ଚୀନ୍ ଛାଡ଼ି ଆସିବାକୁ ଦ.କୋରିଆ, ଜାପାନ କମ୍ପାନୀଙ୍କ ସଜବାଜ
ଭାରତରୁ ଉତ୍ପାଦନ ପାଇଁ ୧୦୦୦ ବିଦେଶୀ କମ୍ପାନୀ ଆଗ୍ରହୀ
ଅଧିକ ପ୍ରୋତ୍ସାହନ, ଟିକସ ହ୍ରାସ, ଭିତ୍ତିଭୂମି ସଜାଡ଼ିବା ଦରକାର : ବିଶେଷଜ୍ଞ
ନୂଆଦିଲ୍ଲୀ : ସମ୍ପ୍ରତି ବିଶ୍ବବ୍ୟାପୀ କରୋନା ସଂକ୍ରମଣ ଆତଙ୍କ ଖେଳାଇ ଦେଇଥିବାବେଳେ ଆମେରିକା ସହ ଚୀନ୍ର ବାଣିଜ୍ୟ ଯୁଦ୍ଧକୁ ନେଇ ଦକ୍ଷିଣକୋରିଆ ଓ ଜାପାନ କମ୍ପାନୀ ଗୁଡିକର ଚିନ୍ତା ବହୁଗୁଣ ବଢିଯାଇଛି। କରୋନା ସଂକ୍ରମଣ ଚୀନ୍ ବଢାଉଥିବା ନେଇ ଆମେରିକା ସିଧାସଳଖ ଦାୟୀ କରିବା ପରେ ବାଣିଜ୍ୟ ସ୍ଥିତି ଅଧିକ ବିଗିଡିଛି। ବର୍ତ୍ତମାନ ଉଭୟ ଦକ୍ଷିଣ କୋରିଆ ଓ ଜାପାନ ଭଳି କମ୍ପାନୀଗୁଡିକ ଚୀନ୍ ଛାଡିବାକୁ ମନସ୍ଥ କରିଛନ୍ତି ା ଚୀନ୍ରୁ ସେମାନଙ୍କର ପ୍ରକଳ୍ପ ଭାରତକୁ ସ୍ଥାନାନ୍ତର କରିବାକୁ ବିଚାର କରୁଛନ୍ତି । ପ୍ରାୟ ୧୦୦୦ ବିଦେଶୀ କମ୍ପାନୀ ଭାରତରୁ ଉତ୍ପାଦନ ଆରମ୍ଭ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏ ନେଇ ଚେନ୍ନଇଠାରେ ଅବସ୍ଥାପିତ କୋରିଆର କନସୁଲେଟ୍ଙ୍କ କାର୍ଯ୍ୟାଳୟ ସହ ଅନେକ ଦକ୍ଷିଣ କୋରିଆ କମ୍ପାନୀ ଯୋଗାଯୋଗ କରୁଥିବା ଜଣାଯାଇଛି । ଏ ସମ୍ପର୍କରେ କୋରିଆ ଗଣରାଜ୍ୟର କନସଲେଟ ଜେନେରାଲ ୟୁପ ଲି କହିଛନ୍ତି ଯେ, ଚାଇନାରେ କାର୍ଯ୍ୟରତ ଦକ୍ଷିଣକୋରିଆ କମ୍ପାନୀ ସମ୍ପ୍ରତି ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛନ୍ତି। ଆମକୁ ଦୁଇଟି ଇସ୍ପାତ କମ୍ପାନୀ, କେତେକ ଷ୍ଟାର୍ଟ ଅପ୍ ଏବଂ ଗୋଟିଏ ଆତିଥେୟତା କ୍ଷେତ୍ରରୁ ଗୋଟିଏ କରି ପ୍ରସ୍ତାବ ଆସିଛି। ଏହି ପ୍ରସ୍ତାବ ଗୁଡିକ ଚାଇନା ଛାଡି ଭାରତ ଆସିବାକୁ କମ୍ପାନୀ ଗୁଡିକ ପକ୍ଷରୁ ଦିଆଯାଇଛି। ଭାରତ ସରକାର ପୋସ୍କୋ ଏବଂ ହ୍ୟୁଣ୍ଡାଇ ଷ୍ଟିଲ କମ୍ପାନୀର ପ୍ରସ୍ତାବ ପ୍ରତି ଆଗ୍ରହ େଦଖାଇଛନ୍ତି। ବର୍ତ୍ତମାନ କୋଭିଡ୍-୧୯ ଯୋଗୁ ଏହି ନିବେଶ ପ୍ରକ୍ରିୟା ବିଳମ୍ବିତ ହେଉଥିବା ଜଣାଯାଇଛି ।
