୨୯୫ଟଙ୍କାରେ ଅଟୋ ଗଡ଼ିବ୨୪୦କି.ମି

0

କଟକ: ଭୁବନେଶ୍ୱର ପରି କଟକରେ ମଧ୍ୟ ଏଣିକି ଦୌଡ଼ିବ ସିଏନଜି ଅଟୋ। ୨୯୫ଟଙ୍କାର ସିଏନଜି ପକାଇଲେ ଅତିକ୍ରମ କରିବ ୨୪୦ କି.ମି। ଏଥିପାଇଁ ସ୍ୱତନ୍ତ୍ର ଅଟୋ କିଣିବାର ଆବଶ୍ୟକତା ନାହିଁ। ଯେ କୌଣସି ସାଧାରଣ ଅଟୋକୁ ମାତ୍ର ୨୦ରୁ ୨୫ହଜାର ଖର୍ଚ୍ଚ କରି ସିଏନଜିରେ ପରିଣତ କରାଯାଇ ପାରିବ। ଏଥିପାଇଁ ବ୍ୟାଙ୍କ ଋଣ ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି ବୋଲି ଆଜି ଗେଲ ଇଣ୍ଡିଆ ଲି.ର ସାମ୍ବାଦିକ ସମ୍ମିଳନୀରେ କମ୍ପାନୀର ଯୋଜନା ନିର୍ଦେଶକ ଡ. ଆଶୁତୋଷ କର୍ଣ୍ଣାଟକ ସୂଚନା ଦେଇଛନ୍ତି। କଟକବାସୀଙ୍କ ପାଇଁ ଶନିବାର ସିଡିଏ ସେକ୍ଟର-୧ ଓ ବିଦ୍ୟାଧରପୁରଠାରେ ଉଦଘାଟନ ହେବାକୁ ଯାଉଛି ସିଏନଜି ରିଫିଲ ସେଣ୍ଟର। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ରିଫିଲ କେନ୍ଦ୍ରକୁ ଉଦଘାଟନ କରିବେ। କଟକ ସହରରେ ୭ହଜାର ଅଟୋ ଚାଲୁଥିବାବେଳେ ତନ୍ମଧ୍ୟରୁ ୧୫୦ଖଣ୍ଡ ଇତିମଧ୍ୟରେ ସିଏନଜିରେ ପରିବର୍ତ୍ତିତ ହୋଇଯାଇଛି। ସେମାନେ ସିଏନଜି ଗ୍ୟାସ ଭର୍ତ୍ତି କରିବାକୁ ଭୁବନେଶ୍ୱର ଯାଉଥିବାବେଳେ ଏଣିକି କଟକରେ ଏହି ସୁବିଧା ପାଇବେ ବୋଲି ଡ. ଆଶୁତୋଷ ସାମ୍ବାଦିକ ସମ୍ମିଳନୀରେ ଆଶାପ୍ରକାଶ କରିଥିଲେ। ସେହିପରି ଘରୋଇ ଉପଭୋକ୍ତାଙ୍କ ପାଇଁ “ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା’ ଯୋଜନା ଅନ୍ତର୍ଗତ ଗ୍ୟାସ ପାଇପ ଲାଇନ ବିଛା ଯିବାର କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଏଥିପାଇଁ ରାଜ୍ୟରେ ୪୦୦୦କୋଟି ବ୍ୟୟରେ ୭୬୯କିମି ପାଇପ ଲାଇନ ୧୩ଟି ଜିଲାରେ ବିଛାଯିବ। ଭଦ୍ରକ ଯାଜପୁର, ଢେଙ୍କାନାଳ, ଅନୁଗୋଳ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼, ଜଗତସିଂପୁର, କଟକ, ଖୋର୍ଦ୍ଦା, ପୁରୀ ଓ କେନ୍ଦ୍ରପଡ଼ାକୁ ଏହି ପାଇପ ଲାଇ ସଂଯୋଗ କରାଯିବ। ସେହିପରି ରାଜ୍ୟର ପ୍ରମୁଖ ଶିଳ୍ପାଞ୍ଚଳ ତଥା ଖୋର୍ଦ୍ଦା, ଝାରସୁଗୁଡ଼ା, ରାଉରକେଲା, ସମ୍ବଲପୁର, ଭୁବନେଶ୍ୱର, ଅନୁଗୋଳ, ଢେଙ୍କାନାଳ, କଳିଙ୍ଗନଗର, ଜୟପୁର ଓ ପାରାଦ୍ୱୀପକୁ ମଧ୍ୟ ସଂଯୋଗ କରିବାର କାର୍ଯ୍ୟକ୍ରମ ରହିଛି।ଏଲପିଜି ଅପେକ୍ଷା କମ୍‍ ମୂଲ୍ୟରେ କଟକ ଓ ଭୁବନେଶ୍ୱରବାସୀ ଜାଳେଣୀ ଗ୍ୟାସ ବ୍ୟବହାର କରିବେ। ଏହା ପ୍ରଦୁଷଣ ମୁକ୍ତ ହୋଇଥିବାରୁ ଖୁବ୍‍ ଶୀଘ୍ର ଏହା ସହରବାସୀଙ୍କ ପ୍ରଥମ ପସନ୍ଦ ପାଲଟିବ ବୋଲି ଡ. ଆଶୁତୋଷ ସାମ୍ବାଦିକ ସମ୍ମିଳନୀରେ ଆଶାପ୍ରକାଶ କରିଥିଲେ।
ଦେଶରେ ୧୩ଲକ୍ଷ ସିଏନଜି ଗାଡ଼ି ଏବେ ସୁଦ୍ଧା ଚାଲିଛି। ମୋଟ୍‍ ୧୪୦୦ ସିଏନଜି ରିଫିଲ ସେଣ୍ଟର ମଧ୍ୟରୁ ଗେଲ କମ୍ପାନୀ ୯୦୦ଟି ସେଣ୍ଟର ନିର୍ମାଣ କରିଛି। ମାତ୍ର କିଛି ଦିନ ମଧ୍ୟରେ ଭୁବନେଶ୍ୱରରେ ସିଏନଜିର ପ୍ରଚଳନ ହୋଇଥିଲେ ମଧ୍ୟ ଏବେ ସୁଧା ପ୍ରତି ଦିନ ୧୬୦୦କେଜି ସିଏନଜି ବିକ୍ରି ହେଉଛି। ଭୁବନେଶ୍ୱରରେ ହକି ୱାଲ୍ଡ କପ୍‍ ପୂର୍ବରୁ ସହରର ସମସ୍ତ ସ୍କୁଲ ବସକୁ ସିଏନଜିରେ ପରିଣତ କରିବାକୁ କମ୍ପାନୀ ଲକ୍ଷ ରଖିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ପରିଚାଳନା ନିର୍ଦେଶକ ଏସ କେ ପାଠକ ଗଣମାଧ୍ୟମରେ ସୂଚନା ଦେଇଥିଲେ। ସମ୍ମିଳନୀରେ ଅତିରିକ୍ତ ପରିଚାଳନା ନିର୍ଦେଶକ ପଙ୍କଜ ଭଗତ୍‍, ଏକଜିକ୍ୟୁଟିଭ ଡାଇରେକ୍ଟର ଏଚ କେ ଶ୍ରୀବାସ୍ତବ, ଅତିରିକ୍ତ ମହା ପ୍ରବନ୍ଧକ ଜ୍ୟୋତି କୁମାର ପ୍ରମୁଖ ଉପସ୍ଥିତ ରହିବା ସହ ଆଗାମୀ ଏକ ବର୍ଷ ମଧ୍ୟରେ ଟ୍ୱିନ ସିଟିରେ ୨୦ରୁ ୨୫ଟି ନୂଆ ରିଫିଲ କେନ୍ଦ୍ର ଖୋଲିବାର କମ୍ପାନୀର ଯୋଜନା ରହିଛି ବୋଲି ମତବ୍ୟକ୍ତ ଦେଇଥିଲେ।

Leave A Reply