www.samajalive.in
Saturday, December 13, 2025
26.1 C
Bhubaneswar

ତପସ୍ୟାର ଶକ୍ତି

ସ୍କନ୍ଦ ପୁରାଣର ଏହି ପ୍ରସଙ୍ଗ। ଜନୈକ ଶିବଭକ୍ତ ବାହ୍ମଣ ଥିଲେ। ବ୍ରାହ୍ମଣ କିନ୍ତୁ ସନ୍ତାନହୀନ ଥିଲେ। ପ୍ରତିଦିନ ଭଗବାନଙ୍କୁ ପ୍ରାର୍ଥନା କରୁଥିଲେ ପୁତ୍ରଧନ ପ୍ରଦାନ ନିମନ୍ତେ। ଶେଷରେ ଶିବ ପ୍ରସନ୍ନ ହୋଇଥିଲେ। ବ୍ରାହ୍ମଣ ପୁତ୍ରସନ୍ତାନର ଜନକ ହୋଇଥିଲେ, ପୁତ୍ରର ନାମ ରଖିଥିଲେ ଈଶାନ। ଶିବକୃପାରୁ ପୁତ୍ର ଲାଭ ହୋଇଥିବାରୁ ଶିବଙ୍କର ଅନ୍ୟ ଏକ ନାମ ସ୍ବରୂପ ଏହି ନାମ ରଖିଥିଲେ ବ୍ରାହ୍ମଣ।
ବିଡ଼ମ୍ବନା ଏହା ଥିଲା ଯେ ଶିବ କୃପାରୁ ଲାଭ କରିଥିବା ଏହି ପୁତ୍ର ଜନ୍ମରୁ ହିଁ ଘୁଙ୍ଗା ଥିଲା। ପୁତ୍ରହୀନ କାରଣରୁ ବ୍ରାହ୍ମଣ ଯେତେ ଦୁଃଖୀ ନଥିଲେ ଏଭଳି ଘୁଙ୍ଗା ପୁତ୍ରଲାଭ କରିଥିବାରୁ ତା’ଠାରୁ ଅଧିକ ଦୁଃଖୀ ହୋଇପଡ଼ିଲେ। ଏହାର ନିରାକରଣ ପାଇଁ ବ୍ରାହ୍ମଣ ଜଣେ ନାମୀ କବିରାଜଙ୍କୁ ପୁତ୍ରକୁ ଦେଖାଇଥିଲେ। କବିରାଜ ସଫାସଫା କହିଥିଲେ ଏହି ପୁତ୍ର କଦାପି କଥା କହିବାର ଶକ୍ତି ହାସଲ କରିପାରିବନି। ବ୍ରାହ୍ମଣ ଏହାଶୁଣି ଅତି ଦୁଃଖରେ ଭାଙ୍ଗି ପଡ଼ିଥିଲେ- ମନ ସନ୍ତୁଷ୍ଟ ନ ହେବାରୁ ଏକାଧିକ ବୈଦ୍ୟଙ୍କୁ ବ୍ରାହ୍ମଣ ପୁଅକୁ ଦେଖାଇଥିଲେ। ସମସ୍ତେ ସେଇ ଏକାକଥା କହିଥିଲେ। ଏଇ ପୁଅ କଦାପି କଥା କହିବାର ସାମର୍ଥ୍ୟ ହାସଲ କରିବ ନାହିଁ। ଏହାକୁ ଭାଗ୍ୟ ଫଳ ଭାବି ବ୍ରାହ୍ମଣ ପରିଶେଷରେ ନୀରବ ରହିଥିଲେ, ହେଲେ ଶିବଭକ୍ତି ଅତୁଟ ଥିଲା।
ଈଶାନ ବାଲ୍ୟକାଳରୁ କେବଳ ଫଳାହାର କରି ରହୁଥିଲେ। ବଡ଼ ହେଲାପରେ କଥା କହି ପାରୁନଥିଲେ ମଧ୍ୟ ପିତାଙ୍କ ଅତୁଟ ଶିବଭକ୍ତି ଦେଖି ସେ ମଧ୍ୟ ଶିବଭକ୍ତ ହୋଇଯାଇଥିଲେ। ଶିବଙ୍କୁ ଏକାନ୍ତ ଭାବରେ ଭକ୍ତି କରି ମଧ୍ୟ କୌଣସି ସୁଫଳ ମିଳିନଥିଲା। ଆଉ କେତେକାଳ ବା ଅପେକ୍ଷା କରିଥାଆନ୍ତେ। ସିଦ୍ଧାନ୍ତ ନେଲେ ଦେବଦେବ ମହାଦେବଙ୍କୁ କଠୋର ତପସ୍ୟାରେ ପ୍ରସନ୍ନ କରି ନିଜର ଅଭୀଷ୍ଟ ସିଦ୍ଧି ପାଇଁ। ‘ତପେ ବର’କୁ ଆଦରି ନେଲେ। କୈଳାସପତିଙ୍କର ଆଉ ଅନ୍ୟ ଉପାୟ ନଥିଲା। ତପସ୍ୟାରେ ତୁଷ୍ଟ ହୋଇ ଭକ୍ତ ସମ୍ମୁଖରେ ଉଭା ହେଲେ। ସମ୍ମୁଖରେ ଆରାଧ୍ୟ ଦେବତାଙ୍କୁ ଦେଖି ଅନେକ ଦିନର ସ୍ବପ୍ନ ଚରିତାର୍ଥ ହୋଇଥିଲା ଈଶାନଙ୍କର। ଭାବବିଭୋର ହୋଇ ପ୍ରଭୁଙ୍କ ପାଦତଳେ ପଡ଼ିଯାଇଥିଲେ। ପାଟିରୁ କଥା ବାହାରି ନଥିଲା। ଆଖିରୁ ଧାରଧାର ଆନନ୍ଦାଶ୍ରୁ ଗଡ଼ିପଡ଼ିଥିଲା।
ଦେବାଧିଦେବ ପ୍ରସନ୍ନ ହୋଇ କହିଥିଲେ – ‘ବତ୍ସ ଉଠ, ତୁମର ଅତୁଟ ଭକ୍ତିରେ ମୁଁ ପ୍ରସନ୍ନ। କ’ଣ ବର ମାଗୁଛ ମାଗିପାର। ଅଚିରେ ତାହା ପୂରଣ କରିବି।’
ଈଶାନ ଯଦିଚ ଘୁଙ୍ଗା ଥିଲେ କିନ୍ତୁ ପ୍ରଭୁଙ୍କ ଅଲୌକିକ କୃପାରୁ ପ୍ରଥମକରି ତାଙ୍କର ପାଟି ଖୋଲିଥିଲା। କହିଥିଲେ- ପ୍ରଭୁ! ମୋତେ ଜନ୍ମ ମରଣ ଚକ୍ରରୁ ମୁକ୍ତ କରିଦିଅନ୍ତୁ। ‘ନା ପୁତ୍ର! ନାମ ଓ ରୂପଧାରଣକାରୀ କୌଣସି ପରିସ୍ଥିତିରେ ଅଜର, ଅମର ହୋଇ ନପାରନ୍ତି। ଏହା ତ ଅସମ୍ଭବ। ଏଭଳି ବର ମୁଁ ତୁମକୁ ଦେବି ବା କିପରି? ତୁମେ ତୁମର ମନକୁ ଚାହିଁଲାଭଳି ଅନ୍ୟ ଏକ ମୃତ୍ୟୁ ବର ପ୍ରାର୍ଥନା କରିପାର’- କୈଳାସପତି କହିଥିଲେ।
‘ମୋତେ ଏହି ବର ଦିଅନ୍ତୁ କଳ୍ପାନ୍ତରେ ମୋର ଶରୀରରୁ ଗୋଟିଏ ଲେଖା ଲୋମ ଝଡ଼ିବ। ଯେତେବେଳେ ମୋର ଦେହରୁ ସବୁ ଲୋମ ଝଡ଼ିଯିବ ସେତେବେଳେ ମୋର ଅନ୍ତହେବ।’ ‘ତଥାସ୍ତୁ’ କହି ଦେବାଧିଦେବ ମହାଦେବ ତାଙ୍କ ପ୍ରିୟ ଶିଷ୍ୟର କାମନା ପୂର୍ଣ୍ଣ କରିଥିଲେ। ଏହି ଈଶାନ ପରବର୍ତ୍ତୀ ସମୟରେ ଲୋମଶ ଋଷି ନାମରେ ଖ୍ୟାତ ହୋଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories