ସ୍ମିଥ ପରେ ଚାଣ୍ଡିମଲଙ୍କ ଉପରେ ବଲ ଟ୍ୟାମ୍ପରିଂ ଅଭିଯୋଗ
ଦୁବାଇ : ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥଙ୍କ ପରେ ଶ୍ରୀଲଙ୍କା ଅଧିନାୟକ ଦୀନେଶ ଚାଣ୍ଡିମଲଙ୍କ ଉପରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆସିଛି। ତାଙ୍କ ବିରୋଧରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ନିୟମ ଉଲଙ୍ଘନ ଅଭିଯୋଗ କରାଯାଇଛି। ୱେଷ୍ଟଇଣ୍ଡିଜ୍ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଦିତ୍ୱୀୟ ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ବଲ ଟ୍ୟାମ୍ପରିଂ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ରବିବାର ନିଜର ଟୁଇଟର ଆକାଉଣ୍ଟ ମାଧ୍ୟମରେ ଲେଖିଛନ୍ତି ଶ୍ରୀଲଙ୍କା ଅଧିନାୟକ ଚାଣ୍ଡିମଲ ୨.୨.୯ ସ୍ତର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ଆସିଛି। ଏହି ଅଭିଯୋଗକୁ ଶ୍ରୀଲଙ୍କା ଦଳ ଖଣ୍ଡନ କରିଛି। ଏହି ଟେଷ୍ଟ ମ୍ୟାଚର ତୃତୀୟ ଦିନରେ ବଲକୁ ଖରାପ ଭାବରେ ଚମକା ଯାଇଥିବାରୁ ବିପକ୍ଷ ଦଳକୁ ଅତିରିକ୍ତ ୫ରନ୍ ପ୍ରଦାନ କରାଯିବା ସହ ବଲକୁ ବଦଳାଇବା ପାଇଁ ଅମ୍ପୟାର ନିର୍ଦେଶ ଦେଇଥିଲେ। ଶ୍ରୀଲଙ୍କା କ୍ରିକେଟ ଦଳ ଏହାକୁ ଖଣ୍ଡନକରି ଖେଳାଳି ମାନଙ୍କ ସପକ୍ଷରେ ମତ ପ୍ରଦାନ କରିଛି। ମ୍ୟାଚ ଶେଷ ହେବା ପରେ ତଦନ୍ତ କରାଯିବ ଓ ନିୟମ ଉଲ୍ଲଙ୍ଘନ କରାଯାଇଥିବା ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି। ପ୍ରକାଶଯୋଗ୍ୟ ଯେ ଚଳିତ ବର୍ଷ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ ସମୟରେ ଅଷ୍ଟ୍ରେଲିଆ ପୂର୍ବତନ ଅଧିନାୟକ ଷ୍ଟିଭେନ ସ୍ମିଥ ଓ ଉପଅଧିନାୟକ ଡେଭିଡ ୱାର୍ଣ୍ଣରଙ୍କ ବିରୋଧରେ ବଲ ଟ୍ୟାମ୍ପରିଂ ଅଭିଯୋଗ ଆସିଥିଲା। ଅଭିଯୋଗ ପ୍ରମାଣିତ ହେବା ପରେ ସେମାନଙ୍କୁ ଅନ୍ତର୍ଜାତୀୟ କ୍ରିକେଟରୁ ବର୍ଷେ ପର୍ଯ୍ୟନ୍ତ ବାସନ୍ଦ କରାଯାଇଛି।