www.samajalive.in
Monday, December 8, 2025
14.1 C
Bhubaneswar

ମେ ୩ପରେ ରଥଯାତ୍ରା ନିଷ୍ପତ୍ତି : ବିଧିରକ୍ଷାପାଇଁ ଶ୍ରୀମନ୍ଦିର ଭିତରେ ଚନ୍ଦନଯାତ୍ରା

ପୁରୀ : ମେ ୩ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ବଳବତ୍ତର ଥିବାରୁ ସରକାରୀ କଟକଣା ଅନୁଯାୟୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ କୌଣସି ପର୍ବ ଓ ଯାତ୍ରା ମନ୍ଦିର ବାହାରେ କରାଯିବ ନାହିଁ। ଠାକୁରଙ୍କ ବିଧି ରକ୍ଷାପାଇଁ ଶ୍ରୀମନ୍ଦିର ଭିତରେ ୨୧ଦିନ ଧରି ଠାକୁରଙ୍କ ଚନ୍ଦନଯାତ୍ରା ପାଳନ କରାଯିବ। ଏହାଛଡା ପରମ୍ପରା ଅନୁଯାୟୀ ରଥ ନିର୍ମାଣ ଅନୁକୂଳ କରାଯିବ। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କ ସହ ଆଲୋଚନା ପରେ ଶୁକ୍ରବାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମଧ୍ୟରେ କେଉଁ ସ୍ଥାନରେ ଅକ୍ଷୟତୃତୀୟା ନୀତି ପାଳନ କରାଯିବ ସେ ସମ୍ପର୍କରେ ଜିଲାପାଳ ଏବଂ ଏସ୍‌ପି ଶନିବାର ସଂପୃକ୍ତ ସେବକଙ୍କ ସହ ଆଲୋଚନା କରିବେ। ଲକ୍‌ଡାଉନ ଅବଧି ଶେଷ ହେବାପରେ ସରକାରଙ୍କ ନୂଆ ନିର୍ଦେଶନାମାକୁ ଭିତ୍ତିକରି ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ପ୍ରକାଶ କରିଛନ୍ତି। କୋଭିଡ ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କଟକଣା ପାଳନ କରିବାକୁ​ ପରିଚାଳନା କମିଟି ବୈଠକରେ ସ୍ଥିର କରାଯାଇଛି। ଗଜପତି ମହାରାଜା ସେଥିରେ ଅଧ୍ୟକ୍ଷତା କରିଥିଲେ। ଅକ୍ଷୟ ତୃତୀୟାଠାରୁ ହେବାକୁ ଥିବା ଶ୍ରୀଜୀଉଙ୍କ ଚନ୍ଦନଯାତ୍ରା, ରଥ ନିର୍ମାଣ ଅନୁକୂଳ ସମେତ ସ୍ନାନଯାତ୍ରା ଏବଂ ରଥଯାତ୍ରା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। କରୋନା ବିପତ୍ତି ଯୋଗୁଁ ପାଳିଆ ସେବକଙ୍କ ଦ୍ବାରା ସୀମିତ ସଂଖ୍ୟକ ପୁଲିସ କର୍ମଚାରୀଙ୍କ ସହଯୋଗରେ ରଥଯାତ୍ରା କରାଯିବାକୁ ସେବକ ସଭ୍ୟମାନେ ପ୍ରସ୍ତାବ ଦେଇଥିଲେ। ପୁରୀ ସହରକୁ ଲୋକଙ୍କ ପ୍ରବେଶ ଉପରେ ବର୍ତ୍ତମାନ ପରି କଟକଣା ଜାରି କରାଯିବାକୁ ସେମାନେ ମତ ଦେଇଥିଲେ। ଏହି ପ୍ରସଙ୍ଗକୁ ନେଇ ଦୀର୍ଘସମୟ ଧରି ବୈଠକରେ ଆଲୋଚନା କରାଯାଇଥିଲା। ନରେନ୍ଦ୍ର ପୁଷ୍କରିଣୀରେ ଚନ୍ଦନଯାତ୍ରା ଏବଂ ରଥ ଅନୁକୂଳ କରାଗଲେ ଲକ୍‌ଡାଉନ କଟକଣା ଉଲ୍ଲଙ୍ଘନ ହେବବୋଲି ମନ୍ଦିର ପ୍ରଶାସନର ଜଣେ ଅଧିକାରୀ ପ୍ରକାଶ କରିଥିଲେ। ତେଣୁ ଲକ୍‌ଡାଉନ ଅବଧି ଶେଷହେବା ପରେ ପରିଚାଳନା କମିଟିର ଆଉଏକ ବୈଠକ ଡକାଯାଇ ରଥଯାତ୍ରା ସମ୍ପର୍କରେ ନିଷ୍ପତ୍ତି ଗ୍ରହଣ କରାଯିବାକୁ ସ୍ଥିର ହୋଇଛି।
ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ ଗଜପତି ମହାରାଜା ଶ୍ରୀ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର, ଜିଲାପାଳ ବଲୱନ୍ତ ସିଂହ ଏବଂ ଏସ୍‌ପି ଡଃ ଉମାଶଙ୍କର ଦାଶ ସନ୍ଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରିଥିଲେ। ଲକ୍‌ଡାଉନ କଟକଣା ଯୋଗୁଁ ଠାକୁରଙ୍କ ଚନ୍ଦନଯାତ୍ରା ନୀତି ନରେନ୍ଦ୍ର ପୁଷ୍କରିଣୀ ପରିବର୍ତ୍ତେ ଶ୍ରୀମନ୍ଦିର ପରିସରରେ ବିଧି ରକ୍ଷାପାଇଁ ପାଳନ କରାଯିବାକୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ଶ୍ରୀଜୀଉଙ୍କ ରଥଯାତ୍ରା ଆଉ ୨ମାସ ବାକିଥିବାରୁ ସେତେବେଳର କରୋନା ସ୍ଥିତି ଏବଂ ସରକାରୀ କଟକଣାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯିବାକୁ ସ୍ଥିର ହୋଇଛି। ମହନ୍ତ ବାବା ସଚ୍ଚିଦାନନ୍ଦ ଦାସ, ଡଃ ସିଦ୍ଧେଶ୍ବର ମହାପାତ୍ର, ରାମଚନ୍ଦ୍ର ଦାସମହାପାତ୍ର, ମାଧବ ମହାପାତ୍ର, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ମାଧବ ପୂଜାପଣ୍ଡା, ଅନନ୍ତ ତିଆଡି, ପଦ୍ମଭୂଷଣ ରଘୁନାଥ ମହାପାତ୍ର, ପ୍ରଶାସକ (ନୀତି) ଜୀତେନ୍ଦ୍ର କୁମାର ସାହୁ ପ୍ରମୁଖ ପରିଚାଳନା କମିଟି ବୈଠକରେ ଉପସ୍ଥିତ ଥିଲେ।
