ଆସନ୍ତାକାଲିଠାରୁ ଦେଶରେ ’’ ୱାନ ନେସନ- ୱାନ ରେସନ କାର୍ଡ଼’’; ବଦଳିବ ଆହୁରି ବହୁ ନିୟମ
ଭୁବନେଶ୍ବର: ଆସନ୍ତା କାଲିଠାରୁ ଦେଶରେ ଆରମ୍ଭ ହେଉଛି ଅନଲକ୍-୧.୦ । ଏଥିପାଇଁ ସରକାରୀ ମାର୍ଗଦର୍ଶିକା ଜାରି ହୋଇଛି । ହେଲେ ଏହା ବ୍ୟତୀତ ଦେଶରେ ଆସନ୍ତାକାଲିଠାରୁ ଅନେକଗୁଡ଼ିଏ ନିୟମର ପରିବର୍ତନ ହେଉଛି । ଏହା ମଧ୍ୟରେ ରହିଛି ରେଳ ଚଳାଚଳ, ବିିମାନ ଚଳାଚଳ, ଗ୍ୟାସ ସିଲିଣ୍ଡର ସଂକ୍ରାନ୍ତ, ପେଟ୍ରୋଲ-ଡ଼ିଜେଲ ଦାମ, ରାସନ କାର୍ଡ଼ । ଏ ସମ୍ପର୍କରେ ଆପଣ ଜାଣିଛନ୍ତି କି ? ଯଦି ଜାଣି ନାହାନ୍ତି ଦେବେ ଏହାକୁ ଧ୍ୟାନରେ ରଖନ୍ତୁ । ଯଦି ଏହାକୁ ଜାଣି ନାହାନ୍ତି ତେବେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇପାରନ୍ତି ।
ପୁରା ଦେଶରେ ଲାଗୁ ହେବ ଗୋଟିଏ ଦେଶ-ଗୋଟିଏ ରେସନକାର୍ଡ଼
ଆସନ୍ତାକାଲିଠାରୁ ଦେଶରେ ଗରିବ ଲୋକମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ଆରମ୍ଭ ହେବାକୁ ଯାଉଛି ଏକ ଦେଶ-ଏକ ରେସନ କାର୍ଡ଼ । ପ୍ରଥମ ପର୍ଯ୍ୟାୟରେ ଏହା ଦେଶର ୨୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ହେବ । ଏହି ରେସନ କାର୍ଡ଼ ବ୍ୟବହାର କରି ଜଣେ ହିତାଧିକାରୀ ଦେଶର ଯେ କୌଣସି ସ୍ଥାନରୁ ନିଜର ଖାଦ୍ୟ ଶସ୍ୟ ଉଠାଇ ପାରିବ । ମୋଦୀ ସରକାରଙ୍କ ଏହି ଯୋଜନା ୬୭ କୋଟି ହିତାଧିକାରୀ ଲାଭବାନ ହେବେ । ଏହି ରେସନ କାର୍ଡ଼ ଦୁଇଟି ଭାଷାରେ ଜାରି ହେବ । ଗୋଟିଏ ସ୍ଥାନୀୟ ଭାଷା ଓ ଅନ୍ୟଟି ହିନ୍ଦି ।
ବର୍ତମାନ ସମୟରେ ରହିଥିବା ନିୟମ
ବର୍ତମାନ ସମୟରେ ଜଣେ ହିତାଧିକାରୀ ଯେଉଁ ଜିଲାର ଅଧିବାସୀ ଓ ଯେଉଁଠାରେ ତାହାର ରେସନ କାର୍ଡ଼ ରହିଛି ସେଠାରେ କେବଳ ରେସନ ଉଠାଇ ପାରିବାର ବ୍ୟବସ୍ଥା ଥିଲା । ଜିଲା ପରିବର୍ତନ କରି ଅନ୍ୟ ଜିଲାରେ ବସବାସ କଲେ ହିତାଧିକାରୀଙ୍କୁ ଏହି ସୁବିଧା ମିଳୁ ନ ଥିଲା । ଗୋଟିଏ ଦେଶ- ଗୋଟିଏ ରେସନ କାର୍ଡ଼ ଲାଗୁ ହେବା ପରେ ଗରିବ ସୀମାରେଖା ତଳେ ଥିବା ହିତାଧିକାରୀ ଦେଶର ଯେ କୌଣସି ସ୍ଥାନରୁ ନିଜର ଖାଦ୍ୟଶସ୍ୟ ନେଇ ପାରିବ । ଏଥିରେ ହିତାଧିକାରୀଙ୍କୁ ୫ କିଲୋ ଚାଉଳ, ଗହମ ମିଳି ପାରିବ ।
୩୦ ସେପ୍ଟେମ୍ବର ମଧ୍ୟରେ ରେସନ କାର୍ଡ଼କୁ ଆଧାର ସଂଯୋଗ
