ଘରୋଇ-ସରକାରୀ ସହଭାଗିତାରେ ୨୦ ହସ୍ପିଟାଲ
ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି ଆଣି ଏହାକୁ ଅଧିକ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଘରୋଇ-ସରକାରୀ ସହଭାଗିତାରେ ୨୦ଟି ହସ୍ପିଟାଲ ପ୍ରତିଷ୍ଠା କରାଯିବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି।
ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟସେବା ପୁଞ୍ଜି ବିନିଯୋଗ ନୀତି-୨୦୧୬ ଅନୁଯାୟୀ ପ୍ରାଥମିକତା ଥିବା ୧୧ଟି ଜିଲାକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଘରୋଇ-ସରକାରୀ ଭାଗୀଦାରିତାରେ ଏହା ହେବ ଦେଶର ସବୁଠାରୁ ବଡ଼ ପୁଞ୍ଜି ବିନିଯୋଗ। ଉକ୍ତ ପ୍ରକଳ୍ପ ଦ୍ୱାରା ଏହିସବୁ ସ୍ଥାନରେ ଆରମ୍ଭରୁ ରୋଗୀଙ୍କ ପାଇଁ ୨୭୦୦ ଶଯ୍ୟା ଉପଲବ୍ଧ ହେବ। ଘରୋଇ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଅତିକମ୍ରେ ହଜାରେ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ଆଣିବା ସହ ୧୦ ହଜାର ସିଧାସଳଖ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ରାଜ୍ୟ ସରକାରଙ୍କ ସୁଲଭ ମୂଲ୍ୟ ସ୍ୱାସ୍ଥ୍ୟସେବା ପ୍ରକଳ୍ପରେ ଏହି ହସ୍ପିଟାଲ ଗୁଡ଼ିକ ହବ୍ ଓ ସ୍ପୋକ ମଡେଲରେ ଖୋଲାଯିବ। କେତେକ ହସ୍ପିଟାଲ କେନ୍ଦ୍ରୀୟ ହସ୍ପିଟାଲ ବା ହବ୍ ଭଳି ଏବଂ ଆଉ କେତେକ ଶାଖା ହସ୍ପିଟାଲ ବା ସ୍ପୋକ ଭଳି କାର୍ଯ୍ୟ କରିବ।
ଡାକ୍ତରଖାନା ଗୁଡ଼ିକ ପୁରୀ, ଜୟପୁର, ଅନୁଗୋଳ, ବଡ଼ବିଲ, ବାରିପଦା, ଭଦ୍ରକ, ବଲାଙ୍ଗୀର, ଝାରସୁଗୁଡ଼ା, କଳାହାଣ୍ଡି, ଫୁଲବାଣୀ, ଢ଼େଙ୍କାନାଳ, ବୌଦ୍ଧ, ନୂଆପଡ଼ା, ମାଲକାନଗିରି, ନବରଙ୍ଗପୁର, ସୁବର୍ଣ୍ଣପୁର, ରାୟଗଡ଼ା, ପାରଳାଖେମୁଣ୍ଡି, ରାଇରଙ୍ଗପୁର ଓ କେନ୍ଦ୍ରାପଡ଼ା ଆଦି ସ୍ଥାନରେ ନିର୍ମିତ ହେବ। ସ୍ପୋକ ମଡେଲ ହସ୍ପିଟାଲରେ ଶଲ୍ୟ, ଭେଷଜ, ସ୍ତ୍ରୀ ରୋଗ, ଶିଶୁରୋଗ, ଅସ୍ଥିଶଲ୍ୟ, ନିଶ୍ଚେତକ, ଚକ୍ଷୁ, ନାସାକର୍ଣ୍ଣ, ଗଳା, ଦନ୍ତ, ରଞ୍ଜନରଶି, ନିଦାନ, ମାନସିକ ରୋଗ, ଚର୍ମ, ଗୁରୁତର ଅସୁସ୍ଥ ରୋଗୀଙ୍କ ଚିକିତ୍ସା, ଜରୁରୀ ଚିକିତ୍ସା ଓ ଟ୍ରମା କେୟାର ଆଦି ବିଭାଗ ଖୋଲିବ। ହବ୍ ହସ୍ପିଟାଲରେ ଉପରୋକ୍ତ ବିଭାଗ ସହ ହୃଦ୍ରୋଗ ଓ ସ୍ନାୟୁ ଶଲ୍ୟ ଚିକିତ୍ସା ସୁବିଧା ମଧ୍ୟ ଉପଲବ୍ଧ ହେବ।
ରାଜ୍ୟ ସରକାରଙ୍କ ଏହି ଉଚ୍ଚାଭିଳାଷୀ ଯୋଜନା ଦ୍ୱାରା ରାଜ୍ୟର ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଉନ୍ନତି ଆସି ପାରିବ। ଏହାଦ୍ୱାରା ରାଜ୍ୟର ହସ୍ପିଟାଲ ଗୁଡ଼ିକରେ ଶଯ୍ୟା ଜନିତ ଅଭାବ ୫୬% ପୂରଣ ହୋଇପାରିବ। ଏହି ହସ୍ପିଟାଲଗୁଡ଼ିକର ୫୦ ପ୍ରତିଶତ ଶଯ୍ୟା ସାଧାରଣ ୱାର୍ଡରେ ରହିବ।
ଏହି ହସ୍ପିଟାଲରେ ରାଜ୍ୟରେ କାର୍ଯ୍ୟ କରୁଥିବା ଇନସ୍ୟୁରାନ୍ସ ଓ ଆସ୍ୟୁରାନ୍ସ ଯୋଜନାରେ ରୋଗୀ ସେବା ପାଇବେ। ସ୍ୱତନ୍ତ୍ର ବର୍ଗର ରୋଗୀ ଚିକିତ୍ସା କ୍ଷେତ୍ରରେ ସରକାରୀ ଯୋଜନାର ସୁବିଧା ପାଇପାରିବେ। ମୁଖ୍ୟତଃ ପାରାମେଡିକାଲ କ୍ଷେତ୍ରରେ ଅଧିକ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ମହିଳାମାନେ ବିଶେଷ ଭାବେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।