ଉଜୁଡ଼ା ବିଶ୍ବାସବୋଧ

0

‘ସମ୍ପତ୍ତି’ ଯେଉଁଠି, ଚୋରି ହେବା, ହଜିବା ଘଟଣା ଓ ଆଶଙ୍କା ସେଇଠି । ମନ, ଧନ ଓ ଜ୍ଞାନ ସମ୍ପତ୍ତି ଅନ୍ତର୍ଗତ । ସମ୍ପତ୍ତି ତ ପ୍ରତିଷ୍ଠା, ପ୍ରଭୁତ୍ୱ ଓ ବ୍ୟକ୍ତିତ୍ୱର କାରଣ । ସମ୍ପତ୍ତି ବିବର୍ଜିତ ଦରିଦ୍ର, ରାଶି ରାଶି ଗୁଣ ନାଶର କାରଣ ହୋଇଥାଏ । କାଳିଦାସ ମହାକବି କହିଲେ, “ଦାରିଦ୍ର୍ୟଦୋଷ ଗୁଣରାଶି ନାଶୀ” । ଏ ସଂସାରରେ ଦରିଦ୍ର ଜୀବନ ସର୍ବଦା ଓ ସର୍ବଥା ଦୁଃସହ ଓ ଅନାଦରଣୀୟ ହୋଇଥାଏ । ତୀବ୍ର ଅବହେଳନ ଓ ଅସମ୍ମାନ ଜର୍ଜରିତ ଜଣେ ଜ୍ଞାନୀ ବୃଦ୍ଧ ଘର ଛାଡ଼ି ନିରୁଦ୍ଦିଷ୍ଟ ହୋଇଯିବା ପରେ, ତାଙ୍କ ପିଣ୍ଡାକାନ୍ଥରେ ଲେଖିଦେଇ ଯାଇଥିଲେ, “ନିରସେ ସରସୀ ସାରସ ବ​‌େ​‌ନ୍ଧାଃ, ସାରସାନ୍ୟପି ଦହନ୍ତି ତପାଂସି, ଜାୟତେ ଧନିନୀ ବାନ୍ଧ​‌େ​‌ବା ଭାବ, ନିର୍ଦ୍ଧନେ ସହଜ ବନ୍ଧୁରବନ୍ଧୁଃ” । ଅର୍ଥାତ୍‌, ଧନଶାଳୀ ଲୋକର ବନ୍ଧୁ ହେବାର ଗୌରବ ପାଇଁ କାହିଁ କେତେ ଦୂର ସମ୍ପର୍କକୁ ଯୋଡ଼ାଯାଉଥିବା ବେଳେ, ନିର୍ଦ୍ଧନ ବା ଦରିଦ୍ର ଲୋକ ନାହିକଟା ଭାଇ ହୋଇଥିଲେ ବି ସେ ଅବନ୍ଧୁର ଭାବ ଲଭେ । ଯେମିତି ପୋଖରୀରୁ ପାଣି ଶୁଖିଯିବାରୁ କାଲିର ପ୍ରେମିକା ପଦ୍ମକୁ ପ୍ରେମିକ ସୂର୍ୟ୍ୟଙ୍କ କିରଣ ପୋଡ଼ି ଦେବାକୁ ବି ପଛେଇ ନଥାଏ, ୟେ ସବୁ ସମ୍ପତ୍ତିର ଖେଳ, ଗୋଳ, ନାଳ। ୟେ ଚୋରି ହେଲେ ଲୋକ ଘାଇଲା ଯେମିତି ହଜିଲେ ବି କିଛି କମ୍‌ ନୟାନ୍ତ ହୁଏନି । ପ୍ରେମିକ ଦୁଷ୍ମନ୍ତରାଜାଙ୍କ ପ୍ରଦତ୍ତ ମୁଦି ବିଚାରୀ ଶକୁନ୍ତଳା ହଜେଇ ଦେଲେ । ପାରିଧିକୁ ଯାଇଥିବା ରାଜା ଦୁଷ୍ମନ୍ତ ତୃଷାର୍ତ୍ତ ହୋଇ ସ୍ୱର୍ଗପରୀର କନ୍ୟା ଶକୁନ୍ତଳାଙ୍କୁ ଦେଖି ଚମକି ପଡ଼ିଲେ । ଶକୁନ୍ତଳାଙ୍କଠୁ ପାଣି ପିଇ ଶୋଷ ସିନା ମେଣ୍ଟାଇଲେ, ମାତ୍ର ପ୍ରଣୟ ତୃଷା ଓ ତୃଷ୍ଣା ଏତେ ବଢ଼ିଯିବ ବୋଲି ସେ କୋଉ ଜାଣିଥିଲେ? ଜାଣିଥିଲେ ସେ ସେଠିକା ଫାଦା ମାଡ଼ି ନଥାନ୍ତେ। କି ହଇରାଣର କଥାଟେ ତାଙ୍କ ପାଇଁ ସେଦିନ ହୋଇଗଲାମ! ତାଙ୍କ ପ୍ରାସାଦରେ ଥିବା ରାଣୀ ଓ ସୁନ୍ଦରୀଗୁଡ଼ା ଏଙ୍କ ଦାସୀ ଭଳି ତାଙ୍କୁ ଲାଗିଲେ । କବି ଗଙ୍ଗାଧର ତାଙ୍କ ପ୍ରଣୟବଲ୍ଲରୀରେ ଲେଖିଲେ, “ଭାଙ୍ଗିଦେଲା ବନ ବଲ୍ଲରୀ ଉଦ୍ୟାନ ଲତିକାର ଅଭିମାନ, ଗୋଲାପ କଣ୍ଟକ ବନବାସୀ ବୋଲି ବାସଙ୍ଗ କି ତା’ ସମାନ?” ତାଙ୍କୁ ବିବାହର ବଚନ ଦେଇ, ଆଖିରେ ଆଖିରେ ମହାମିଳନର ପର୍ବ ସାରିଦେଇ, ଶକୁନ୍ତଳାଙ୍କୁ ପ୍ରାସାଦକୁ ନିମନ୍ତ୍ରଣ, ଅନୁରୋଧ କରି, ମୁଦିଟିଏ ପିନ୍ଧାଇ ଦେଇ ଫେରିଗଲେ । ଏ ମୁଦି ଦେଖିଲେ ତାଙ୍କର ବି ଏ ପ୍ରଣୟ ସ୍ମରଣ ହୋଇଯିବ । ଦୁଷ୍ମନ୍ତ ସିନା ଚାଲିଗଲେ ବିଚାରୀ, ସରଳା ସୁନ୍ଦରୀ ଏ ପରୀକନ୍ୟାର ମନ ଘେନି ଗଲେ । ଅନ୍ୟମନସ୍କା ଶକୁନ୍ତଳାଙ୍କୁ ପାଣି ମାଗି ଏଥର ରାଜା ନୁହଁ ବୃଦ୍ଧ ଦୁର୍ବାସା କ୍ରୋଧାନ୍ଧ ହୋଇ ଅଭିଶାପ ଦେଲେ “ତୁ ଭାବୁଥିବା ଲୋକ ତତେ ବିସ୍ମୃତ ହୋଇଯିବା” କଥା। ତା’ ପରେ ତାଙ୍କ ମୁଦି ହଜିବା ଓ ବିଚାରୀ ଶକୁନ୍ତଳା ବିରହରେ, ଲହୁଲୁହାଣ, ଅପମାନିତା ହୋଇ ପୁଣି ଆଶ୍ରମକୁ ଫେରିବା କଥା ପୁରାଣ ପ୍ରସିଦ୍ଧ । ଗାଧୋଇବାବେଳେ ଆଙ୍ଗୁଠିରୁ କାଳେ ହୁଗୁଳିଯିବ ବୋଲି କାନିରେ ଗଣ୍ଠି ପକେଇ ଦେଇଥିଲେ ମୁଦିଟା । ପାଣିରେ ଗଣ୍ଠି ଫିଟିଯିବ ଓ ନଈରେ ମାଛ ମୁଦିଟିକୁ ଗିଳିଦେବ ଏ କଥା କିଏ ଜାଣିଥିଲା? ମୁନି ଦୁର୍ବାସାଙ୍କ ଅଭିଶାପରୁ ୟେ ଘଟିଲା । ପରେ ମାଛ ପେଟରୁ ତା’ ମିଳିଲା ଆଦି ଆଉ ଲମ୍ବେ ବାଟର କଥା । ଏଠି କେବଳ ହଜିବାର ଏକ ଘଟଣା ବର୍ଣ୍ଣନା ହେଉଛି । କର୍ଣ୍ଣ କିନ୍ତୁ ପର୍ଶୁରାମଙ୍କଠୁ ଜ୍ଞାନ ଲାଭ କରି ନଥିଲେ, ଚୋରି କରିଥିଲେ । ଧରା ପଡ଼ିଗଲେ । ବ୍ରାହ୍ମଣର ପରିଚୟ ଦେଇ ଏ କ୍ଷତ୍ରିୟ ତାଙ୍କଠାରୁ ନିଷିଦ୍ଧ ଜ୍ଞାନ ପାଇଗଲେ ସିନା, ଅଭିଶାପରେ ତା’ କୋଉ କାମକୁ ଆସିଲା? ମହାଭାରତ ଯୁଦ୍ଧ କ୍ଷେତ୍ରରେ ଏ ଗୁରୁଅଭିଶାପ ତାଙ୍କ ପରାଜୟ ଓ ଅସହାୟତାର କାରଣ ହେଲା । ଏ ଚୋରି ଦଣ୍ଡ ପୁରାଣରେ କଠୋର ଦଣ୍ଡର ଏକ ତୀବ୍ର ନଜିର । ସେମିତି ରାବଣଙ୍କୁ ମାରିବା ଅସମ୍ଭବ ହୋଇପଡ଼ିଲା । ପ୍ରଭୁଦତ୍ତ ଏକ ମାତ୍ର ଶର ବିଦ୍ଧ ହେଲେ ଯାଇ ତା’ ପ୍ରାଣ ଯିବ । ଏ ଶର ତ ମନ୍ଦୋଦରୀଙ୍କ ମାର୍ଫତରେ, ଚାବି ତାଙ୍କ ହାତରେ । ଜଗନ୍ନାଥଙ୍କ ଭଣ୍ଡାର ଚାବି ପରି ହଜିବା ଓ ଖୋଜିବା ହେପାଜତର କଥା ୟେ ନୁହଁ ; କିନ୍ତୁ ଜ୍ଞାନୀଶ୍ରେଷ୍ଠ ଶ୍ରୀହନୁମାନଜୀ ଏକୁ ‘ଗଣନା’ କରିବା ନାଁରେ ବ୍ରାହ୍ମଣ ବେଶରେ ଚୋରି କରି ଆଣିଲେ । ଏମିତି କେତେ ଚୋରି କେତେ ହଜିବା କଥାରେ ଆମ ପୁରାଣ ଭରପୂର। ପରିଣତି ବି ପ୍ରକାଶିତ, ପ୍ରମାଣିତ ।
ମାତ୍ର ଆଜିର ଏ ଘୋର କଳିକାଳକୁ ଏ ସବୁ ଘଟଣା ହାଉଜାଉ ହେଲେ ବି, ୟାର ସମାଧାନ କାଇଁ? ଓଡ଼ିଆ ଜାତି, ସନାତନ ଧର୍ମର ପ୍ରତୀକ ଶ୍ରୀଜଗନ୍ନାଥଙ୍କ ମନ୍ଦିର ଅନାଚାର ଓ ଅତ୍ୟାଚାର ପେଣ୍ଠସ୍ଥଳୀ ବନିଯାଇଛି । ‘ଜଗନ୍ନାଥ’ ବେପାର ଓ ବେପାରୀଙ୍କ ବଳିବୋଦା ବନିଯାଇଛନ୍ତି । ପଣ୍ଡା ପଢ଼ିଆରୀ ତାଙ୍କ ସେବା ପାଉଣା ଦାବିରେ ମୂଲଚାଲ, କଳିଗୋଳ କରିବା ତାଙ୍କ ଲୋଭାତୁରତାର ସିନା ପରିଚୟ ଦେଉଛି, ଏଥିରେ ଅଯୌକ୍ତିକତା କାହିଁ? ‘ପେଟ ପୋଷ ନାହିଁ ଦୋଷ୍‌’ ବୋଲି କୁହାଗଲା । ୟେ ତାଙ୍କ ପେଟ ପାଟଣାର କଥା ଏବେ ବନିଯାଇଛି । ଥନ୍ତଲପେଟକୁ ସାଇଜ କଲେ, ସେ ଗଣେଶ ନୋହିଁ ଆଉ କ’ଣ ହେବେ । ପଣ୍ଡାପଢ଼ିଆରୀଙ୍କୁ ଏମିତି ଓଲିଆ ହେବାର ଅନର୍ଗଳତା କିଏ ଦେଲା? ତା’ର କାରଣ ଏ ରାଜନୀତିଆମାନେ । ଏଙ୍କୁ ବନ୍ଧ, ବାଡ଼, ରାସ୍ତାଘାଟ କିଛି ଅଣ୍ଟିଲାନି । ଠାକୁର ମନ୍ଦିର ପୁଣି ଜଗନ୍ନାଥ ମନ୍ଦିରକୁ ପଶିଲେ । ସେଠି ବି ଭୋଟ ରାଜନୀତି । ପୁରୀ ସହର ତ ପଣ୍ଡାପଢ଼ିଆରୀଙ୍କ ଭୋଟ ବୋଝ, ତାଙ୍କୁ ହାତଛଡ଼ା କିଏ କେମିତି କରିବ? ସେଠା ଜନପ୍ରତିନିଧି ଏବେ ଜଣେ କ୍ୟାବିନେଟ ମନ୍ତ୍ରୀ । ରତ୍ନ ଭଣ୍ଡାର ଚାବି ହଜିବା, ତାକୁ ଖୋଜା ହେବା, ଜିଲାପାଳଙ୍କ ଦପ୍ତରରୁ ଲଫାପା ମଧ୍ୟରୁ ନକଲ (ଡୁପ୍ଲିକେଟ) ଚାବି ମିଳିବା ଆଦି ହଇଚଇରେ ତାଙ୍କ ପାଟି ଫିଟୁ ନଥିବା ସବୁଠୁ ବିସ୍ମୟକର । ୧୯୮୫ ମସିହାରୁ ଚାବି କାହିଁକି ଖୋଲା ଯାଇନି? ଚାବିର ମାଲିକ କେତେଜଣ କି? ୟେ ସବୁ ସିଧା ସଳଖ କଥା । ଜଣେ କହିଲେ, “ଚାବି ନ ମିଳିଲା ତ କ’ଣ ହୋଇଗଲା । ସେଥିକୁ ଏତେ ହୋହଲ୍ଲା, ସମ୍ବାଦ କିଆଁ?” ନିଜ ସ୍ତ୍ରୀକୁ ଭଡ଼ା ଲଗାଇ ଚଳୁଥିବା ଏକ ଗୋଷ୍ଠୀ, ଜାତି ଅଛନ୍ତି । ତାଙ୍କୁ ଇଜ୍ଜତ, ମହତ, ରତ୍ନ ଭଣ୍ଡାର ମୂଲ୍ୟବୋଧ କଥା ଆଦୌ ବୁଝାଯାଇ ପାରିବନି । ସେମିତି ଏବେ ସବୁ ଘଟୁଛି । ସ୍ୱାର୍ଥ, ସମ୍ପତ୍ତି ଲୋଭ ଏବେ ସଭିଙ୍କୁ ସରମହୀନ କରି ଦେଉଛି । ନବକଳେବରରେ ପ୍ରଭୁଙ୍କ ବ୍ରହ୍ମ ଦେଖିବାକୁ ସେବକମାନଙ୍କ ଆସ୍ପର୍ଦ୍ଧା, ଧୃଷ୍ଟତା ଚମକପ୍ରଦ ଥିଲା । ଶହଶହ ବର୍ଷର ସବୁ ନୀତି, ନିୟମ ଓ ବିଶ୍ୱାସବୋଧକୁ ଏମାନେ ଯେମିତି ଲୁଟାଇ ଦେଲେ ତା’ର କି ପ୍ରତିକାର, କି ପ୍ରତିକ୍ରିୟା ହେଲା? ତିଥ ଉଠାଇବା ପରି ପ୍ରଶାସନ ଗୋଟିଏ ଗୋଟିଏ ବର୍ଷ, ଉତ୍ସବ ଓ ଯାତକୁ କୌଣସିମତେ ଚଳାଇଦେଇ ଚୁପ୍‌ । ବଡ଼ଠାକୁରଙ୍କ ବଡ଼ ଦେଉଳରେ ଏବେ ବଡ଼ ବଡ଼ କଥା ଘଟୁଛି । ପରିଣତି ବଡ଼ ତ କାଇଁ ହେଉନି? ହେବ ନିଶ୍ଚୟ । ଟଲଷ୍ଟୟ ଲେଖିଲେ, “ଏକ୍ଟୟ ଗ୍ଦରରଗ୍ଦ ଗ୍ଧଷର ଗ୍ଧକ୍ସଙ୍କଗ୍ଧଷ, ଈଙ୍କଗ୍ଧ ଙ୍ଗବସଗ୍ଧଗ୍ଦ” । ଅଧର୍ମ ବିତ୍ତ ବଢ଼େ ବହୁତ, ଗଲାବେଳେ ଯାଏ ମୂଳ ସହିତ। ପ୍ରଶାସକେ ତ ଆହୁରି ବଳି । ପଣ୍ଡାପଢ଼ିଆରୀଙ୍କ ଠେଇ ଟିପ ମାରିପାରୁ ନ ଥିବା ଏ ନାଗ କମ୍ପାନୀ, ଜଗଦ୍‌ଗୁରୁଙ୍କ ଉପରେ ଫଁ ଫଁ । ଏମିତି ଜଣେ ପ୍ରଶାସକ ଥିଲେ । ଏବେ ତ ଚାବି ମିଳିଲା, ଭଣ୍ଡାର ଖୋଲାଯାଉ । ଭିତରେ ସାପ ଗର୍ଜନ କରୁଛି ଗପରେ ଏ ଜାତିକୁ ଆଉ ଭଣ୍ଡା ନ ଯାଉ । ଯଦି ସତରେ ସାପଟେ ସେଠି ଶହଶହ ବର୍ଷ ଧରି ଥିବ ସେ ସାପୁଆ କେଳା ସାପ ନୁହଁ, ଜମା ସମ୍ପତ୍ତି ଲୁଟୁଥିବା ଚୋରଙ୍କୁ ଦଂଶିବାକୁ ଥିବା ସାପ । ବଢ଼ିଯମୁନାରେ କଂସଠୁ ରକ୍ଷା କରିବାକୁ ବାଳଗୋପାଳଙ୍କୁ ପାର କରୁଥିବା ନାଗ । ଦୁର୍ଜନ, ଦଂଶନକାରୀ । ଏଥିକୁ ଏତେ ଡର କିଆଁ? ବ୍ରହ୍ମ ଦେଖିବାକୁ ଠେଲାପେଲା ଏ ସେବକେ ଏ ସାପ ଦେଖିବାକୁ ଭିତରକୁ ଯାଆନ୍ତୁ । କୁଣ୍ଠା କିଆଁ? ଏ ସବୁ ପ୍ରଶାସନ ଓ ରାଜନୀତିଆଙ୍କ ଖେଳ ।
ଯେଉଁ ଘରର ‘ସରଘର’ ମେଲା, ତା’ ଚାବି ନିରୁଦ୍ଦିଷ୍ଟ ସେ ଘର ଫକଡ଼ିଆ, ଅଲକ୍ଷଣା ଓ ଜନ୍ମ-ଦରିଦ୍ର ହେବା ସାର ଓ ସାରା । ମାତ୍ର ଏ ଜାତି କ’ଣ ସେଇଆ ! ଆଦୌ ନୁହଁ । ମଧୁବାବୁ ପରା ଲେଖିଲେ, “ଜାତି ନନ୍ଦିଘୋଷ ଚଳିବ କି ଭାଇ, ସ୍ୱାର୍ଥକୁ ସାରଥି କଲେ, ଟାଣେ କିରେ ଗାଡ଼ି, ଦାନାର ତୋବଡ଼ା ଘୋଡ଼ା ମୁଖେ ବନ୍ଧା ଥିଲେ?” ଦାନା ଓଲିଆ ହୋଇଯାଇଥିବା ଏ ଘୋଡ଼ାମାନଙ୍କ ମୁଖରୁ ତୋବଡ଼ା ହଟାଯାଉ, ମଦ ଭଗୀରଥ ନବୀନବାବୁ ଜଗନ୍ନାଥଙ୍କ ପାଇଁ କି ରଥ ବନିବେ କେଜାଣି? ଆଉ ଏ ରାଜନୀତିଆଙ୍କ ମଧ୍ୟରେ କଥା କଟାକଟି ବାଦୀପାଲାବାଲାଙ୍କଠୁ ବି କେତେ ହୀନର । ଖାଲି ଚାବି ନୁହଁ, ସ୍ୱାର୍ଥନଦୀରେ ଏ ଜାତିର ମାନ ମହତ ହଜାଇ ଦେଉଥିବା ଏମାନେ ଏ ଜାତିଟାକୁ ପୋଖରୀ ଦରଣ୍ଡାଉଛନ୍ତି । ଛି, ଛିଆଲୋ ମା’ ।

Leave A Reply