ଜିଲା ଓ ସବ୍‍ଡିଭିଜନରେ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ

0

ଭୁବନେଶ୍ୱର : ଶ୍ରୀମନ୍ଦିର ପରିଚାଳନା ଠିକ୍‍ ଭାବେ ହେଉନାହିଁ ଏବଂ ମହାପ୍ରଭୁଙ୍କ ନୀତିରେ ଅବହେଳା ହେଉଥିବା ନେଇ ୨ଦିନ ତଳେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦେଶନାମା ରାଜ୍ୟ ସରକାରଙ୍କ ଅପାରଗତାକୁ ସ୍ପଷ୍ଟ କରୁଛି ବୋଲି ବିଜେପି ଅଭିଯୋଗ କରିଛି। ରବିବାର ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଘୋଷଣା କରି ରାଜ୍ୟସରକାର ଦୋଷୀକୁ ଧରିବା ପାଇଁ ଆଇନଗତ ପଦକ୍ଷେପ ନେବା ପରିବର୍ତ୍ତେ ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ବିଚାରବିଭାଗୀୟ ତଦନ୍ତ ନାଁରେ ଅପଚେଷ୍ଟା କରୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ ଓଡିଆ ଜାତିର ଆରାଧ୍ୟ ଦେବତା। ସାଢ଼େ ୪କୋଟି ଲୋକଙ୍କ ଭାବାବେଗ ଯାହାଙ୍କ ସହିତ ଜଡ଼ିତ ତାକୁ ନେଇ ସରକାର ଲୋକଙ୍କୁ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି। ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶରେ ରତ୍ନଭଣ୍ଡାରର ଭିତର ଗୃହର ସୁରକ୍ଷା ନେଇ ଏପ୍ରିଲ ୪ରେ ଯାଞ୍ଚ କରାଯାଇଥିବା ଦିନରୁ ଏହି ଗୁରୁତ୍ୱପୂର୍ଣ ଚାବି ହଜିଥିବା ସୂଚନା ସରକାରଙ୍କ ପାଖରେ ଅଛି। ମାତ୍ର ଘଟଣାକୁ ସାର୍ବଜନୀନ କରି ଆଇନଗତ ପଦକ୍ଷେପ ନେବା ବଦଳରେ ରାଜ୍ୟ ସରକାର ଜାଣିଶୁଣି ଘଟଣାକୁ ଚାପି ରଖିବା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଧନ ସମ୍ପତ୍ତି ନେଇ ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାଜ୍ୟ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟ ଥିବା ସନ୍ଦେହ ସୃଷ୍ଟି ହେଉଛି ବୋଲି ସେ କହିଛନ୍ତି। ମାମଲା ଦୀର୍ଘଦିନ ପରେ ବି ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍‍ ରହିଛନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। ନିକଟ ଅତୀତରେ ମହାପ୍ରସାଦରେ ବିଭ୍ରାଟ ନେଇ ମହାପ୍ରଭୁଙ୍କୁ ଉପବାସରେ ରହିବାକୁ ପଡିଥିଲା। ସାରା ଜଗତକୁ କୃପା ଦୃଷ୍ଟିରେ ଚାହିଁଥିବା ମହାପ୍ରଭୁଙ୍କୁ ରାଜ୍ୟ ସରକାର କରୁଥିବା ଅବହେଳା ବିରୁଦ୍ଧରେ ସମଗ୍ର ବିଶ୍ୱର ଭକ୍ତ ମଣ୍ଡଳୀକୁ ଏକାଠି ହେବାକୁ ପଡିବ। ମହାପ୍ରଭୁଙ୍କୁ ଓଡିଶା ସରକାରଙ୍କ ଅବହେଳା ନେଇ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜ ଦିବ୍ୟ ସିଂହଦେବ ପୂର୍ବରୁ ବାରମ୍ବାର ମତ ଦେଇ ଆସିଛନ୍ତି। ମହାପ୍ରଭୁଙ୍କ ଏହି ଦୁଇ ପରମଭକ୍ତ ଓ ଅନୁଷ୍ଠାନକୁ ମଧ୍ୟ ରାଜ୍ୟ ସରକାର ଅଣଦେଖା କରି ଚାଲିଛନ୍ତି। ୧୯୬୦ ମସିହାରୁ ଗଜପତିଙ୍କ ପାଖରେ ଚାବି ରହୁ ନ ଥିବା ଗଜପତି ସ୍ପଷ୍ଟ କରିଥିବା ବେଳେ ସରକାର ପ୍ରାୟୋଜିତ ଭାବରେ ଏପରି ବକ୍ତବ୍ୟ ଦେଇ ଜାଣି ଶୁଣି ଗଜପତିଙ୍କୁ ସମସ୍ୟା ଭିତରକୁ ଟାଣିବା ନିନ୍ଦନୀୟ ବୋଲି ସେମାନେ କହିଛନ୍ତି। ସରକାରଙ୍କ ଏଭଳି ଅବହେଳା ପ୍ରଦର୍ଶନକୁ ନେଇ ବିଜେପି ପକ୍ଷରୁ ଆସନ୍ତାକାଲି ସମସ୍ତ ଜିଲା ଏବଂ ସବ୍‍ଡିଭିଜନରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ସେହିପରି ୧୨ରୁ ସପ୍ତାହବ୍ୟାପୀ ରାଜ୍ୟତମାମ ସମସ୍ତ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଏହି ମାମଲାରେ ଜନସାଧାରଣଙ୍କ ତରଫରୁ ଏତଲା ଦିଆଯିବ। ଏହାସହ ରାଜ୍ୟସାରା ଥିବା ଜଗନ୍ନାଥ ମନ୍ଦିରଗୁଡିକରେ ସମୂହ ଦୀପଦାନ କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Leave A Reply