www.samajalive.in
Tuesday, December 9, 2025
26.1 C
Bhubaneswar

ରେଳବାଇ ତିଆରି କରୁଛି ମାସ୍କ ଓ ସାନିଟାଇଜର

ସମ୍ବଲପୁର: କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶକୁ ଲକ ଡାଉନ କରାଯାଇଛି। ଏହି ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବାରମ୍ବାର ସାବୁନରେ ହାତ ୨୦ ସେକେଣ୍ଡ ପର୍ଯ୍ୟନ୍ତ ଧୋଇବା, ସାନିଟାଇଜର, ମାସ୍କର ବ୍ୟବହାର ସହିତ ସାମାଜିକ ଦୂରତ୍ୱ ରକ୍ଷା ଆଦି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଉଛି। ଏବେ ବଜାରରେ ମାସ୍କ ଓ ସାନିଟାଇଜରର ଘୋର ଅଭାବ ପରିଲକ୍ଷିତ ହେଉଥିବା ବେଳେ ପୂର୍ବତଟ ରେଳବାଇ ତରଫରୁ ନିଜସ୍ୱ ଚାହିଦାକୁ ମେଣ୍ଟାଇବା ପାଇଁ ନିଜର ସମ୍ବଳ ବ୍ୟବହାର କରି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ମାନକ ଫର୍ମୁଲା ଅନୁଯାୟୀ ସାନିଟାଇଜର ଓ ମାସ୍କ ନିର୍ମାଣ ଆରମ୍ଭ କରାଯାଇଛି। ରେଳବାଇ ତରଫରୁ ଜାରି ସୂଚନାନୁଯାୟୀ, କରୋନା ଭୂତାଣୁର ବିରୋଧରେ ମୁକାବିଲା ପାଇଁ ରେଳବାଇ ଯାତ୍ରୀବାହୀ ସେବା ବନ୍ଦ ରଖିଥିବା ବେଳେ ସାଧାରଣ ବିତରଣ ପ୍ରଣାଳୀ ପାଇଁ ଖାଦ୍ୟଶସ୍ୟ, ପେଟ୍ରୋଲ, ଡିଜେଲ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ପରିବହନ କରୁଥିବା ବେଳେ ସଙ୍ଗରୋଧ ଅଥବା ପୃଥକୀକରଣ ପାଇଁ ରେଳବାଇ କୋଚ ଗୁଡିକର ରୂପାନ୍ତର କାର୍ଯ୍ୟ ମଧ୍ୟ ଜୋରସୋରରେ କରୁଛି। ବଜାରରେ ମାସ୍କ ଓ ସାନିଟାଇଜର ଅଭାବକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳବାଇର ୱାର୍କସଫ, ସେଡ ଓ ଡିପୋ ଗୁଡିକରେ ଏହାର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏ ପର୍ଯ୍ୟନ୍ତ ୨୪ ହଜାର ୩୧୪ଟି ମାସ୍କ ଓ ୪୩୦ ଲିଟର ସାନିଟାଇଜର ନିର୍ମାଣ କରାଯାଇ ସାରିଛି।

ପୂର୍ବତଟ ରେଳବାଇର ତିନୋଟି ମଣ୍ଡଳରେ ରହିଥିବା ସଂଶାଧନର ବିନିଯୋଗ କରାଯାଇ ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧା ମଣ୍ଡଳର ଭୁବନେଶ୍ୱର ଓ ପୁରୀରେ ୭ ଶହ ମାସ୍କ ଏବଂ ଅନୁଗୁଳ ବିଦ୍ୟୁତ ଲୋକୋ ସେଡରେ ୫୦ ଲିଟର ସାନିଟାଇଜର ପ୍ରସ୍ତୁତ କରିଛି। ସେହଭଳି ସମ୍ବଲପୁର ରେଳ ମଣ୍ଡଳର ଇଞ୍ଜିନିୟରିଂ, ବାଣିଜ୍ୟ, ମେକାନିକାଲ ବିଭାଗ ମିଳିତ ଭାବରେ ୨୪୧୪ଟି ମାସ୍କ ନିର୍ମାଣ କରିଥିବା ବେଳେ ସମ୍ବଲପୁର କୋଚିଙ୍ଗ ଡିପୋ ରେ ୧୦ ଲିଟର ସାନିଟାଇଜର ପ୍ରସ୍ତୁତ କରାଯାଇଛି। ସେହିପରି ୱାଲଟିୟର ମଣ୍ଡଳରେ ୨୦ ହଜାର ମାସ୍କ ଓ ବିଶାଖାପଟନମ ଡିଜେଲ ଲୋକୋ ସେଟରେ ୩ ଶହ ଲିଟରର ସାନିଟାଇଜର ନିର୍ମାଣ କରାଯାଇଛି। ମଞ୍ଚେଶ୍ୱର ରେଳ ଡବା କାରଖାନାରେ ୧୨ ଶହଟି ମାସ୍କ ଓ ୭୦ ଲିଟର ସାନିଟାଇଜର ନିର୍ମାଣ କରାଯାଇଛି। ଏହି ସାମଗ୍ରୀ ଗୁଡିକୁ ନିର୍ମାଣର ଦର ବଜାର ଦର ଠାରୁ ଏକ ଦଶମାଂଶ ଅଟେ। ଏହି ମାସ୍କ ଓ ସାନିଟାଇଜର ଗୁଡିକୁ ରେଳବାଇ କର୍ମଚାରୀ ମାନଙ୍କୁ ପ୍ରଦାନ କରାଯାଉଛି। ଏହା ଦ୍ୱାରା ରେଳବାଇର ବିପୁଳ ସଞ୍ଚୟ ହେବା ସହିତ କର୍ମଚାରୀ ମାନଙ୍କୁ ସାମାଗ୍ରୀ ଶୀଘ୍ର ମିଳି ପାରୁଛି ବୋଲି ରେଳବାଇ ତରଫରୁ ସୂଚନା ପ୍ରଦାନ କରାଯାଇଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories