ଖୁବ୍‍ ଶୀଘ୍ର ଉତ୍ତର କୋରିଆ ଅଣୁଅସ୍ତ୍ର ମୁକ୍ତ ହେବ: ଟ୍ରମ୍ପ

0

ସିଙ୍ଗାପୁର: ଉତ୍ତର କୋରିଆ ଖୁବ୍‍ ଶୀଘ୍ର ତାର ସବୁ ଆଣବିକ ଅସ୍ତ୍ରକୁ ନଷ୍ଟ କରିବ। ଶିଖର ବୈଠକ ଆଲୋଚନା ବେଳେ ଉତ୍ତର କୋରିଆ ରାଷ୍ଟ୍ରପତି କିମ୍‍ ଜୋଙ୍ଗ ଉନ୍‍ ଏହି ପ୍ରତିଶ୍ରୁତି ଦେଇଛନ୍ତି। ଶିଖର ବୈଠକ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି। ଏହି ମର୍ମରେ ଦୁଇ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଏହି ଐତିହାସିକ ଶିଖର ବୈଠକ ଓ ଆଣବିକ ନିରସ୍ତ୍ରୀକରଣ ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତିପତ୍ରର ସବିଶେଷ ତଥ୍ୟ ଜଣାପଡ଼ି ନଥିଲେ ହେଁ ସାମ୍ବାଦିକମାନଙ୍କୁ ଟ୍ରମ୍ପ ଏହି ଚୁକ୍ତିପତ୍ରକୁ ଦେଖାଇଥିଲେ।
ସାମ୍ବାଦିକଙ୍କୁ ସମ୍ବୋଧିତ କରିବା ଅବସରରେ ଟ୍ରମ୍ପ କହିଛନ୍ତି ଯେ ଉତ୍ତର କୋରିଆ ସହିତ ସେ ଏକ ସ୍ୱତନ୍ତ୍ର ଓ ସମ୍ପୂର୍ଣ୍ଣ ଭିନ୍ନ ଧରଣର ସମ୍ପର୍କ ସ୍ଥାପନ ଉଦ୍ୟମ କରିଛନ୍ତି। ଜନସାଧାରଣ ଏଥିରେ ବହୁତ ଖୁସି ଓ ପ୍ରଭାବିତ। ଆଗାମୀ ଦିନରେ ବିଶ୍ୱର ବହୁ ଭୟଙ୍କର ସମସ୍ୟାର ସମାଧାନ ଦିଗରେ ଦୁଇ ଦେଶ ମିଳିତ ଉଦ୍ୟମ କରିବେ। ଆଗାମୀ ଦିନରେ ହ୍ୱାଇଟ୍‍ ହାଉସ୍‍କୁ କିମ୍‍ଙ୍କୁ ସେ ନିମନ୍ତ୍ରଣ କରିବେ ବୋଲି କହିଛନ୍ତି। ଏଥିସହିତ ଶିଖର ବୈଠକ ଆଶାତୀତ ସଫଳ ହୋଇଛି ବୋଲି ସେ କହିଛନ୍ତି। ସେହିପରି କିମ୍‍ କହିଛନ୍ତି ଯେ ଆମେ ଇତିହାସ ଭୁଲି ନୂଆ ସମ୍ପର୍କ ଆରମ୍ଭ କରିବାକୁ ଯାଉଛୁ। ଆଗାମୀ ଦିନରେ ବିଶ୍ୱ ଏକ ବିରାଟ ପରିବର୍ତ୍ତନ ଦେଖିବ। ବୈଠକ ପରେ ଦୁଇ ନେତା ଟ୍ରମ୍ପଙ୍କ ବୁଲେଟ୍‍ ପ୍ରୁଫ୍‍ କାର ‘ଦ ବେଷ୍ଟ’ ପାଖକୁ ଯାଇଥିଲେ।

kalyan agarbati
Leave A Reply