ମହାରାଷ୍ଟ୍ରରେ ପଲିଥିନ ନିଷିଦ୍ଧ
ମୁମ୍ବଇ: ଆସନ୍ତା କାଲି ଅର୍ଥାତ୍ ଜୁନ୍ ୨୪ ତାରିଖରୁ ମୁ୍ମ୍ବଇ ସମେତ ସମଗ୍ର ମହାରାଷ୍ଟ୍ରରେ ପ୍ଲାଷ୍ଟିକ ସାମଗ୍ରୀ ଉତ୍ପାଦନ, ବିତରଣ, ପରିବହନ, ମହଜୁଦ ଓ ବ୍ୟବହାର ନିଷିଦ୍ଧ ହେବ। ପ୍ଲାଷ୍ଟିକ୍ ବ୍ୟବହାରକାରୀଙ୍କଠାରୁ ସର୍ବନିମ୍ନ ୫ ହଜାର ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ। ଗତ ମାର୍ଚ୍ଚ ମାସରେ ଏହି ମର୍ମରେ ବିଜ୍ଞପ୍ତି ଜାରି କରାଯାଇଥିବା ବେଳେ ଆସନ୍ତା କାଲିଠାରୁ ଆଇନ୍କୁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବ।
ଥରେ ମାତ୍ର ବ୍ୟବହାର ଯୋଗ୍ୟ ପ୍ଳାଷ୍ଟିକ୍ ବାସନକୁସନ, ପ୍ୟାକେଜ୍ ଓ ମହଜୁଦ୍ ପାଇଁ ବ୍ୟବହୃତ ପ୍ଳାଷ୍ଟିକ୍ ଚଦର, ଜରି, ପଲିଥିନ୍ ବ୍ୟାଗକୁ ନିଷେଧ କରାଯାଇଛି।
ଆଇନ୍ର ଖିଲାପ କଲେ ପ୍ରଥମ ଥର ପାଇଁ ୫ ହଜାର, ଦ୍ୱିତୀୟ ଥର ପାଇଁ ୧୦ ହଜାର ଓ ତୃତୀୟ ଥର ପାଇଁ ୨୫ ହଜାର ଟଙ୍କା ଜରିମାନା ଆଦାୟ କରାଯିବ। ଜରିମାନା ପୈଠ ନ କଲେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ସମ୍ପୃକ୍ତ ଆଇନଖିଲାପକାରୀଙ୍କ ବିରୋଧରେ କୋର୍ଟରେ ମାମଲା ରୁୁଜୁ ହେବ। ଖିଲାପକାରୀଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯିବ।
ଅବଶ୍ୟ ମେଡିକାଲ୍ ସାମଗ୍ରୀ ଓ ଉପକରଣରେ ବ୍ୟବହୃତ ପ୍ଳାଷ୍ଟିକ୍, ଥର୍ମୋକୁଲ୍ ପ୍ୟାକେଜକୁ ନିଷେଧ ତାଲିକାରୁ ବାଦ୍ ଦିଆଯାଇଛି।