ଏହି ପରିିପ୍ରେକ୍ଷୀରେ ଶିଳ୍ପାୟନକୁ ଗୁୁୁରୁୁତ୍ୱ ଦେଉଥିବା ଓଡିଶା ସରକାର ଦକ୍ଷିଣକୋରିଆ ଏବଂ ଜାପାନର କମ୍ପାନୀଙ୍କୁ ରାଜ୍ୟରେ ନିବେଶ ପାଇଁ ଆକୃଷ୍ଟ କରିବା କ୍ଷେତ୍ରରେ ଏକ ବଡ ସୁଯୋଗ ସୃଷ୍ଟି ହୋଇଛି। ଏକ ସ୍ଥିର ସରକାର, ଦକ୍ଷ ପ୍ରଶାସନିକ ବ୍ୟବସ୍ଥା ସହ ଭୌଗୋଳିକ ଉପସ୍ଥିତି ଓଡ଼ିଶା ସପକ୍ଷରେ ରହିଛି । ଏହି ଦୃଷ୍ଟିରୁ ବିଦେଶୀ କମ୍ପାନୀ ଓଡ଼ିଶାକୁ ସେମାନଙ୍କର ପ୍ରକଳ୍ପ କ୍ଷେତ୍ର ଭାବେ ବିବେଚନା କରିବା କିଛି ବଡ କଥା ନୁହେଁ। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପାଖରେ ପୋସ୍କୋ ଏବଂ ମିତ୍ତଲ ପ୍ରକଳ୍ପର ତିକ୍ତ ଅନୁଭୂତି ରହିଛି। ଏଥର ରାଜ୍ୟ ସରକାରଙ୍କୁ ଅନ୍ୟ ରାଜ୍ୟ ଭଳି ବିଦେଶୀ କମ୍ପାନୀଙ୍କୁ ଅଧିକ ପ୍ରୋତ୍ସାହନ ଏବଂ ବିଭିନ୍ନ କ୍ଷେତ୍ରରେ ଟିକସ ରିଆତି ଦେବାକୁ ହେବ। ଏମିତିକି ସରକାରଙ୍କୁ ତାଙ୍କର ଭିତ୍ତିଭୂମି ସଜାଡ଼ିବାକୁ ପଡିବ। ଇସ୍ପାତ ଏବଂ ଆଲୁମିନିୟମ ଭଳି ପାରମ୍ପରିକ କ୍ଷେତ୍ରକୁ ଛାଡି ରାଜ୍ୟ ସରକାରଙ୍କୁ ଔଷଧ, ଆଇଟି, ରସାୟନ, ହୋଟେଲ, ପେଟ୍ରୋକେମିକାଲ, ଇଲେକଟ୍ରୋନିକ୍ସ ଭଳି ନୂଆ ନୂଆ କ୍ଷେତ୍ରକୁ ନିବେଶ ଆକର୍ଷଣ କରିବାକୁ ହେବ, ଯେଉଁଠାରେ ବୃହତ ବଦଳରେ କମ ସ୍ଥାନରେ ଅଧିକ ଲୋକ ନିଯୁକ୍ତି ପାଇପାରୁଥିବେ ସେଭଳି କ୍ଷେତ୍ରକୁ ବାଛିବାକୁ ହେବ ବୋଲି ଶିଳ୍ପ କ୍ଷେତ୍ର ସହ ଜଡିତ ବିଶେଷଜ୍ଞମାନେ କହିଛନ୍ତି। କରୋନା ଜନିତ ସୃଷ୍ଟ ସ୍ଥିତି କେତେକାଂଶରେ ଓଡ଼ିଶା ପାଇଁ ଏକ ସୁଯୋଗ କୁହାଯାଇପାରିବ । ଏ ସମ୍ପର୍କରେ ପୂର୍ବତନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କୁହନ୍ତି, ପ୍ରଥମ ଦୁଇ ମେକ୍ ଇନ୍ ଓଡ଼ିଶା ସମ୍ମିଳନୀ ଜରିଆରେ ରାଜ୍ୟକୁ ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ରାଜ୍ୟକୁ ବିଦେଶୀ କମ୍ପାନୀଙ୍କ ପୁଞ୍ଜି ଆକର୍ଷିତ କରିବା ଲାଗି ଆମେ ଜାପାନ ଏବଂ ସିଙ୍ଗାପୁର ଭଳି ରାଷ୍ଟ୍ରରେ ରୋଡ୍ ସୋ’ ସହ ବି-ଟୁ-ବି ମିଟିଂ କରିଥିଲୁ । ସେତେବେଳେ ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ଔଷଧ, ଇଲେକ୍ଟ୍ରୋନିକ୍ସ ଏବଂ ଇସ୍ପାତ କମ୍ପାନୀ ଆଗ୍ରହ ଦେଖାଇଛନ୍ତି। ଏହି କମ୍ପାନୀମାନଙ୍କ ହିସାବରେ ଓଡ଼ିଶା ହେଉଛି ଦକ୍ଷିଣ ଏସିଆର ପ୍ରବେଶ ପଥ । ପୂର୍ବରୁ ଓଡ଼ିଶା ସରକାର ବିଦେଶୀ ନିବେଶକଙ୍କୁ ରାଜ୍ୟକୁ ଆକୃଷ୍ଟ କରିବା କ୍ଷେତ୍ରରେ ଯେଉଁସବୁ ଉଦ୍ୟମ କରିଛନ୍ତି ତାହା ନିଶ୍ଚିତ ଭାବେ ସକାରାତ୍ମକ ଫଳ ଦେବ।
