ସଂହତି ଓ ସୌହାର୍ଦ୍ୟର ପର୍ବ ଇଦ୍‌-ଉଲ୍‌-ଫିତର୍‌

0

ଇଦ୍‌ ପର୍ବ ହେଉଛି ଦେବାର ପର୍ବ, ନେବାର ନୁହେଁ। ଏ ଦେବା କେବଳ ବସ୍ତୁଗତ ନୁହେଁ, ଆତ୍ମିକ ମଧ୍ୟ। ହୃଦୟ ଦିଆନିଆ ହୋଇ ମିଳୁଥିବା ଚିନ୍ମୟ ଆନନ୍ଦ ମିଳିମିଶି ହସଖୁସି ଭିତରେ ପାଳିବାର ପର୍ବ। ଏଥିରେ ଧନୀ ଗରିବର ପ୍ରଭେଦ ରହେ ନାହିଁ। ଜାତିଧର୍ମବର୍ଣ୍ଣର ପ୍ରଭେଦ ରହେ ନାହିଁ। ଉଚ୍ଚ ନୀଚର ପ୍ରଭେଦ ରହେ ନାହିଁ। ଯାବତୀୟ ଅସମାନତା ବିରୋଧରେ ସହଯୋଗ ଓ ସଂପ୍ରୀତିର ପର୍ବ ଇଦ-ଉଲ-ଫିତର।
ରମଜାନ ମାସ ଶେଷ ପରେ ଚନ୍ଦ୍ର ଦର୍ଶନ ପରଦିନ ବିଶ୍ୱବ୍ୟାପୀ ଅନୁଷ୍ଠିତ ହେଉଥିବା ଇଦ୍‌-ଉଲ-ଫିତର୍‌ ହେଉଛି ଦାନର ଆନନ୍ଦର ପର୍ବ। ଏହି ପର୍ବ ଭିତରେ ଥିବା ଚାରୋଟି ସ୍ତମ୍ଭ ମଧ୍ୟରୁ ଉପବାସ, ପ୍ରାର୍ଥନା ଓ ଦାନର ତିନୋଟି ସ୍ତମ୍ଭ ବିଦ୍ୟମାନ। ପୃଥିବୀରେ ସମସ୍ତେ ଖାଇପିଇ ସୁସ୍ଥ ସବଳ, ସୁଖ, ଶାନ୍ତି, ପ୍ରେମ, ସଦ୍‌ଭାବ ନେଇ ରହନ୍ତୁ ଏହା ହିଁ ହେଉଛି ପ୍ରେମ ଓ ବିଶ୍ୱାସର ଧର୍ମ ଇସଲାମର ମୂଳବାଣୀ।ପ୍ରତିବର୍ଷ ଏହାର ପୁନରାବୃତ୍ତି ମୁସଲିମ ସମାଜକୁ ସମଗ୍ର ମାନବ ଜାତି ପାଇଁ ସେମାନଙ୍କର ଉତ୍ତରଦାୟିତ୍ୱକୁ ସୂଚାଇଥାଏ। ପରୋପକାର ଓ ଅନ୍ୟ ଲାଗି ନିଜର ତ୍ୟାଗର ମହିମାକୁ ମଣ୍ଡିତ କରେ।
ରୋଜା ମଣିଷକୁ ନିଜ ମାଧ୍ୟମରେ ଅନ୍ୟର ଭୋକ ଓ ଶୋଷକୁ ଚିହ୍ନାଏ। ସେହିପରି ଜକାତ୍‌ ଭୋକଶୋଷର ଦୁଃଖୀ ସଂସାର ପ୍ରତି ସମଦରଦୀ ବନ୍ଧୁ ଭାବରେ ସେମାନଙ୍କ ଦୁଃଖ ଦୂର କରିବାରେ ଯତ୍ପରୋନାସ୍ତି ଚେଷ୍ଟା ଓ ସହଯୋଗର ହାତ ବଢ଼ାଇବାକୁ ପ୍ରବୃତ୍ତ କରେ। ସମ୍ବେଦନା ଓ ସଦ୍‌ଭାବନା ସୃଷ୍ଟି କରିବାରେ ସହାୟକ ହୁଏ। ଅନ୍ୟ ପାଇଁ ନିଜର ସ୍ୱାର୍ଥକୁ ବଳି ଦେଇ ବଦାନ୍ୟ ହେବାର ଶିକ୍ଷାଦିଏ। ସୁସମ୍ପର୍କ ସ୍ଥାପନର ସୁଯୋଗ ସୃଷ୍ଟି କରେ।
