କରୋନା ସଂକ୍ରମଣ – ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ସଂକ୍ରମିତ

male are more prone to corona

ସମାଜ ପୋର୍ଟାଲ ଡେସ୍କ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ୨୮୧ରେ ପହଞ୍ଚିଛି। ଏମାନଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୨୯୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧୧ ଜଣଙ୍କର ମୃତ୍ୟୁ ହୋଇଛି। ନୂଆଦିଲ୍ଲୀଠାରେ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ୍‍ ଅଗ୍ରୱାଲ୍‍ ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, ଦେଶରେ ୭୬ ପ୍ରତିଶତ ପୁରୁଷ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ବେଳେ ଏଥିରେ ମହିଳା ସଂକ୍ରମିତଙ୍କ ସଂଖ୍ୟା ୨୪ ପ୍ରତିଶତ। ସେ ଆହୁରି କହିଛନ୍ତି, ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୪୫ ଜଣ ତବଲିଗି ଜମାତ୍‍ ସହ ସମ୍ପୃକ୍ତ। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁ ବରଣ କରିଥିବା ୧୦୯ ଜଣଙ୍କ ମଧ୍ୟରୁ ୬୩ ପ୍ରତିଶତ ବ୍ୟକ୍ତି ୬୦ ବର୍ଷରୁ ଊର୍ଦ୍ଧ୍ବ, ୩୦ ପ୍ରତିଶତ ବ୍ୟକ୍ତି ୪୦ରୁ ୬୦ ବର୍ଷ ବୟସ୍କ ଏବଂ ୭ ପ୍ରତିଶତ ବ୍ୟକ୍ତି ୪୦ ବର୍ଷରୁ କମ୍‍ ବୟସ ବୋଲି ଅଗ୍ରୱାଲ ସୂଚନା ଦେଇଛନ୍ତି।

କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ସରକାରଙ୍କ ନିୟମାବଳୀ ପାଳନ କରିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଦେଶରେ ଲକ୍‍ଡାଉନ୍‍ ସମୟରେ ୧୬ଲକ୍ଷ ୯୪ହଜାର ମେଟ୍ରିକ୍‍ ଟନ୍‍ ଖାଦ୍ୟ ସାମଗ୍ରୀ ପରିବହନ କରାଯାଇଥିବା ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୧୩ଟି ରାଜ୍ୟକୁ ୧ଲକ୍ଷ ୩୦ ହଜାର ମେଟ୍ରିକ୍‍ ଟନ୍‍ ଗହମ ଏବଂ ୮ଟି ରାଜ୍ୟକୁ ୧ଲକ୍ଷ ୨୦ ହଜାର ମେଟ୍ରିକଟନ୍‍ ଚାଉଳ ଯୋଗାଇ ଦିଆଯାଇଛି। ସେ କହିଛନ୍ତି, ଭାରତୀୟ ଖାଦ୍ୟ ନିଗମ ନିକଟରେ ୫୫ଲକ୍ଷ ୪୭୦ ହଜାର ମେଟ୍ରିକ୍‍ ଟନ୍‍ ଖାଦ୍ୟ ସାମଗ୍ରୀ ମହଜୁଦ ରହିଛି। ସେ ଆହୁରି କହିଛନ୍ତି, କରୋନା ଭୂତାଣୁ ସଂକ୍ରମଣର ମୁକାବିଲା କରିବା ପାଇଁ ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ଏ ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ୧୧ଶହ କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ ଆଉ ଅଧିକ ୩ହଜାର କୋଟି ଟଙ୍କା ପ୍ରଦାନ କରାଯିବ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯୁଗ୍ମ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି ଯେ ଲକ୍‍ଡାଉନ୍‍ ସମୟରେ ସମସ୍ତ ନିୟମାବଳୀ ସଠିକ୍‍ ଭାବରେ କାର୍ଯ୍ୟକାରୀ କରାଯାଇଛି। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଠିକ୍‍ ଭାବରେ ଉପଲବ୍ଧ ହୋଇପାରିଛି। ସେ କହିଛନ୍ତିପ୍ରାୟ ୨୫ହଜାର ତବଲିଗି ଜମାତ କର୍ମଚାରୀଙ୍କୁ ଏକାନ୍ତବାସରେ ରଖାଯାଇଥିବା ବେଳେ ସେମାନେ ଯାଇଥିବା ହରିଆଣାର ୫ଟି ଗାଁକୁ ସିଲ୍‍ କରିଦିଆଯାଇଛି।

Comments are closed.