କମ ଖର୍ଚ୍ଚରେ ବିବାହକୁ କରନ୍ତୁ ଆକର୍ଷଣୀୟ
ବିବାହ ଏକ ଏପରି ସମ୍ପର୍କ ଯାହା ଦୁଇଟି ଆତ୍ମାର ମିଳନ ବୋଲି କୁହାଯାଇଥାଏ। ଆଉ ବିବାହ ପାଇଁ ସମସ୍ତେ ବହୁତ କିଛ ସ୍ୱପ୍ନ ଦେଖିଥାନ୍ତି, ମାତ୍ର ଟଙ୍କା ଅଭାବରୁ କିଛି ସ୍ୱପ୍ନ ପୁରଣ ହୋଇ ପାରି ନ ଥାଏ। ସମସ୍ତଙ୍କ ପକ୍ଷେ ଆଡ଼ମ୍ବରର ସହ ବିବାହ କରିବା ସମ୍ଭବ ହୋଇ ନଥାଏ। ବାପା,ମା ମଧ୍ୟ ନିଜ ପୁଅ,ଝିଅଙ୍କ ବିବାହ ପାଇଁ ଅନେକ ଚିନ୍ତାରେ ଥାନ୍ତି। ତେଣୁ ଆସନ୍ତୁ ଜାଣିବା କମ ଟଙ୍କା ଖର୍ଚ୍ଚ କରି କିପରି ଆଡ଼ମ୍ବରର ସହ ବିବାହ ହୋଇପାରିବ।
ଆଡ଼ମ୍ବର ବିବାହ ପାଇଁ ମୁଖ୍ୟତଃ ଯେକୌଣସି ମଣ୍ଡପ ଭଡ଼ାରେ ନେବାକୁ ପଡ଼ିଥାଏ। ଖାସ କରି ସାଜସଜା ପୂର୍ଣ୍ଣ ବାହାଘର ବର୍ତ୍ତମାନ ଯୁବପିଢ଼ିଙ୍କର ପ୍ରଥମ ପସନ୍ଦ ହୋଇଛି। ସେଥିପାଇଁ ବହୁତ ଟଙ୍କା ଦେବାକୁ ପଡ଼ିଥାଏ। ତେଣୁ ଆପଣ କୌଣସି ଖାଲି ସ୍ଥାନ କିମ୍ବା ପାର୍କରେ ଆକର୍ଷଣୀୟ ରୂପେ ସାଜସଜା କରି ବିବାହ ମଣ୍ଡପ ପରି ଆୟୋଜନ କରି ସେଠାରେ ବିବାହ କରିପାରିବେ। ଏପରି କରିବା ଦ୍ୱାରା ଆପଣଙ୍କୁ କେବଳ ସାଜସଜା ପାଇଁ ଖର୍ଚ୍ଚ ଦେବାକୁ ପଡ଼ିଥାଏ।
ବିବାହ ପାଇଁ ଆମେ ଅନେକ ଅତିଥିଙ୍କୁ ନିମନ୍ତ୍ରଣ କରିଥାଉ। ଅତିଥି ମାନେ ବିବାହର ଅଳ୍ପଦିନ ପୂର୍ବରୁ ମଧ୍ୟ ଆସି ଘରେ ରହିଥାନ୍ତି। ତେଣୁ ଅତିଥି ଚର୍ଚ୍ଚାରେ ଅଧିକ ଖର୍ଚ୍ଚ ହୋଇଥାଏ। ଅଧିକ ଅତିଥି ନ ଡ଼ାକି କେବଳ ଘନିଷ୍ଠ ଅତିଥିଙ୍କୁ ଆପଣ ନିମନ୍ତ୍ରଣ କରିପାରିବେ, ଏହାଦ୍ୱାରା କିଛି ଖର୍ଚ୍ଚ କମ ହୋଇଯିବ।
ବିବାହରେ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୋଇଥାଏ ଓ ପରେ ବଳିଲେ ଆମେ ଫୋପାଡ଼ି ଥାଉ। ଏହାଦ୍ୱାରା ଆମର ଖାଦ୍ୟ ଓ ଟଙ୍କା ନଷ୍ଟ ହୋଇଥାଏ। ଖାଦ୍ୟର ତାଲିକା କମ କରନ୍ତୁ ଓ ଦରକାର ମୁତାବକ ଖାଦ୍ୟ ପ୍ରସ୍ତୁତ କରନ୍ତୁ। ବଡ଼ ହୋଟେଲ ପରି ମଧ୍ୟ ଖାଦ୍ୟ ସଜାଇ ପାରିବେ।
ବିବାହରେ ଅନେକ ଉପହାର ମିଳିଥାଏ। ଘରେ ସେହି ଉପହାର ବେକାର ହୋଇ ପଡ଼ି ରହିଥାଏ। ତେଣୁ ଅତିଥିଙ୍କୁ ଉପହାର ଆଣିବାକୁ ମନା କରନ୍ତୁ। ବିବାହ ନିମନ୍ତେ ଯେଉଁ ଜିନିଷ ଦରକାର ଆଣିବାକୁ କହି ଦିଅନ୍ତୁ ନଚେତ ଟଙ୍କା ଆକାରରେ ଦେବା ପାଇଁ କୁହନ୍ତୁ। ଏହାଦ୍ୱାରା ଆପଣଙ୍କ ବିବାହର ଖର୍ଚ୍ଚ କମ ହୋଇଯିବ ଏବଂ ଉପହାରରେ ଅଯଥା ଟଙ୍କା ଖର୍ଚ୍ଚ ହେବ ନାହିଁ।
ବିବାହରେ ମୁଖ୍ୟ ଆକର୍ଷଣୀୟ ହୋଇଥାଏ ଆପଣ ପିନ୍ଧିଥିବା ପୋଷାକ। ଆପଣ ବିବାହ ଦିନ ଯେଉଁ ପୋଷାକ ପିନ୍ଧନ୍ତି ତାହା କେବଳ ଗୋଟିଏ ଦିନ ପିନ୍ଧିଥାନ୍ତି। ତେଣୁ ପୋଷାକରେ ଅଧିକ ଟଙ୍କା ଖର୍ଚ୍ଚ କରିବା ଉଚିତ ନୁହେଁ। ଯେତେ ସମ୍ଭବ ପୋଷାକରେ କମ ଟଙ୍କା ବ୍ୟୟ କରନ୍ତୁ।
ଏପରି କରିବା ଦ୍ୱାରା ଆପଣ କମ ଟଙ୍କା ଖର୍ଚ୍ଚ କରି ଆକର୍ଷଣୀୟ ବିବାହ କରିପାରିବେ।