www.samajalive.in
Thursday, December 11, 2025
14.1 C
Bhubaneswar

କରୋନା ଓ କୂଟନୀତି : ବିଶ୍ବ ସଂଗଠନର ଆଦର୍ଶକୁ କୁଠାରାଘାତ

ବିଶ୍ବ ମହାମାରୀର ରୂପ ନେଇଥିବା କରୋନାର ସଂହାରଲୀଳା କେବେ ଶେଷ ହେବ ତାହା କହିବା କଷ୍ଟ। ଚୀନରୁ ଆରମ୍ଭ ହୋଇଥିବା ଏଇ ବ୍ୟାଧି ବିଶ୍ବର ସବୁ ଦେଶକୁ ଛୁଇଁଥିବାବେଳେ ସେ ଦେଶରେ କ୍ରମଶଃ ନିଷ୍ପ୍ରଭ ହେଉଛି। ଆଶ୍ଚର୍ଯ୍ୟର କଥା ଯେ ଚୀନ୍‌ କରୋନାର ଉତ୍ପତ୍ତିସ୍ଥଳ ହୋଇଥିଲେ ହେଁ ଏହା ସେ ଦେଶର ଅଳ୍ପକେତେକ ପ୍ରଦେଶରେ ସୀମିତ ରହିଥିଲା। ସାରା ବିଶ୍ବକୁ ଜୟ କରିଥିବା କରୋନା କିପରି ସମଗ୍ର ଚୀନ, ବିଶେଷ କରି ରାଜଧାନୀ ବେଜିଂ ଓ ସାଂଘାଇ ଭଳି ଅତି ଜନାକୀର୍ଣ୍ଣ ନଗରୀକୁ ସଂକ୍ରମିତ କରିପାରିଲା ନାହିଁ ତାହା ରହସ୍ୟଜନକ। ତେବେ ସେ ଯା’ହେଉ ସମଗ୍ର ବିଶ୍ବ ଏବେ କରୋନାଗ୍ରସ୍ତ ଓ ଆତଙ୍କିତ। ସମୁଦାୟ ପୃଥିବୀର ଅର୍ଥନୀତି, ରାଜନୀତି ଓ ସାମାଜିକ ବ୍ୟବସ୍ଥା ପ୍ରତି ଏହା ବିପଦ ସୃଷ୍ଟି କରିଛି। ଗୋଟିଏ ବ୍ୟାଧି ଯେ ବିଶ୍ବଶାନ୍ତି ଓ ସ୍ଥିରତା ପାଇଁ ପ୍ରକୃତ ବିପଦ ଆଣିପାରେ, କରୋନା ତାହା ପ୍ରମାଣିତ କରିଛି ତାହାର କରାମତି ଦେଖାଇ। ଏହା ସତ୍ତ୍ବେ ଜାତିସଂଘ ନିରାପତ୍ତା ପରିଷଦରେ କରୋନା ସମ୍ପର୍କରେ ଆଲୋଚନା ହୋଇପାରିବ ନାହିଁ। ଏହା ପଛରେ ଚୀନର କୂଟନୀତି ଓ ଚାପ ସଫଳ ହୋଇଛି। ନିରାପତ୍ତା ପରିଷଦରେ କରୋନା ଉପରେ ଆଲୋଚନା ହୋଇଥିଲେ ଚୀନ ତାହାର କିଛି ଆପତ୍ତିଜନକ କାର୍ଯ୍ୟପାଇଁ ଆନ୍ତର୍ଜାତିକ ସ୍ତରରେ ନିନ୍ଦିତ ହୋଇଥାନ୍ତା। ସେଇ ଲଜ୍ଜାରୁ ବଞ୍ଚିବାପାଇଁ ଚୀନ ନିଜର କୂଟନୈତିକ ପ୍ରଭାବ ବିସ୍ତାର କରି ଏହି ପ୍ରସ୍ତାବକୁ ଟାଳିବାରେ ସଫଳ ହୋଇଛି।
