ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ : ୧୪ ମୃତ, ୪୫ ଆହତ

0

ଜଲାଲାବାଦ : ପୂର୍ବ ଆଫଗାନିସ୍ତାନ ନାନଗାରହାର ପ୍ରଦେଶରେ ରବିବାର ଏକ ଆତ୍ମଘାତୀ ବିସ୍ଫୋରଣରେ ଅନ୍ୟୁନ୍‍ ୧୪ ଜଣ ପ୍ରାଣ ହରାଇଛନ୍ତି ଓ ୪୫ ଜଣ ଆହତ ହୋଇଛନ୍ତି। ନାନଗାରହାର ପ୍ରଦେଶର ରାଜଧାନୀ ଜଲାଲାବାଦଠାରେ ଅବସ୍ଥିତ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆଗରେ ଏହି ବିସ୍ଫୋରଣ ଘଟିଛି। ଏହି ସ୍ଥାନଟି ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ନିକଟେ ଅବସ୍ଥିତ ବୋଲି ଆଫଗାନିସ୍ତାନ ସରକାରଙ୍କ ମୁଖପାତ୍ର ଅତାଉଲ୍ଲା ଖୋଗ୍ୟାନି ପ୍ରକାଶ କରିଛନ୍ତି। ଆଫଗାନିସ୍ତାନ ସୁରକ୍ଷା ସଂସ୍ଥା ମୃତ୍ୟୁସଂଖ୍ୟା ୧୦ କୋହୁଥିବାବେଳେ ଅତାଉଲ୍ଲା ମୃତ୍ୟୁସଂଖ୍ୟା ୧୪ ବୋଲି କହିଛନ୍ତି। ବିସ୍ଫୋରଣ ପାଇଁ କୌଣସି ଆତଙ୍କବାଦୀ ଦଳ ନିଜକୁ ଦାୟୀ କରିନାହାନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପରିସରରେ ଇଦ୍‍ ଛୁଟିଦିନ ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଲୋକମାନେ ଫେରୁଥିବାବେଳେ ଏହି ଆତ୍ମଘାତୀ ବିସ୍ଫୋରଣ ଘଟିଥିଲା। ପ୍ରକାଶ ଯେ ଶନିବାର ପୂର୍ବ ନାନଗାରହାର ଅଞ୍ଚଳରେ ଏକ ଆତ୍ମଘାତୀ ବିସ୍ଫୋରଣରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିଲା ଓ ୬୫ ଜଣ ଆହତ ହୋଇଥିଲେ। ଏହି ଆକ୍ରମଣ ପାଇଁ ଆଇଏସ୍‍ ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିଥିଲା।

Leave A Reply