nua o banner

ଲକ୍ଷ୍ମଣରେଖା : ସଂଯମ ଓ ଶୃଙ୍ଖଳା ହିଁ ପ୍ରକୃତିର ନିୟମ

BJD Bijuli 480×75 Mob

ପଦାର୍ଥ ବିଜ୍ଞାନୀଙ୍କ ମତରେ ପୃଥିବୀ ଭାରସାମ୍ୟ ରକ୍ଷା ନିୟମରେ ତିଷ୍ଠି ରହିଛି। ଏହି ନିୟମ ଅନୁଯାୟୀ, ପୃଥିବୀ କୌଣସି ଗୋଟିଏ ପାର୍ଶ୍ବ ଭାରି କିମ୍ବା ହାଲ୍‍କା ହେଲେ ବିପରୀତ ପାର୍ଶ୍ବ ହାଲ୍‍କା କିମ୍ବା ଭାରି ହେବାକୁ ବାଧ୍ୟ। କରୋନା ଆଣିଥିବା ଅନେକ ତିକ୍ତମଧୁର ଅନୁଭୂତି ମଧ୍ୟରୁ ପଦାର୍ଥ ବିଜ୍ଞାନର ଉପରୋକ୍ତ ସନ୍ତୁଳନ ତତ୍ତ୍ୱର ପ୍ରୟୋଗ ଓ ଅନୁଭୂତି ଅନ୍ୟତମ। ‘ଲକ୍‍ ଡାଉନ୍‍’ ଯୋଗୁଁ ଲୋକମାନଙ୍କ ଜୀବନଚର୍ଯ୍ୟା ଓ ଅଭ୍ୟାସରେ ଏକପ୍ରକାର ‘ଲକ୍ଷ୍ମଣରେଖା’ ଟାଣି ହୋଇଯାଇଛି। ଗତାନୁଗତିକ ଚାଲିଚଳଣରେ ଅନେକ ପରିବର୍ତ୍ତନ ଆସିଛି। ନିୟମିତ କାମଧନ୍ଦା ବନ୍ଦ ହୋଇଯାଇଥିବାରୁ ଲୋକମାନଙ୍କର ଶାରୀରିକ ଗତିବିଧି ମନ୍ଥର ହୋଇ ଆସୁଛି। ଅପରପକ୍ଷରେ ଏହି ସମୟ ଭିତରେ ସେମାନଙ୍କ ଜୀବନ ଟିଭି, ସ୍ମାର୍ଟ ଫୋନ୍‍, ଲାପ୍‍ଟପ୍‍ରେ ଅଧିକ ଚଳଚଞ୍ଚଳ ହୋଇଉଠିଛି। କୌଣସି ବିଧିବଦ୍ଧ ପରିସଂଖ୍ୟାନ ଏ ପର୍ଯ୍ୟନ୍ତ ପ୍ରକାଶ ପାଇନଥିଲେ ମଧ୍ୟ ଇତିମଧ୍ୟରେ ସ୍ମାର୍ଟ ଫୋନ୍‍ର ବ୍ୟବହାର ଓ ସାମାଜିକ ଗଣମାଧ୍ୟମରେ ଲୋକଙ୍କ ସକ୍ରିୟତା ଯେ ବଢ଼ିଯାଇଛି, ତାହା ଅନସ୍ୱୀକାର୍ଯ୍ୟ।
ଏହି ସମୟରେ କରୋନାକୁ ଆଧାର କରି ଅନେକ ଚାଟୂକ୍ତି, ବ୍ୟଙ୍ଗ ଓ ସଚେତନ-ଉପଦେଶଧର୍ମୀ ଦୃଶ୍ୟଶ୍ରାବ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍ ହେବାରେ ଲାଗିଛି। ସେଥିମଧ୍ୟରୁ ଗୋଟିକରେ ଜଣେ ଗୃହସ୍ଥ ପତ୍ନୀଙ୍କ ନିର୍ଦେଶାନୁଯାୟୀ ତାଙ୍କ ଘରର ମୁଖ୍ୟ ଫାଟକକୁ ବନ୍ଦ କରି ତା’ ତଳେ ଲକ୍ଷ୍ମଣ ରେଖା(ବଜାରରେ ମିଳୁଥିବା ପିମ୍ପୁଡ଼ି, ଅସରପା ନାଶକାରୀ ଚକ୍‍ ଖଡ଼ି)ରେ ତିନିଟି ଗାର ଟାଣୁଛନ୍ତି। ଜଣେ କେହି ଭଦ୍ରବ୍ୟକ୍ତି କ’ଣ କରୁଛନ୍ତି ବୋଲି ପଚାରନ୍ତେ ଗୃହସ୍ଥଙ୍କ ଉତ୍ତର ହେଉଛି, ‘ମୋଦୀ କହିଛନ୍ତି – ଘର ସାମ୍ନାରେ ଲକ୍ଷ୍ମଣରେଖା ଟାଣିବାକୁ। ଏହାପରେ ଘରୁ କେହି ବାହାରକୁ ଯାଇପାରିବେନି କି ବାହାରୁ କେହି ବି ଘର ଭିତରକୁ ଆସିପାରିବେନି।’ ସରଳବିଶ୍ୱାସୀ ସାଦାସିଧା କଥା ବୁଝୁଥିବା ଓ ତାକୁ କାମରେ ପରିଣତ କରୁଥିବା ଉକ୍ତ ଗୃହସ୍ଥଙ୍କ ଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ତଥାକଥିତ ସ୍ମାର୍ଟ ସମାଜ ଦୃଷ୍ଟିରେ ନିର୍ବୁଦ୍ଧିଆ ଭାବେ ପରିଗଣିତ ହୁଅନ୍ତି, କିନ୍ତୁ ସେମାନଙ୍କର ସେହି ସରଳବିଶ୍ୱାସରେ ନିହିତ ସଂଯମ ଓ ସଂକଳ୍ପର ଶକ୍ତି ହିଁ ଆଜିର କରୋନା ପରି ମହାମାରୀ ଓ ମହାବିପତ୍ତି ସମସ୍ୟାକୁ ସମାଧାନ କରିବାରେ ସକ୍ଷମ – ଏହା ସ୍ମାର୍ଟ ସମାଜ ଏବେ ମଧ୍ୟ ମାନିବାକୁ ପ୍ରସ୍ତୁତ ନୁହନ୍ତି। ତେଣୁ କଟକଣା ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମାମଲା ସଂଖ୍ୟା ଓ ଦଣ୍ଡବିଧାନ ବଢ଼ିବାରେ ଲାଗିଛି।
ସେହି ଗାଉଁଲି ଗୃହସ୍ଥଙ୍କ ଗେଟ୍‍ ସାମ୍ନାରୁ ଦୃଷ୍ଟି ଫେରାଇ ଆଣି ଆଧୁନିକ ସହରର ଦୋକାନବଜାରରେ ଆଜିକାର ସ୍ଥିତି ଓ ପରିସ୍ଥିତିକୁ ଯଦି ଅନୁଧ୍ୟାନ କରାଯାଏ ତେବେ ଏଭଳି ଅନେକ ଲକ୍ଷ୍ଣଣ ରେଖା ଦୃଷ୍ଟିଗୋଚର ହେବ। ଏବେ ପ୍ରାୟ ପ୍ରତ୍ୟେକ ଦୋକାନ ସାମ୍ନାରେ ଅଙ୍କାଯାଇଥିବା ବୃତ୍ତାକାର ଓ ଚତୁଃବର୍ଗାକାର ଅସଂଖ୍ୟ ଲକ୍ଷ୍ଣଣରେଖା ଏବଂ ତା’ ଭିତରେ ଆମ ତଥାକଥିତ ସ୍ମାର୍ଟ ସମାଜର ସଦସ୍ୟମାନେ ଦୀର୍ଘ ସମୟ ଧରି ଠିଆ ହେବାର ଦୃଶ୍ୟ ଦେଖିଲେ ପ୍ରକୃତି ଓ ସମୟର ଶକ୍ତି ସମ୍ପର୍କରେ ଥିବା ଧାରଣା ସ୍ପଷ୍ଟ ହେବ।
ଉଲ୍ଳେଖ ନିଷ୍ପ୍ରୟୋଜନ ଯେ ପ୍ରକୃତିର ଲକ୍ଷ୍ମଣ ରେଖା ଡେଇଁଲେ ପରିଣତି କେତେ ଭୟଙ୍କର ହୋଇପାରେ ତାହା ଏବେ ସମଗ୍ର ବିଶ୍ୱ ଦେଖୁଛି। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି ସେହି ତଥାକଥିତ ସ୍ମାର୍ଟ ସମାଜ ଓ ତାହାର ଉଦ୍ୟୋକ୍ତାମାନେ। ଉଚ୍ଛୃଙ୍ଖଳ ଜୀବନଚର୍ଯ୍ୟାର ତତ୍କାଳ ପ୍ରଭାବ ଜଣାପଡ଼ୁନଥିଲେ ମଧ୍ୟ ତାହାର ସୁଦୂରପ୍ରସାରୀ ପ୍ରଭାବ ଯେ ବ୍ୟକ୍ତି, ପରିବାର, ସମାଜ ଓ ସମଗ୍ର ମାନବଜଗତ ପ୍ରତି ମହାବିପତ୍ତି ଆଣିପାରେ ତାହା ନିଜକୁ ଯୋଗ୍ୟତମ ଦୌଡ଼ ପ୍ରତିଯୋଗିତାରେ ସାମିଲ୍‍ କରିଥିବା ସ୍ମାର୍ଟ ସମାଜର ସଦସ୍ୟମାନେ ଏବେ ହୃଦୟଙ୍ଗମ କରୁଥିବେ ନିଶ୍ଚୟ।
