ବିଶ୍ୱକପ୍ ହକି : ପ୍ରସ୍ତୁତି କାର୍ଯ୍ୟ ତଦାରଖ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ୧୪ତମ ବିଶ୍ୱକପ ହକି ପ୍ରତିଯୋଗିତା ଖେଳାଯିବ। ଏହି ପ୍ରତିଯୋଗିତା ଲାଗି ଷ୍ଟାଡ଼ିୟମରେ ଚାଲିଥିବା ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ରବିବାର ତଦାରଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଳିଙ୍ଗ ଷ୍ଟାଡ଼ିୟମ ହକି କମ୍ପେ୍ଲକ୍ସ, ଗ୍ୟାଲେରୀ ନବୀକରଣ, ପଡ଼ିଆ ଓ ଷ୍ଟାଡିୟମର ଅନ୍ୟାନ୍ୟ କାର୍ଯ୍ୟ ତଦାରଖ କରିଥିଲେ। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ା ପ୍ରତିଯୋଗିତାକୁ ସଫଳତାର ସହିତ ପରିଚାଳନା କରିବା ନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛନ୍ତି। ପୂର୍ବରୁ ଏସୀୟ ଦୌଡ଼କୁଦ, ବିଶ୍ୱ ହକି ଲିଗ୍ ଫାଇନାଲ ଭଳି ପ୍ରତିଯୋଗିତା ସଫଳତାର ସହିତ ପରିଚାଳିତ ହୋଇଛି। ପୁରୁଷ ହକି ବିଶ୍ୱକପକୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ କ୍ରୀଡ଼ା ପ୍ରତିଯୋଗିତାରେ ପରିଣତ କରିବା ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ। ଏଥିପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟ ସଠିକ୍ ଭାବେ ଆଗେଇ ଚାଲିଛି। ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ଶେଷ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସୂଚନା ଦେଇଥିଲେ। ଗ୍ୟାଲେରୀରେ ଦର୍ଶକ କ୍ଷମତା ଆଉ ୧୫ ହଜାର ବୃଦ୍ଧି କରାଯାଇଛି। ଏଥିପାଇଁ ନୂତନ ଭାବେ ଗ୍ୟାଲେରୀ ସଂପ୍ରସାରଣ କରାଯାଇଛି। ଗ୍ୟାଲେରୀ ସଂପ୍ରସାରଣ କାର୍ଯ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଅବଶିଷ୍ଟ କାର୍ଯ୍ୟ ତୁରନ୍ତ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ସେହିପରି ନୂତନ ଭାବେ ମୁଖ୍ୟ ପଡ଼ିଆ ଓ ଅଭ୍ୟାସ ପଡ଼ିଆରେ ବିଛାଯିବାକୁ ଥିବା ଜର୍ମାନ ସିନ୍ଥେଟିକ୍ ଟର୍ଫର କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି। ଜର୍ମାନୀ ବିଶେଷଜ୍ଞଙ୍କ ଦ୍ୱାରା ଦୁଇ ଗ୍ରାଉଣ୍ଡ ଲେବୁଲ କାର୍ଯ୍ୟ ଚାଲିଛି। ଖୁବଶୀଘ୍ର ଟର୍ଫ ଆସିବା ସହିତ ବିଛାଯିବ। ଏହାଛଡ଼ା ଷ୍ଟାଡ଼ିୟମ ଭିତରେ ଚାଲିଥିବା ରାସ୍ତାଘାଟ, ଡ୍ରେନେଜ, ପାର୍କିଂ ଓ ଷ୍ଟାଡ଼ିୟମ ମୁଖ୍ୟ ପ୍ରବେଶ ପଥ ସଂପ୍ରସାରଣ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଶେଷ ହେବ ବୋଲି କ୍ରୀଡ଼ା ଓ ଯୁବ ସେବା ବିଭାଗ ନିର୍ଦେଶକ ଆର. ବିନୀଳ କୃଷ୍ଣ କହିଛନ୍ତି। ଏହି ଅବସରରେ ପ୍ରତିଯୋଗିତା ଲାଗି ପ୍ରସ୍ତୁତ ହେବାକୁ ଥିବା ଷ୍ଟାଡ଼ିୟମର ଶେଷ ଲୁକ୍ର ଏକ ଭିଡ଼ିଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦେଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ସଚିବ ବିଶାଳ ଦେବ, ଉପସଚିବ ବେଦବନ୍ଧୁ ମିଶ୍ର, ଇଡ୍କୋ ସିଏମ୍ଡ଼ି ସଞ୍ଜୟ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।