୧୪ରୁ ଛାଡ଼ିଯିବ ବର୍ଷା, ୨୨ପରେ ଲଘୁଚାପ

0

ଭୁବନେଶ୍ୱର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ମଙ୍ଗଳବାର ରାଜ୍ୟର ଆଉ କିଛି ଅଂଶକୁ ଛୁଇଁଥିଲେ ହେଁ ପ୍ରତିକୂଳ ପାଗ ମୌସୁମି ଆଗକୁ ବଢ଼ିବାରେ ବାଧକ ସାଜିଛି। ଅବପାତ ବାଂଲାଦେଶ ଅତିକ୍ରମ କରି ଦୁର୍ବଳ ହେବା ସତ୍ତ୍ବେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଝିପିଝିପି ବର୍ଷା ଲାଗି ରହିଥିଲା। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ବର୍ଷାର ପ୍ରଭାବ ରହିବ। ମୌସୁମି ସକ୍ରିୟ ହୋଇପାରୁ ନ ଥିବାରୁ ଆଗକୁ ବର୍ଷା ପରିମାଣ କମିବାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏଥର ରଜରେ ବର୍ଷା ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ୍‍.ଆର୍‍.ବିଶ୍ୱାସ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ଓୟୁଏଟି କୁଳପତି ପ୍ର. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଟ୍ରଫଲାଇନ କିମ୍ବା ଲଘୁଚାପ ନଥିବାରୁ ସପ୍ତାହକ ମଧ୍ୟରେ ମୌସୁମି ବିଶେଷ ସକ୍ରିୟ ହେବାର ସମ୍ଭାବନା ନାହିଁ। ତେଣୁ ୧୪ରୁ ୨୦ ପର୍ଯ୍ୟନ୍ତ ପାଗ ଶୁଖିଲା ରହିପାରେ। ଯଦି ଏହା ମଧ୍ୟରେ ଲଘୁଚାପ ହେବ ତେବେ ପାଗ ବଦଳିଯିବ। ତେବେ ଚାଷୀକୁଳ ଆତଙ୍କିତ ହେବାର କାରଣ ନାହିଁ। ସେ କହିଛନ୍ତି ଯେ ମଙ୍ଗଳବାର ପର୍ଯ୍ୟନ୍ତ ରାଜ୍ୟରେ ୬୧ମିମି ବର୍ଷା ହୋଇଛି। ଏହା ସ୍ୱାଭାବିକଠାରୁ ୧୮% ଅଧିକ। ମାଲକାନଗିରି, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଯାଜପୁରର କିଛି ଅଞ୍ଚଳରେ ସ୍ୱାଭାବିକଠାରୁ ଅଧିକ ଏବଂ ଗଞ୍ଜାମ, କନ୍ଧମାଳ, ଗଜପତି ଓ ଭଦ୍ରକରେ ସ୍ୱାଭାବିକ ହୋଇଛି। ଦେବଗଡ଼, ଅନୁଗୋଳ, କଟକ, ନବରଙ୍ଗପୁର, ଜଗତସିଂହପୁରରେ କମ୍‍ ବର୍ଷା ହୋଇଛି। ମୌସୁମି ଆସିଲେ ରାଜସ୍ଥାନ ଓ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଟ୍ରଫଲାଇନ ପ୍ରଭାବରେ ଦକ୍ଷିଣା ପବନ ଯୋଗୁଁ ବର୍ଷା ହୋଇଥାଏ। ହେଲେ ଏ ପର୍ଯ୍ୟନ୍ତ ଟ୍ରଫଲାଇନ ସୃଷ୍ଟି ହୋଇନାହିଁ। ଏହାଛଡ଼ା ମୌସୁମି ସମୟରେ ଲଘୁଚାପ ପ୍ରଭାବରେ ବର୍ଷା ହୋଇଥାଏ। କିନ୍ତୁ ଏ ପର୍ଯ୍ୟନ୍ତ ବଡ଼ ଧରଣର ଲଘୁଚାପ ହୋଇନାହିଁ। ୨୦ ପର୍ଯ୍ୟନ୍ତ ମୌସୁମିଟ୍ରଫ କିମ୍ବା ଲଘୁଚାପର ସମ୍ଭାବନା ନାହିଁ। ଫଳରେ ୧୪ତାରିଖ ପରଠୁ ପାଗ ଶୁଖିଲା ରହିବ। ଏବେ ଦକ୍ଷିଣ ପବନ ପରିବର୍ତ୍ତେ ପଶ୍ଚିମା ପବନ ବହୁଥିବାରୁ ରାଜସ୍ଥାନରୁୁ ଗରମ ପବନ ପ୍ରବାହିତ ହେଉଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ୨୨ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ଚାଷୀମାନେ ବର୍ଷା ଛାଡ଼ିଗଲେ ବି ଆତଙ୍କିତ ନହୋଇ ଖାଲ ଜମିରେ ବୁଣାବୁଣି କରିବାକୁ ସେ ପରାମର୍ଶ ଦେଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ଉତ୍ତର-ଆଭ୍ୟନ୍ତରୀଣ ଓଡ଼ିଶା, ସୁନ୍ଦରଗଡ଼ ଓ ସମ୍ବଲପୁରର ଅନେକ ସ୍ଥାନରେ ବର୍ଷା ହୋଇଛି। ହେମଗିରି, ବୁର୍ଲା ଓ ହୀରାକୁଦରେ ୭ ସେମିରୁ ଅଧିକ ବର୍ଷା ରେକର୍ଡ଼ ହୋଇଛି। ଆଗାମୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, ଦେଓଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଯାଜପୁର, ଢେଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ ଓ ୪୫-୫୫ କିମି ବେଗରେ ପବନ ବହିବ। ମତ୍ସ୍ୟଜୀବୀଙ୍କୁ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

Leave A Reply