ଏବେ ସମୀକ୍ଷା ଓ ଆତ୍ମାନୁଶୀଳନ କରିବାର ବେଳ ଆସିଛି। ଏହି କିଛିଦିନ(ଲକ୍‍ ଡାଉନ୍‍)ର ସୁଯୋଗରେ ଆମ ଆମ ଜୀବନଚର୍ଯ୍ୟାକୁ ଅତି ନିକଟରୁ ନିରୀକ୍ଷଣ କରି ଅଭ୍ୟାସ ପରିବର୍ତ୍ତନ ପାଇଁ ପରୀକ୍ଷାନିରୀକ୍ଷା କରିପାରିବା। ଆଜି ଲକ୍ଷ୍ମଣ ରେଖା ମଧ୍ୟରେ ଯାହା ସମ୍ଭବ ହୋଇପାରୁଛି ତାହା ଭବିଷ୍ୟତରେ କାହିଁକି ନୁହେଁ। ଲକ୍ଷ୍ମଣରେଖା ମଧ୍ୟରେ ଗତାନୁଗତିକ ଜୀବନଚର୍ଯ୍ୟା ଯଦି ଅଧିକ ଶୃଙ୍ଖଳିତ, ମାର୍ଜିତ ହୋଇପାରୁଛି ତେବେ ଏହାକୁ ବ୍ୟବସ୍ଥାରେ ପରିଣତ କଲେ ତ୍ରୁଟି କ’ଣ ? ଧାଡ଼ିରେ ଯଦି ସମୟ ସଞ୍ଚୟ ହୋଇପାରୁଛି ଓ ପ୍ରକ୍ରିୟା ଅଧିକ ବ୍ୟବସ୍ଥିତ ହୋଇପାରୁଛି ତେବେ ଭିଡ଼ର ଆବଶ୍ୟକତା କାହିଁକି ? ଶୃଙ୍ଖଳା ଯଦି ଯେକୌଣସି ସମସ୍ୟାର ସମାଧାନ ଓ ସଙ୍କଟ ବେଳର ଉପଚାର ତେବେ ଉଚ୍ଛୃଙ୍ଖଳିତ ବ୍ୟଗ୍ରତାର ହେତୁ କଣ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେ ଏକତ୍ୱବାସରୁ ମିଳିପାରିବ। ଜୀବନର ସିଦ୍ଧାନ୍ତରେ ଉପନୀତ ହେବା ପାଇଁ ବର୍ତ୍ତମାନର ଏହି ଏକତ୍ୱବାସ ହିଁ ପ୍ରକୃଷ୍ଟ ବିକଳ୍ପ ଏବଂ ମୁନିଋଷିଙ୍କ ତପଚର୍ଯ୍ୟା ସହିତ ତୁଳନୀୟ।
ଶୃଙ୍ଖଳା, ଧୈର୍ଯ୍ୟ ଓ ସଂଯମ ହେଉଛି ଜୀବନର ନିୟମ ଏବଂ ପ୍ରକୃତିର ଲକ୍ଷ୍ମଣ ରେଖା ମଧ୍ୟରେ ହିଁ ଏହା ସମ୍ଭବ। କରୋନା ମହାବିପତ୍ତିରୁ ମିଳିଥିବା ଏହି ଶିକ୍ଷା ଓ ଅନୁଭବକୁ ଅଭ୍ୟାସରେ ପରିଣତ କରିପାରିଲେ ସୁସ୍ଥ ଓ ନିରାମୟ ଜୀବନର ଅୟମାରମ୍ଭ କରିପାରିବା। ଏକ ସରସ, ସୁନ୍ଦର ଓ ଜୀବନ ଅନୁକୂଳ ପରିବେଶ ପାଇଁ ଆମ ଜୀବନଚର୍ଯ୍ୟାରେ ସଚେତନତାର ଲକ୍ଷ୍ମଣ ରେଖା କାଟିବାର ଏହା ହିଁ ମହାର୍ଘ ମୁହୂର୍ତ୍ତ।

Comments are closed.