ସିଆଇଆଇ ଓଡିଶାର ଉପସଭାପତି ମନୀଷ ଖରବନ୍ଦା କୁହନ୍ତି, ଓଡ଼ିଶା ଏହାର ସମୃଦ୍ଧ ଐତିହ୍ୟ, ସ୍ଥିର ନେତୃତ୍ୱ ଏବଂ ଦକ୍ଷ ଅମଲାତାନ୍ତ୍ରିକ ବ୍ୟବସ୍ଥା ପାଇଁ ବିଦେଶୀ ନିବେଶକଙ୍କ ଲାଗି ଏକ ଆକର୍ଷଣୀୟ ନିବେଶ କ୍ଷେତ୍ରର ମାନ୍ୟତା ବହନ କରୁଛି। ପରିପୂର୍ଣ ଖଣିଜ ସମ୍ପଦ ଏବଂ ଦ୍ରୁତ ଶିଳ୍ପାୟନ ଓଡିଶାକୁ ଏ କ୍ଷେତ୍ରରେ ବିଦେଶୀ କମ୍ପାନୀଙ୍କୁ ଏଠାକୁ ଆକୃଷ୍ଟ କରିବାରେ ଏକ ବଡ ଲାଭଦାୟକ ହୋଇପାରେ । ଆହୁରିମଧ୍ୟ ସଡକ, ରେଳପଥ, ସ୍ଲରି, ବନ୍ଦର ଏବଂ ଜଳମାର୍ଗ ଭିତ୍ତିଭୂମିକୁ ମଧ୍ୟ ସୁଦୃଢ କରିବାକୁ ହେବ ।
ଓଡ଼ିଶା ହାତଛଡ଼ା କରିବନି
ମନ୍ତ୍ରିସ୍ତରୀୟ କମିଟି ଗଠନ ସହ କେନ୍ଦ୍ରକୁ ଦିଆଯାଇଛି ରିପୋର୍ଟ : ଶିଳ୍ପ ସଚିବ
ଏ ସମ୍ପର୍କରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି ଯେ ରାଜ୍ୟ ସରକାର ଏହାକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି। ଏହାକୁ ନେଇ ସୋମବାର ମନ୍ତ୍ରିସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଏ ନେଇ କେନ୍ଦ୍ର ସରକାରଙ୍କୁ ଓଡ଼ିଶାର ଅନୁକୂଳ ଶିଳ୍ପ ପରିବେଶ ଓ ସ୍ଥିତାବସ୍ଥା ସମ୍ପର୍କରେ ପୂର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରାଯାଇଛି। ଚୀନ୍ରୁ ଯେଉଁ ଶିଳ୍ପ ସଂସ୍ଥା ଓହରିବେ ତାଙ୍କୁ ରେଡ଼ିମେଡ ଭିତ୍ତିଭୂମି ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁସବୁ ଭିତ୍ତିଭୂମି ଶିଳ୍ପସଂସ୍ଥା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ତା’ର ଏକ ଚିଠା ପ୍ରଦାନ କରାଯାଇଛି।
ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ (ୟୁସିସିଆଇ)ର ସଭାପତି ରମେଶ ଚନ୍ଦ୍ର ମହାପାତ୍ର କୁହନ୍ତି, ଓଡିଶାକୁ ବାହାରୁ ବଡ କମ୍ପାନୀ ଆସିବା କ୍ଷେତ୍ରରେ କେତେକ ବଡ ପ୍ରତିବନ୍ଧକ ରହିଛି। ତାହାହେଲା ଏଠାକାର ଭିତ୍ତିଭୂମି ସମସ୍ୟା । ଏଠାକୁ ସିଧାସଳଖ ଅନେକ ଅନ୍ତର୍ଜାତୀୟ ବିମାନ ଉଡାଣ ସୁବିଧା ନାହିଁ। ଖଣି ଲିଜ୍ ଲୋଭରେ ଓଡିଶାକୁ କେତେକ କମ୍ପାନୀ ଆସୁଛନ୍ତି। ରାଜ୍ୟ ସରକାର ସ୍ୱତନ୍ତ୍ର ପ୍ରୋତ୍ସାହନ ଦେଲେ କମ୍ପାନୀ ଆସିବେ। ଜାପାନ ଓ ଦକ୍ଷିଣକୋରିଆର ଭଲ ଷ୍ଟାର୍ଟଅପକୁ ଓଡିଶାକୁ ଆକର୍ଷିତ କରିବାର ବେଶ ସୁଯୋଗ ରହିଛି ।
Comments are closed.