ଛତିଶଗଡ଼ ଭରତପୁର ଜଙ୍ଗଲରେ ପଙ୍ଗପାଳ: ପଶ୍ଚିମ ଓଡ଼ିଶାର ୬ ଜିଲାକୁ ବିପଦ, କାଲି ଲଖନପୁର ଯିବେ କୃଷି ବିଭାଗ ଟିମ୍
ଭୁବନେଶ୍ବର: ଛତିଶଗଡ଼ରେ ଏବେ ପଶିଛନ୍ତି ପଙ୍ଗପାଳ । ଛତିଶଗଡ଼ କୋରିଆ ଜିଲାର ଭରତପୁର ଜଙ୍ଗଲରେ ଏହି ପଙ୍ଗପାଳ ଉଡ଼ି ବୁଲୁଛନ୍ତି । ଲକ୍ଷଲକ୍ଷ ସଂଖ୍ୟାରେ ପଙ୍ଗପାଳଙ୍କୁ ଦେଖି ଛତିଶଗଡ଼ର ଚାଷୀ ଭୟଭୀତ ହୋଇ ପଡ଼ିଛନ୍ତି । ଓଡ଼ିଶା ସୀମାଠାରୁ ଭରତପୁର ଜଙ୍ଗଲ ମାତ୍ର ୨ଶହ କିଲୋମିଟର ଦୂର ହୋଇଥିବାରୁ ଓଡ଼ିଶାର ସୀମାନ୍ତବର୍ତୀ ଝାରସୁଗୁଡ଼ା ଓ ବରଗଡ଼ରେ ପଙ୍ଗପାଳ ପଶିବାର ଆଶଙ୍କା ସୃଷ୍ଟି ହୋଇଛି ।
ଅନ୍ୟପକ୍ଷରେ ଛତିଶଗଡ଼ରେ ପଙ୍ଗପାଳ ପଶିବା ପରେ ମୁକାବିଲା ନିମନ୍ତେ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ପଙ୍ଗପାଳ ଓଡ଼ିଶା ଆସିବ କି ନାହିଁ ତାହା ମୌସୁମୀ ଓ ପବନର ବେଗ ଉପରେ ନିର୍ଭର କରୁଛି।ଅନ୍ୟପଟେ ଓଡ଼ିଶାରେ ଜୁନ୍ରୁ ଜୁଲାଇ ୧୫ ଭିତରେ ପଙ୍ଗପାଳ ପହଞ୍ଚିପାରନ୍ତି । ଏମାନେ ପଶ୍ଚିମ ଓଡ଼ିଶାର ଝାରସୁଗୁଡା, ବରଗଡ଼, କଳହାଣ୍ଡି, ସୁନ୍ଦରଗଡ଼, ସମ୍ବଲପୁର ଓ ନୂଆପଡ଼ା ଭଳି ଜିଲ୍ଲାରେ ଉପଦ୍ରବ କରି ପାରନ୍ତି ବୋଲି ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଅନୁମାନ କରିବା ପରେ ବଢିଛି ସତର୍କତା। ଏନେଇ ରାଜ୍ୟର ଚାଷୀଙ୍କ ଭିତରେ ସଚେତନ ସୃଷ୍ଟି କରିବା, ପ୍ରତିଦିନ ସ୍ଥିତିର ଯାଞ୍ଚ ଓ ଆବଶ୍ୟକ କୀଟନାଶକ ମହଜୁଦ୍ ରଖିବାକୁ ରାଜ୍ୟ କୃଷି ବିଭାଗ ନିର୍ଦ୍ଦେଶ ଦେଇଛି ।
ପଙ୍ଗପାଳ ଛତିଶଗଡ଼ ରୁ ଝାରସୁଗୁଡା ସୀମାନ୍ତ ଲଖନପୁର ବ୍ଲକକୁ ପ୍ରଵେଶ ଆଶଙ୍କା ଥିବାରୁ ସୀମାନ୍ତବର୍ତୀ ଅଞ୍ଚଳର ଚାଷୀଙ୍କୁ ସଚେତନ କରାଯାଉଛି ଏବଂ ଆସନ୍ତା କାଲି ଓଡିଶା-ଛତିଶଗଡ଼ ସୀମାନ୍ତ ଲଖନପୁର ବ୍ଲକକୁ କୃଷି ବିଭାଗର ଦୁଇଟି ଟିମ ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିବେ ବୋଲି ଝାରସୁଗୁଡା ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଲକ୍ଷ୍ମୀ ନାରାୟଣ ଶଥପଥି କହିଛନ୍ତି ।
Comments are closed.