ଶ୍ରୀମନ୍ଦିର ପରିଚାଳନା କମିଟି ସ୍ଥାୟୀ ସଭାପତି ଗଜପତି ମହାରାଜା ଶ୍ରୀଦିବ୍ୟସିଂହ ଦେବ ସାମ୍ବାଦିକ ସମ୍ମିଳନୀରେ କହିଲେ :- ଲକ୍‌ଡାଉନ ନିୟମ ଯୋଗୁଁ ମେ ୩ତାରିଖ ପୂର୍ବରୁ ଠାକୁରଙ୍କ କୌଣସି ଯାନିଯାତ୍ରା ମନ୍ଦିର ବାହାରେ ହୋଇପାରିବ ନାହିଁ। ସରକାରଙ୍କ ନିର୍ଦେଶ ପାଳନ କରିବାକୁ ପରିଚାଳନା କମିଟି ବାଧ୍ୟ। ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ପର୍ବ ସ୍ନାନଯାତ୍ରା, ଅଣସର ବିଧି, ଶ୍ରୀଗୁଣ୍ଡିଚା, ବାହୁଡା, ସୁନାବେଶ ଓ ନୀଳାଦ୍ରିବିଜେ ପାଇଁ ସମୟ ଅଛି। କେନ୍ଦ୍ର ସରକାରଙ୍କ ନୂଆ ଗାଇଡ ଲାଇନ ଅନୁଯାୟୀ ମେ ୩ କିମ୍ବା ୪ତାରିଖରେ ପୁଣିଥରେ ପରିଚାଳନା କମିଟି ବୈଠକ ବସି ମହାପ୍ରଭୁଙ୍କ ଯାତ୍ରା କ’ଣ ହେଇପାରିବ ଏବଂ କ’ଣ ନହୋଇପାରିବ ସେ ସମ୍ପର୍କରେ ବ୍ୟବସ୍ଥା କରାଯିବ। ସରକାରଙ୍କ ନିଷ୍ପତ୍ତି ଜନକଲ୍ୟାଣ ପାଇଁ ଉଦ୍ଦିଷ୍ଟ ଥିବାରୁ ଜନସାଧାରଣଙ୍କ ସ୍ବାସ୍ଥ୍ୟ ଓ ଜୀବନର ସୁରକ୍ଷା ପାଇଁ ତାହା ପାଳନ କରିବାକୁ ଆମେ ବାଧ୍ୟ। ଧର୍ମର ପାଳନ ଆମେ ଏମିତି କରିବା ନାହିଁ ଯାହାଦ୍ବାରା ମାନବ ସମାଜର ଜୀବନ ବିପଦରେ ପଡିବ। ତେଣୁ ସମ୍ବିଧାନର ଧାରା ୨୫ ଓ ୨୬ରେ ଧାର୍ମିକ ଅଧିକାର କଥା ରହିଥିଲେ ମଧ୍ୟ କ’ଣ କଲେ କରୋନା ବିପତ୍ତି ଦୂର ହୋଇପାରିବ ସେ ସମ୍ପର୍କରେ ସରକାର ନିଷ୍ପତ୍ତି ଗ୍ରହଣ କରିବେ। ଆମେ ନାଗରିକ ହିସାବରେ ସରକାରଙ୍କ ନିଷ୍ପତ୍ତିକୁ ନିଷ୍ଠାର ସହ ପାଳନ କରିବା ଉଚିତ ବୋଲି ସେ କହିଛନ୍ତି। ଦେବନୀତି ଯେପରି ପାଳନ କରାଯିବ ଏବଂ କରୋନା ବିପତ୍ତି ଦୂରହେବ ଏହି ଦୁଇଟି ଭାବନା ଓ ନିବେଦନକୁ ଦୃଷ୍ଟିରେ ରଖି ସରକାର ଆମକୁ କିଭଳି ବାଟ ଦେଖାଇ ପାରିବେ ସେଥିନେଇ ପରିଚାଳନା କମିଟି ମତ ରଖିବ। ବିଶ୍ବରେ ଯେତିକି ଜଗନ୍ନାଥପ୍ରେମୀ ଭକ୍ତ ଅଛନ୍ତି ସେମାନଙ୍କ ଆସ୍ଥା, ଭାବନା ଓ ଶକ୍ତି ଠାକୁରଙ୍କ ନୀତି ସହ ଜଡ଼ିତ। ତେଣୁ କୋଭିଡ- ୧୯ର କୌଣସି ରିକ୍ସ ନନେଇ ବିପଦକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରି ମହାପ୍ରଭୁଙ୍କ ଯାତ୍ରା କିପରି ପାଳନ କରାଯିବ ସେ ସମ୍ପର୍କରେ ସରକାର ନିଷ୍ପତ୍ତି ନେବେବୋଲି ସେ ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories