ଯବାନଙ୍କୁ ଅପହରଣ ପରେ ହତ୍ୟା
– ସମୀର ଟାଇଗର ହତ୍ୟା ରେ ସାମିଲ ଥିଲେ
-ଇଦ୍ ପାଇଁ ଛାଡ଼ିଦେବାକୁ ମା’ ନିବେଦନ କରିଥିଲେ
-ବାନ୍ଦିପୁରାରେ ୨ ଆତଙ୍କବାଦୀ ମୃତ, ଯବାନ ସହିଦ
ପୁଲୱାମା : ଆତଙ୍କବାଦୀ ସଂଗଠନ ହିଜବୁଲ୍ ମୁଜାହିଦ୍ଦିନର ଦୁର୍ଦାନ୍ତ ଆତଙ୍କବାଦୀ ସମୀର ଟାଇଗର ଏନ୍କାଉଣ୍ଟରରେ ସାମିଲ ଭାରତୀୟ ଯବାନ ଆଉରଙ୍ଗଜେବ୍ଙ୍କୁ ଆତଙ୍କବାଦୀମାନେ ଗୁରୁବାର ଅପହରଣ ପରେ ହତ୍ୟା କରିଛନ୍ତି। ଆଉରଙ୍ଗଜେବ୍ ଇଦ୍ ପାଳନ ନିମନ୍ତେ ବସ୍ ଯୋଗେ ସକାଳ ୯ଟାରେ ରାଜୌରୀସ୍ଥିତ ନିଜ ଘରକୁ ଯାଉଥିବାବେଳେ ପୁଲୱାମା ନିକଟ କଳମପୋରାଠାରେ ଦଳେ ଆତଙ୍କବାଦୀ ତାଙ୍କ ବସ୍କୁ ଅଟକାଇ ତାଙ୍କୁ ଓହ୍ଲାଇ ଦେଇଥିଲେ। ପରେ ସେମାନେ ତାଙ୍କୁ ଅପହରଣ କରିନେଇଥିଲେ। ସନ୍ଧ୍ୟାରେ ତାଙ୍କର ଗୁଳିବିଦ୍ଧ ମୃତଦେହ ଗୁସୋ ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ଆଉରଙ୍ଗଜେବ୍ ୪୪ ରାଷ୍ଟ୍ରୀୟ ରାଇଫଲ୍ସରେ ସୋପିଆନ୍ ନିକଟ ସାଦିମାର୍ଗଠାରେ ନିଯୁକ୍ତ ଥିଲେ। ଆଉରଙ୍ଗଜେବ୍ଙ୍କ ଅପହରଣ ସୂଚନା ମିଳିବା ପରେ ସେନା ପକ୍ଷରୁ ଉକ୍ତ ଅଞ୍ଚଳକୁ ସମ୍ପୂର୍ଣ୍ଣ ଘେରାଓ କରାଯାଇ ବ୍ୟାପକ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା। ଗଣମାଧ୍ୟମ ପକ୍ଷରୁ ଆଉରଙ୍ଗଜେବ୍ଙ୍କର ଏକ ପ୍ରକାଶ ପାଇଥିଲା; ଯାହାକୁ ଭୁଲ ବୋଲି ସେନା ପକ୍ଷରୁ ଦର୍ଶାଯିବା ପରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ପୁଲିସ ପକ୍ଷରୁ ତାଙ୍କର ଅନୁସନ୍ଧାନ କରାଯାଉଥିଲାବେଳେ ଆଉରଙ୍ଗଜେବ୍ଙ୍କ ମା’ ଅତି ଆବେଗିକ ନିବେଦନ କରିଥିଲେ। ଅନ୍ତତଃ ପୁଅକୁ ଇଦ୍ ପାଳନ ପାଇଁ ଛାଡ଼ି ଦେବାକୁ ଆଉରଙ୍ଗଜେବ୍ଙ୍କ ମା’ ଆତଙ୍କବାଦୀଙ୍କୁ ନିବେଦନ କରିଥିଲେ; କିନ୍ତୁ ଏହାର ପ୍ରଭାବ ସେମାନଙ୍କ ଉପରେ ପଡ଼ି ନଥିଲା।
ମେ ମାସରେ ପୁଲୱାମାଠାରେ ଆତଙ୍କବାଦୀ ଟାଇଗର ଏବଂ ତା’ ସହଯୋଗୀ ସୁରକ୍ଷା ବାହିନୀ ଗୁଳିରେ ପ୍ରାଣ ହରାଇଥିଲେ। ଆତଙ୍କବାଦୀ ଆକ୍ରମଣ ଘଟଣାରେ ଟାଇଗରକୁ ପୁଲିସ ଏବଂ ସୁରକ୍ଷାବାହିନୀ ପକ୍ଷରୁ ଖୋଜା ଚାଲିଥିଲା। ପାକିସ୍ତାନ ସମର୍ଥିତ ଆତଙ୍କବାଦୀ କାର୍ଯ୍ୟକଳାପ ଦମନ ଅଭିଯାନ କ୍ରମେ ଭାରତୀୟ ସେନା ଟାଇଗରକୁ ମାରିବାରେ ସଫଳ ହୋଇଥିଲା। ଏହି ଅଭିଯାନରେ ଆଉରଙ୍ଗଜେବ ସାମିଲ ଥିଲେ। ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଅଭିଯାନକୁ ତ୍ୱରାନ୍ୱିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦେଶ ଦିଆଯିବା ପରେ ସୁରକ୍ଷାବାହିନୀ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଥିଲା।
ଅନ୍ୟ ଏକ ଘଟଣାରେ ଗୁରୁବାର ପୂର୍ବାହ୍ଣରେ ବାନ୍ଦିପୁରା ଜିଲା ଅନ୍ତର୍ଗତ ପନାରଠାରେ ସେନା ଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ଏଠାକାର ଜଙ୍ଗଲ ମଧ୍ୟରେ ଆତଙ୍କବାଦୀମାନେ ଲୁଚି ରହିଥିବା ଖବର ମିଳିବା ପରେ ସୁରକ୍ଷା ବାହିନୀ ପକ୍ଷରୁ ବ୍ୟାପକ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ମାତ୍ର ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଗୁଳିମାଡ଼ କରିଥିଲେ। ଏହାର ମୁକାବିଲାବେଳେ ଜଣେ ଯବାନ ସହିଦ ହୋଇଛନ୍ତି। ମୃତ ଆତଙ୍କବାଦୀଙ୍କଠାରୁ ଅତ୍ୟାଧୁନିକ ବନ୍ଧୁକ ଏବଂ ବାରୁଦ ଜବତ କରାଯାଇଛି। ଏହି ପରିପ୍ରେକ୍ଷୀରେ ବାନ୍ଦିପୁରା ଓ ପୁଲୱାମା ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ଦ୍ୱିମୁଖୀ ସନ୍ଧାନ ଅଭିଯାନ ଜାରି ରହିଛି। ବନ୍ଦିପୁରାର ପାନ୍ନାର ଜଙ୍ଗଲରେ ସିଆରପିଏଫ ଓ ରାଷ୍ଟ୍ରୀୟ ରାଇଫଲ ପକ୍ଷରୁ ଜୋରଦାର ଏହି କାର୍ଯ୍ୟ ଚାଲିଛି।