ଗଙ୍ଗାରେ ଦୁଃସାହସିକ କ୍ରୀଡ଼ା ନିଷିଦ୍ଧ ପାଇଁ ହାଇକୋର୍ଟ ନିର୍ଦେଶ

0

ଡେରାଡୁନ୍‍  : ଉତ୍ତରାଖଣ୍ଡ ହାଇକୋର୍ଟ ବାରମ୍ବାର ଦୁର୍ଘଟଣା ଓ ପରିବେଶ ପ୍ରଦୂଷଣ ଦୃଷ୍ଟିକୋଣରୁ ରାଜ୍ୟରେ ସମସ୍ତ ଦୁଃସାହସିକ ଜଳ କ୍ରୀଡ଼ାକୁ ନିଷିଦ୍ଧ କରିଛନ୍ତି। ଏହାଛଡ଼ା ନଦୀ ପର୍ଯ୍ୟନ୍ତ କୌଣସି ଗାଡ଼ି ମୋଟରକୁ ଯିବା ପାଇଁ ବାରଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଗଙ୍ଗା ନଦୀରେ ୱାଟର ରାଫ୍ଟିଂ ଓ ପାରାଗ୍ଳାଇଡିଂ ଭଳି ଦୁଃସାହସିକ ଜଳ କ୍ରୀଡ଼ା ପାଇଁ ରାଜ୍ୟରେ କୌଣସି ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ ହୋଇ ନଥିବାରୁ ହାଇକୋର୍ଟ ବିରକ୍ତି ପ୍ରକାଶ କରିଛନ୍ତି। ବିଚାରପତି ରାଜୀବ ଶର୍ମା ଓ ଲୋକପାଳ ସିଂହଙ୍କୁ ନେଇ ଠିତ ପୀଠ ଏ କ୍ଷେତ୍ରରେ ସ୍ୱତନ୍ତ୍ର ନୀତି ପ୍ରଣୟନ ପାଇଁ ରାଜ୍ୟ ସରକାରଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି। ତା’ଛଡ଼ା ଜଳ କ୍ରୀଡ଼ା ସମୟରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ପର୍ଯ୍ୟଟକଙ୍କ ମୃତ୍ୟୁ ହେଉଥିବା ନେଇ ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି। କ୍ରୀଡ଼ା ଓ ଆନନ୍ଦ ଯେଭଳି ବିପର୍ଯ୍ୟୟରେ ପରିଣତ ନ ହୁଏ ସେ ଦୃଷ୍ଟିରୁ ଅଭିଜ୍ଞ ପେସାଦାର ବ୍ୟକ୍ତିବିଶେଷଙ୍କ ତତ୍ତ୍ୱାବଧାନରେ ଜଳ କ୍ରୀଡ଼ା ଓ ନୌଚାଳନାକୁ ଅନୁମତି ଦେବା ପାଇଁ ପରାମର୍ଶ ଦେଇଛନ୍ତି। ନଦୀ ନିକଟକୁ ବହୁ ପରିମାଣରେ ଗାଡ଼ି ମୋଟର ଯା’ଆସ କରିବା ଦ୍ୱାରା ସମ୍ପୃକ୍ତ ଅଞ୍ଚଳର ପରିବେଶ ନଷ୍ଟ ହେଉଥିବାରୁ ଏହାର ପ୍ରତିକାର ବିଧାନ ପାଇଁ ହାଇକୋର୍ଟ କହିଛନ୍ତି। ଋଷିକେଶବାସୀ ପରିବେଶବିତ୍‍ ହରି ଓମ୍‍ କାଶ୍ୟପଙ୍କ ଦ୍ୱାରା ଆଗତ ଏକ ଜନସ୍ୱାର୍ଥ ମାମଲାର ବିଚାର ପୂର୍ବକ ହାଇକୋର୍ଟ ଏହି ରାୟ ଦେଇଛନ୍ତି। ଗଙ୍ଗା କୂଳରେ ବେଆଇନ ନିର୍ମାଣ ସହ ଅନିୟନ୍ତ୍ରିତ ଭାବେ ଘରୋଇ ସଂସ୍ଥା ଦ୍ୱାରା ବିପଜ୍ଜନକ କ୍ରୀଡ଼ା ଆୟୋଜନ କରାଯାଉଛି। ଏହାର ପ୍ରତିକାର ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ନୀତି ପ୍ରଣୟନ କରିବାକୁ ନିର୍ଦେଶ ଦେବା ଉଦ୍ଦେଶ୍ୟରେ ସେ ଏହି ଆବେଦନ କରିଥିଲେ।

kalyan agarbati
Leave A Reply