ଇସ୍ତୋନିଆ ନିରାପତ୍ତା ପରିଷଦରେ ଏକ ପ୍ରସ୍ତାବ ଆଣି କରୋନା ଭୂତାଣୁ ସଂକ୍ରମଣ ଭଳି ଏକ ଆନ୍ତର୍ଜାତିକ ବିପଦ ସମ୍ପର୍କରେ ଆଲୋଚନା ଚାହୁଁଥିଲା। ତେବେ ପନ୍ଦର ସଦସ୍ୟ ବିଶିଷ୍ଟ ପରିଷଦର ଅଧ୍ୟକ୍ଷ ଥିବା ଚୀନ ଏହି ପ୍ରସ୍ତାବକୁ ରୁଷିଆ ଓ ଦକ୍ଷିଣ ଆଫ୍ରିକାର ସମର୍ଥନରେ ନାକଚ କରିବାରେ ସଫଳ ହୋଇଛି। ଏଇସବୁ ରାଷ୍ଟ୍ର କହିଛନ୍ତି ଯେ କରୋନା ଦ୍ବାରା ବିଶ୍ବ ଶାନ୍ତି ଓ ସ୍ଥିରତା ବିପନ୍ନ ହୋଇନାହିଁ। କରୋନା ସିନା ଯୁଦ୍ଧ ଓ ହିଂସାଭଳି ବିଶ୍ବଶାନ୍ତି ଓ ସ୍ଥିରତାକୁ ବିପନ୍ନ କରିନାହିଁ; ବାସ୍ତବରେ ଏହା ଯେ ସମଗ୍ର ପୃଥିବୀର ମାନବସତ୍ତାକୁ ନିଶ୍ଚିହ୍ନ କରିଦେବାର ଆଶଙ୍କା ସୃଷ୍ଟି କରିଛି ତାହା ସ୍ପଷ୍ଟ। ବାଣିଜ୍ୟିକ ଓ ଅନ୍ୟାନ୍ୟ ସ୍ବାର୍ଥ ତଥା କୂଟନୀତିକ ପ୍ରସଙ୍ଗକୁ ନେଇ ଚୀନ ଏକ ଅଡ଼ୁଆ ପରିସ୍ଥିତିରୁ ବଞ୍ଚିବାରେ ସଫଳ ହୋଇଛି ସିନା, ବିଶ୍ବ ସଂଗଠନର ନୀତି ଓ ଆଦର୍ଶକୁ ଏହାଦ୍ବାରା କୁଠାରାଘାତ କରିଛି। ପରିଷଦରେ ପ୍ରସ୍ତାବ ସର୍ବସମ୍ମତି ନ’ହେଲେ ତାହା ଆଲୋଚନା ପାଇଁ ଗୃହୀତ ହୁଏନାହିଁ। ତେଣୁ ଇସ୍ତୋନିଆ ପ୍ରସ୍ତାବଟି କାଟ ଖାଇଯାଇଛି। ବିଡ଼ମ୍ବନାର ବିଷୟ ନିରାପତ୍ତା ପରିଷଦର ସବୁ ସ୍ଥାୟୀ ତଥା ଭିଟୋ କ୍ଷମତାଧାରୀ ସଦସ୍ୟ ଆମେରିକା, ଚୀନ, ବ୍ରିଟେନ, ରୁଷିଆ ଓ ଫ୍ରାନ୍ସ କରୋନା ପ୍ରଭାବରେ ସବୁଠୁ ବେଶୀ ପ୍ରଭାବିତ ଓ କ୍ଷତିଗ୍ରସ୍ତ। ପ୍ରଭାବଶାଳୀମାନେ ନିଜ ଦୁର୍ବଳତା ଓ ଚର୍ଚ୍ଚାକୁ ସବୁବେଳେ ଏମିତି ଲୁଚାଇବାକୁ ଚେଷ୍ଟା କରିଥାନ୍ତି। କଥାରେ ଅଛି- ‘ଲୁଚିଛି, ନା ଗୋଡ଼ ଦିଇଟି ଦିଶୁଛି।’

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories