଇଥିଲେ। ହାତରେ ମାତ୍ର ୧ୱିକେଟ ଥାଇ ଇଂଲଣ୍ଡ ବିଜୟ ପାଇଁ ୧୧ ରନ ଆବଶ୍ୟକ କରୁଥିଲା। ବଟ୍ଲର ଓ ଜେକ୍ ବଲ୍ ୩ ଓଭର ରହି ଦଳକୁ ଜିତାଇଥିଲେ। ବଟ୍ଲର ଅପରାଜିତ ୧୧୦, ଆଲେକ୍ସ ହେଲ୍ସ ୨୦ ରନ କରିଥିବାବେଳେ ଅଷ୍ଟ୍ରେଲିଆ ପକ୍ଷରୁ ବିଲି ଷ୍ଟାନ୍ଲେକ୍ ଓ କେନ ରିଚାର୍ଡସନ ପ୍ରତ୍ୟେକ ୩ଟି ଓ ମାକର୍ସ ଷ୍ଟୋଇନିସ୍ ୨ଟି ୱିକେଟ ଅକ୍ତିଆର କରିଥିଲେ। ବଟ୍ଲର ଉଭୟ ‘ମ୍ୟାନ ଅଫ୍ ଦି ମ୍ୟାଚ୍ ଓ ସିରିଜ୍’ ହୋଇଥିଲେ।
ଏହି ସିରିଜ ବିଜୟ ସହିତ ଇଂଲଣ୍ଡ ନିକିଆ ମାନ୍ୟତା ତାଲିକାର ଶୀର୍ଷରେ ରହିଛି।