ପୂର୍ବତଟ ରେଳବାଇ ପକ୍ଷରୁ ୨୩ ହଜାରଙ୍କୁ ଖାଦ୍ୟ ବଣ୍ଟନ
ସମ୍ବଲପୁର: କରୋନା ଭୂତାଣୁ ବିଶ୍ୱରେ ମହାମାରୀ ରୂପ ନେବା ପରେ ଲକ ଡାଉନ ଯୋଗୁଁ ଭାରତୀୟ ରେଳବାଇର ଯାତ୍ରୀବାହୀ ସେବାକୁ ବନ୍ଦ କରାଯାଇଛି। ତେବେ ରେଳବାଇ ଯାତ୍ରୀସେବା ସହିତ ସଂଶ୍ଲିଷ୍ଟ ଥିବା କୁଲି, ଦିନ ମଜୁରିଆମାନେ ଏବେ ବେରୋଜଗାର ହୋଇ ରହିଛନ୍ତି। ଏହା ସହିତ ବହୁ ଅସହାୟ ବ୍ୟକ୍ତି ରେଳ ପରିସର ଗୁଡିକରେ ଆଶ୍ରୟ ନେଇଛନ୍ତି। ତେବେ ପୂର୍ବତଟ ରେଳବାଇ ତାର ସାମାଜିକ ଦାୟିତ୍ୱ ନିର୍ବାହ କରି ବିଗତ ୧୦ ଦିନ ମଧ୍ୟରେ ୨୩ ହଜାରରୁ ଉର୍ଦ୍ଧ ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି ବୋଲି ସୂଚନା ଦିଆଯାଇଛି। ପୂର୍ବତଟ ରେଳବାଇ ପକ୍ଷରୁ ଜାରି ସୂଚନାନୁଯାୟୀ, ପୂର୍ବତଟ ରେଳପଥ ପରିସୀମ ମଧ୍ୟରେ ଆଇଆରସିଟିସି, ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ତରଫରୁ ୧୬ ହଜାର ୪୦୦, ବିଭିନ୍ନ ରେଳ ଷ୍ଟେସନ ଓ ତାହାର ପରିସରରେ ରେଳ ସୁରକ୍ଷାବଳ ତରଫରୁ ୪୩୧୪ ଓ ସ୍ୱେଚ୍ଛାସେବୀ ସଙ୍ଗଠନ ମାନଙ୍କ ଦ୍ୱାରା ୨୨୯୭ ବ୍ୟକ୍ତିଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି। ପୂର୍ବ ତଟ ରେଳପଥ ତାର ସମସ୍ତ ଏଜେନ୍ସି, ରେଳ ସୁରକ୍ଷାବଳ, ବିଭିନ୍ନ ବେସରକାରୀ ସଂଗଠନ, ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନ, ରେଳ କର୍ମଚାରୀ ମିଳିତ ଭାବେ ଏହି ସେବା କାର୍ଯ୍ୟକୁ ଆଗେଇ ନେଉଛନ୍ତି।
ଆଇ.ଆର୍.ସି.ଟି.ସି.ର ଖୋର୍ଦ୍ଧାରୋଡ ସ୍ଥିତ ମୂଳ ରୋଷେଇଶାଳା, ବିଶାଖାପାଟଣା ଫୁଡକୋର୍ଟ, ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ପାରାଦ୍ୱୀପ, ଖୋର୍ଦ୍ଧାରୋଡ଼, ବିଶାଖାପାଟଣା, ବିଜୟନଗରମ, ସମ୍ବଲପୁର, ଟିଟିଲାଗଡ଼, ବଲାଙ୍ଗୀର ଆଦି ବିଭିନ୍ନ ଷ୍ଟେସନମାନଙ୍କରେ ରେଳ ସୁରକ୍ଷାବଳଙ୍କ ସହ ସମ୍ବଲୁପର ଶାଖାର ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ, ମାରୱାଡ଼ି ଯୁବମଞ୍ଚ ଓ କୁମୁଡ଼ା ପାହାଡ଼ ସୁରକ୍ଷା ସମିତି ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ମିଳିତ ଭାବରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଖାଦ୍ୟ ଋଚି ଅନୁଯାୟୀ ଲେମନ ରାଇସ, ଖିଚଡି, ଚୋଖା, ଭାତ, ଡାଲମା, ତରକାରୀ ଇତ୍ୟାଦି ବିଭିନ୍ନ ପ୍ରକାରର ଖାଦ୍ୟ ପ୍ୟାକେଟ/ମିଲ ଗରିବ, ଦୁସ୍ଥ ଓ ନିଃସହାୟ ଲୋକଙ୍କୁ ପ୍ରଦାନ କରୁଛନ୍ତି ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ଏହି ବିଶ୍ୱବ୍ୟାପି ଆପଦା ମୁହୁର୍ତ୍ତରେ ରେଳବାଇ ପକ୍ଷରୁ କରାଯାଉଥିବା ସମାଜ ସେବାକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।
Comments are closed.