ସେହିପରି ଆଧାର କାର୍ଡ଼ ସହ ରେସନ କାର୍ଡ଼ର ସଂଯୋଗ ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । ଏହି ବ୍ୟବସ୍ଥା ଅନୁସାରେ ଜଣେ ହିତାଧିକାରୀ ନିଜର ଆଧାର କାର୍ଡ଼ ସହିତ ରେସନ କାର୍ଡ଼କୁ ସେପ୍ଟେମ୍ବର ୩୦ ତାରିଖ ମଧ୍ୟରେ ସଂଯୋଗ କରିବାକୁ ପଡ଼ିବ । ଖାଦ୍ୟ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତମାନ ପରିସ୍ଥିତିରେ ଆଧାର ସଂଯୋଗ ନ ହେଲେ ମଧ୍ୟ ହିତାଧିକାରୀଙ୍କୁ ଖାଦ୍ୟ ସାମଗ୍ରୀ ମିଳିବ । ଏ ସମ୍ପର୍କରେ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରଙ୍କୁ ସୂଚନାଦେଇଛନ୍ତି ଓ ହିତାଧିକାରୀଙ୍କୁ ତାଙ୍କର ଖାଦ୍ୟ ସାମଗ୍ରୀ ଦେବାକୁ ମନା କରି ପାରିବେ ନାହିଁ ।
ବଦଳିବ ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ
ଆସନ୍ତାକାଲି ଅର୍ଥାତ୍ ଜୁନ୍ ୧ ତାରିଖଠାରୁ ଦେଶରେ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବଦଳିବ । ତୈଳ କମ୍ପାନୀ ପ୍ରତି ମାସର ପ୍ରଥମ ଦିନରେ ଏଲପିଜି ସିଲିଣ୍ଡରର ଦାମ ସମୀକ୍ଷା କରନ୍ତି । ପ୍ରତ୍ୟେକ ରାଜ୍ୟରେ ଏଥିପାଇଁ ଅଲଗା ଅଲଗା ଟିକସ ବ୍ୟବସ୍ଥା ରହିଛି । ସେହି କାରଣରୁ ପ୍ରତ୍ୟେକ ରାଜ୍ୟର ଏଲପିଜି ସିଲିଣ୍ଡର ଦାମ ଅଲଗା ଅଲଗା ହୋଇଥାଏ । ଯଦି ଆସନ୍ତାକାଲି ସିଲିଣ୍ଡର ଦର ବଢ଼େ ତେବେ ଗ୍ରାହକଙ୍କୁ ଏଥିପାଇଁ ଅଧିକ ପଇସା ଦେବାକୁ ପଡ଼ିବ । ଗତ ୧୯ ତାରିଖରେ ୧୪.୨ ଅଣ ସବସିଡ଼ି ଏଲପିଜି ସିଲିଣ୍ଡର ଦାମ ଶସ୍ତା ହୋଇଥିଲା । ଦିଲ୍ଲୀରେ ଅଣ ସବସିଡ଼ି ଏଲପିଜି ସିଲିଣ୍ଡର ୧୬୨.୫୦ ପଇସା ଶସ୍ତା ହୋଇଥିଲା ଏହାର ଦାମ ୭୪୪ରୁ ହ୍ରାସ ପାଇ ୫୮୧.୫୦ ପଇସାରେ ପହଞ୍ଚିଥିଲା । ସେହିପରି କଲକତାରେ ଦାମ ୫୮୪.୫୦ ଟଙ୍କା, ମୁମ୍ବାଇରେ ୫୭୯ ଟଙ୍କା ଓ ଚେନ୍ନଇରେ ଏହାର ଦାମ୍ ୬୬୯.୫୦ଟଙ୍କା ଥିଲା ।
କାଲିଠାରୁ ୨୦୦ ଟ୍ରେନକୁ ମିଶାଇ ଚାଲିବ ୨୩୦ ଟ୍ରେନ୍
ଆସନ୍ତାକାଲିଠାରୁ ଦେଶରେ ୨୦୦ ଟ୍ରେନ୍ ଚଳାଚଳ ନିମନ୍ତେ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ଏହା ସହ ପୂର୍ବରୁ ଚାଲୁଥିବା ୩୦ଟି ଟ୍ରେନ ମଧ୍ୟ ଚଳାଚଳ କରିବ । ଅର୍ଥାତ୍ ଆସନ୍ତାକାଲି ଦେଶର ରେଳ ଧାରଣାରେ ୨୩୦ ଟ୍ରେନ୍ ଗଡ଼ିବା ସ୍ଥିର ହୋଇଛି । ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ଏହି ଟ୍ରେନ୍ ଗୁଡ଼ିକରେ ୧୨୦ ଦିନ ପୂର୍ବରୁ ବୁକିଂ ନିମନ୍ତେ ସୁଯୋଗ ଦିଆଯାଇଛି । ସେହିପରି ତତ୍କାଳ କୋଟାରେ ବି ବୁକିଂ ହୋଇ ପାରିବ । ଏହି ସୁବିଧା ମେ ୩୧ ତାରିଖ ରବିବାର ସକାଳ ୮ଟାରୁ ଆରମ୍ଭ ହୋଇଛି । ଲକ୍ଡ଼ାଉନ ସମୟରେ ୩୦ ଦିନ ପୂର୍ବରୁ ବୁକିଂ କରାଯାଇ ପାରୁଥିଲା, ଏବେ ତାହା ୧୨୦ ଦିନକୁ ବୃଦ୍ଧି କରାଯାଇଛି । ଆସନ୍ତାକାଲିଠାରୁ ଏହା କାର୍ଯ୍ୟକାରୀ ହେବ ।
Comments are closed.