ଆତଙ୍କବାଦର ମୂଳୋତ୍ପାଟନ ହେବ: ରାଜନାଥ
ଲକ୍ଷ୍ନୌ : ଜାମ୍ମୁ କାଶ୍ମୀରରେ ଏକ ମାସ ବ୍ୟାପୀ ଯୁଦ୍ଧବିରତି ପରେ ଏଣିକି ରାଜ୍ୟରୁ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନଗୁଡିକର ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରାଯିବ ବୋଲି ବୁଧବାର ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେ କହିଛନ୍ତି, ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏଭଳି ଆତଙ୍କବାଦକୁ ଆଦୌ ସହ୍ୟ କରିବ ନାହିଁ ଏବଂ ଏହାକୁ ଦୃଢହସ୍ତରେ ଦମନ କରାଯିବ। ଆତଙ୍କବାଦ ଜର୍ଜରିତ ଜାମ୍ମୁ କାଶ୍ମୀରରେ ଶାନ୍ତି ଫେରାଇ ଆଣିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେନା ଉପରେ କୌଣସି ପ୍ରକାର ରାଜନୈତିକ ଚାପ ନ ଥିବା ଦର୍ଶାଇ ସେନା ମୁଖ୍ୟ ବିପିନ ରାୱତ୍ କହିଛନ୍ତି ଜାମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହେବା ଦ୍ୱାରା ଆତଙ୍କବାଦ ନିରୋଧୀ ଅଭିଯାନ ଉପରେ କୌଣସି ପ୍ରଭାବ ପଡିବ ନାହିଁ। ବରଂ ପୂର୍ବଭଳି ଏହି ଅଭିଯାନ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ଆତଙ୍କବାଦୀମାନେ ରମଜାନ ମାସରେ କେନ୍ଦ୍ର ସରକାରଙ୍କ ଯୁଦ୍ଧବିରତି ଉଲ୍ଲଙ୍ଘନର ସୁଯୋଗ ନେଇ ଗତ ଏକ ମାସ ଧରି ଜାମ୍ମୁ କାଶ୍ମୀରରେ ଯେଭଳି ଆତଙ୍କ ସୃଷ୍ଟି କରିଛନ୍ତି ତାହାକୁ ଦୃଷ୍ଟିରେ ରଖି ସୁରକ୍ଷାବାହିନୀ ଏହାର ଏକ ନୂତନ ଅଭିଯାନ ଆରମ୍ଭ କରିଥିବା ଜଣାପଡିଛି। ଅପରେସନ୍ ଅଲ୍ ଆଉଟ୍ କ୍ରମେ ସୁରକ୍ଷାବାହିନୀ ୧୫୦ ଜଣ ପ୍ରମୁଖ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ସନ୍ଧାନ ଚଳାଇଛି।
ଅନ୍ୟପଟେ ‘ରାଇଜିଂ କାଶ୍ମୀର’ର ସମ୍ପାଦକ ସୁଜାତ ବୁଖାରି ଏବଂ ସହିଦ ସେନା ଯବାନ ଆଉରଙ୍ଗଜେବ୍ଙ୍କ ହତ୍ୟା ଘଟଣାକୁ ଭାରତ ଜାତିସଂଘରେ ଉଠାଇବା ସହିତ ଜାମ୍ମୁ କାଶ୍ମୀରରେ ମାନବିକତା ଉଲ୍ଲଙ୍ଘନ ସମ୍ବନ୍ଧୀୟ ଏହାର ରିପୋର୍ଟକୁ କଡ଼ା ନିନ୍ଦା କରିଛି। ସୀମାପାର ଆତଙ୍କବାଦୀମାନେ କାଶ୍ମୀରରେ ସାଧାରଣ ଜନତାଙ୍କ ସ୍ୱର ଦବାଇବା ଉଦ୍ଦେଶ୍ୟରେ ଏଭଳି ବର୍ବର ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ଜେନେଭାଠାରେ ଜାତିସଂଘ ମାନବିକ ଅଧିକାର ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ରାଜୀବ କେ. ଚନ୍ଦର କହିଛନ୍ତି। ସେହିଭଳି ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବାରୁ ପାକିସ୍ତାନକୁ ଆମେରିକା ମଧ୍ୟ କଡ଼ା ନିନ୍ଦା କରିଛି। ଆତଙ୍କବାଦର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନ ମାଟିରେ ଆତଙ୍କବାଦୀ ସଂଗଠନଗୁଡିକୁ ସମ୍ପୂର୍ଣ୍ଣ ଧ୍ୱଂସ କରାଯିବ ବୋଲି ଆମେରିକା ନାଟୋ ସେନାର ଲେପ୍ଟନାଣ୍ଟ ଜେନେରାଲ ଅଷ୍ଟିନ୍ ମୁଲର ଆମେରିକୀୟ କଂଗ୍ରେସରେ କହିଛନ୍ତି।