ଇସଲାମ ପ୍ରାରମ୍ଭରୁ ସାମ୍ୟବାଦ ଓ ସମାଜବାଦ ଉପରେ ଆଧାରିତ। ଜାତିଧର୍ମବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ସହ ମିଳିମିଶି ରହିବା, ସୁଖଦୁଃଖରେ ଅଂଶୀଦାର ହେବା, ନିଷ୍ଠାପର ଈଶ୍ୱର ଭକ୍ତି ସହ ସଦାଚାରୀ ଜୀବନଯାପନର ମାନବିକ କର୍ତ୍ତବ୍ୟ ଉପରେ ଆଧାରିତ। ଈଶ୍ୱର ପ୍ରାର୍ଥନା ସହ ଅନ୍ୟ ତିନୋଟି ସ୍ତମ୍ଭର ଯଦି ଠିକ ଭାବେ ସମନ୍ୱୟ କରାନଯାଏ ବା ଏଥିମଧ୍ୟରୁ ଯଦି ଗୋଟାକକୁ ବି ଉପେକ୍ଷା କରାଯାଏ ତେବେ ସମଗ୍ର ସ୍ତମ୍ଭ ଭୁଶୁଡ଼ି ପଡ଼େ। ଈଶ୍ୱରଙ୍କ ପ୍ରତି ଆନୁଗତ୍ୟ ସହ ନିତ୍ୟନୈମିତ୍ତିକ ଭାବେ ଶାରୀରିକ ବ୍ୟାୟାମର ଆବଶ୍ୟକତା ଓ ସ୍ୱାସ୍ଥ୍ୟପ୍ରତି ଏହାର ହିତକାରୀ ପ୍ରଭାବ କ୍ଷେତ୍ରରେ ପ୍ରାର୍ଥନାର ଗୁରୁତ୍ୱ ରହିଥିଲାବେଳେ ଶରୀର ଶୁଦ୍ଧି ସହ ଜଣେ ଭୋକିଲା ଲୋକର ଦୁଃଖ ବୁଝିବାର ଭାବନାକୁ ସଘନ କରିବା ଲାଗି ରୋଜାର ପ୍ରବର୍ତ୍ତନ, ଯାହାର ଫଳଶ୍ରୁତି ଭାବେ ସେ ତାହାର ନିରାକରଣ ଦିଗରେ ତତ୍ପର ହୋଇପାରିବ। ସକ୍ଷମ ଲୋକଙ୍କ ଲାଗି ତୀର୍ଥାଟନ ବା ହଜ୍‌ ଯାତ୍ରା କରିବା ନିର୍ଦ୍ଧାରଣ କରାଯାଇଛି। ଅନ୍ତତଃ ପକ୍ଷେ ଜୀବନରେ ଥରେ ପବିତ୍ର ମକ୍କା-ମଦିନା ଅଥାତ ପୟଗମ୍ବର ହଜରତ ମହମ୍ମଦଙ୍କ ଜନ୍ମ ଓ କର୍ମଭୂମିକୁ ତୀର୍ଥାଟନରେ ଯିବା ସହ ବିଭିନ୍ନ ଦେଶର ଲୋକଙ୍କ ସହ ମିଶି ସଂହତି ଭାବ ସୃଷ୍ଟି କରିବା ସହ ନିଜ ଜ୍ଞାନ ଓ ବୁଦ୍ଧିର ବିକାଶ କରିବା ଲାଗି ଏହି ବ୍ୟବସ୍ଥା ଅଭିପ୍ରେତ।
ଜକାତ୍‌ ବା ଦାନର ପ୍ରକୃତ ମହତ୍ତ୍ୱ୍ୱ ଏହାର ସଖ୍ୟଭାବ ଉପରେ ଆଧାରିତ। ଏହି ଦାନ କାହାକୁ ଦୀନହୀନ ଭାବେ ଦର୍ଶାଇବା କି ତା’କୁ ଆଜୀବନ କୃତଜ୍ଞତାର ରଜ୍ଜୁରେ ବାନ୍ଧି ଛୋଟ କରି ଦେଖିବା ଲାଗି ଅଭିପ୍ରେତ ନୁହେଁ। ବରଂ ତାକୁ ମଧ୍ୟ ସମାନ ମର୍ଯ୍ୟାଦା ପ୍ରଦାନ କରିବାରେ ହିଁ ଏହାର ପ୍ରକୃତ ସାର୍ଥକତା ନିହିତ। ପ୍ରତ୍ୟେକ ମୁସଲିମ ସାବାଳକ ସତ୍‌ପଥରେ ରୋଜଗାର କରୁଥିବା ଧନର ନିର୍ଦ୍ଧାରିତ କିଛି ଭାଗ ସମାଜରେ ଅଭାବଅନାଟନରେ ରହୁଥିବା ତାର ଜ୍ଞାତିକୁଟୁମ୍ବ, ପଡ଼ିଶା, ବିଧବା, ନିରାଶ୍ରିତ, ଅନାଥ, ଫକୀର, ଭିକାରି, ଶାରୀରିକ ଅକ୍ଷମ ଆଦିଙ୍କ ଲାଗି ଯୋଗାଇଦେବା ବାଧ୍ୟତାମୁଳକ। ଯାହା ଫଳରେ ସେମାନେ ମଧ୍ୟ ଆନନ୍ଦରେ କାଳାତିପାତ କରି ପାରିବେ। ମଣିଷ ମନରେ ଏହି ସହଯୋଗ, ପରୋପକାର ଭାବନା ଓ କର୍ମକୁ ଏକ ନିତ୍ୟନୈମିତ୍ତିକ ଅଭ୍ୟାସରେ ପରିଣତ କରିବାରେ ହିଁ ଏହି ପର୍ବର ପ୍ରକୃତ ସାର୍ଥକତା।
ଇସଲାମ ଜାତିଭେଦ କି ସାଂପ୍ରଦାୟିକତାବାଦରେ ବିଶ୍ୱାସ କରେ ନାହିଁ । ଅନ୍ୟ ଧର୍ମ କି ଧର୍ମାବଲମ୍ବୀକୁ ସମାନ ମର୍ଯ୍ୟାଦାରେ ଦେଖେ। ବିଶ୍ୱଜନୀନ ମାନବତାବାଦ ଓ ଶାନ୍ତି ହିଁି ଏହି ଧର୍ମର ମୂଳମନ୍ତ୍ର, ଯାହା ଏହି ଇଦ୍‌-ଉଲ-ଫିତରରେ ପ୍ରତିଫଳିତ ହୋଇଥାଏ।
ଭାରତରେ ଆବହମାନ କାଳରୁ ଏହି ପର୍ବ ହିନ୍ଦୁ, ଖ୍ରୀଷ୍ଟିୟାନ, ଶିଖ ଆଦି ବିଭିନ୍ନ ଧର୍ମର ଲୋକମାନେ ମୁସଲିମମାନଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ପାଳନ କରି ଆସୁଛନ୍ତି। ଗ୍ରାମାଞ୍ଚଳରେ ମଧ୍ୟ ଏହା ଏକ ଅଦ୍‌ଭୁତ ସଂହତିର ରୂପ ନେଇଛି।

prayash
ସୀମା ଶବନମ୍‌
କ୍ୱାର୍ଟର ନଂ.୨ଆରଏ /୫୪, ଏଲଆଇସି କଲୋନୀ, ବିଇଡି କଲେଜ ପଛ, ସମ୍ବଲପୁର-୭୬୮୦୦୧
kalyan agarbati
Leave A Reply