ମାସ୍କ ପିନ୍ଧିବାକୁ ନେଇ ଟିକ୍ଟକରେ ପରିହାସ କରୁଥିଲେ ଯୁବକ: ଏବେ କରୋନା ସଂକ୍ରମିତ
ଭୋପାଳ: କରୋନା ଏବେ ସାରା ବିଶ୍ୱକୁ କବଳିତ କରିଛି। ସାମାଜିକ ଗଣମାଧ୍ୟମରେ କରୋନାକୁ ନେଇ ଭିନ୍ନ ଭିନ୍ନ କିସମର ତଥ୍ୟ ତଥା ଭିଡିଓ ମଧ୍ୟ ଦେଖିବାକୁ ମିଳୁଛି। ଇତି ମଧ୍ୟରେ ମଧ୍ୟପ୍ରଦେଶର ସାଗର ଜିଲାରେ ଜଣେ ଯୁବକ ଟିକ୍ଟକର କରୋନାରୁ ବର୍ତ୍ତିବା ପାଇଁ ମାସ୍କ ପିନ୍ଧିବାକୁ ନେଇ ଥଟ୍ଟା ପରିହାସ କରିଥିଲେ। ସାମାଜିକ ଗଣମାଧ୍ୟମରେ ଯୁବକଙ୍କ ଏହି ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା। ମାତ୍ର ନମୁନା ପରୀକ୍ଷା ପରେ ଏବେ ସେହି ଯୁବକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଡାକ୍ତରଖାନା ଅଧିକାରୀ ଏବେ ଯୁବକଙ୍କ ମୋବାଇଲ୍ ଫୋନ୍ ଜବତ କରିଛନ୍ତି। କରୋନା ସଂକ୍ରମିତ ହେବା ପରେ ଆଇସୋଲେସନ୍ରେ ୱାର୍ଡରୁ ମଧ୍ୟ ସେ ଟିକ୍ଟକ୍ରେ ଭିଡିଓ ଅପଲୋଡ଼୍ କରୁଥିଲେ। ସାଗର ସ୍ଥିତ ସରକାରୀ ବୁନ୍ଦେଲଖଣ୍ଡ ମେଡିକାଲ୍ କଲେଜର ଡାକ୍ତର ଜିଏସ୍ ପଟେଲଙ୍କ କହିବା ଅନୁସାରେ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି। ଦେଶରେ ତୀବ୍ର ଗତିରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ଯୁବକ ଜଣକ ଏକ ବାଇକ୍ ଉପରେ ବସି ଭିଡିଓ ଶୁଟ୍ କରିଥିଲେ। ଭିଡିଓରେ ଯେତେବେଳେ ଜଣେ ବ୍ୟକ୍ତି ତାଙ୍କୁ ମାସ୍କ ପିନ୍ଧିବାକୁ କହୁଛନ୍ତି, ସେତେବେଳେ ସେ ଏହାକୁ ପିନ୍ଧିବାକୁ ମନା କରିଦେଉଛନ୍ତି। ଏହା ସହିତ କହୁଛନ୍ତି, ଏହି କପଡ଼ା ଖଣ୍ଡକ ଉପରେ କ’ଣ ଭରସା କରିବ, ଭରସା ରଖିବାର ଅଛିତ ସେହି ଉପରବାଲା(ଈଶ୍ୱର) ଉପରେ ରଖ। ଆଉ ଏକ ଭିଡିଓରେ ଯୁବକ ଜଣକ ମାସ୍କକୁ ଫୋପାଡ଼ୁଥିବା ଦେଖିବାକୁ ମିଳିଛି ଓ ସେହି ସମୟରେ ରକ୍ଷ୍ଟାର ଫିଲ୍ମର ଗୀତ ବାଜୁଛି।
ଏକ ଜାତୀୟ ସମ୍ବାଦ ସରବରାହ ସଂସ୍ଥାକୁ ସୂଚନା ଦେଇ ଡାକ୍ତର ପଟେଲ କହିଛନ୍ତି, ଯୁବକ ଜଣକ ଥଣ୍ଡା ଓ ଜ୍ୱର ସମସ୍ୟା ନେଇ ସରକାରୀ ଡାକ୍ତରଖାନାକୁ ଆସିଥିଲେ। ଏହାପରେ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍ ଆସିଥିଲା। ଶୁକ୍ରବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାଗର ଜିଲାରେ ଏହା କରୋନା ସଂକ୍ରମଣର ପ୍ରଥମ ମାମଲା। ଅଧିକାରୀଙ୍କ କହିବାନୁସାରେ ତାଙ୍କର ବିଦେଶ ଯାତ୍ରା ସମ୍ବନ୍ଧୀୟ କୌଣସି ତଥ୍ୟ ନାହିଁ। ତେବେ ସଂକ୍ରମିତ ହେବା ପରେ କରିଥିବା ଭିଡିଓରେ ଯୁବକ ମାସ୍କ ପିନ୍ଧିବାକୁ ଲୋକଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଥିଲା। ଏହାସହିତ ଭିଡିଓରେ ସେ ନିବେଦନ କରିଛନ୍ତି ଯେ, ତାଙ୍କ ପାଇଁ ଲୋକେ ପ୍ରାର୍ଥନା କରନ୍ତୁ। ଯୁବକ ଜଣକ ଭିଡିଓ କରି ସାମାଜିକ ଗଣମାଧ୍ୟମରେ ଅପଲୋଡ୍ କରୁଥିବା ଖବର ପାଇବା ପରେ ଡାକ୍ତରଖାନା ପ୍ରଶାସନ ତାଙ୍କ ନିକଟରୁ ଫୋନ୍କୁ ଜବତ କରି ନେଇଛନ୍ତି।
Comments are closed.