ଜାଭିୟର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଅଭିଭାବକଙ୍କ ଧାରଣା ଦ୍ୱିତୀୟ ଦିନରେ

0

ପିପିଲି :ଜାଭିୟର ବିଶ୍ୱବିଦ୍ୟାଳୟର ମୁଖ୍ୟଫାଟକ ସମ୍ମୁଖରେ ପୂର୍ବତନ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଦେଇଥିବା ଧାରଣା ଦ୍ୱିତୀୟ ଦିନରେ ପହଞ୍ଚିଛି। ଉକ୍ତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ୍‍ରେ ଏକ୍ସଆଇଏମ୍‍ବି ଲୋଗ ନରହିବା ଫଳରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ କର୍ମନିଯୁକ୍ତି ପାଇବା କ୍ଷେତ୍ରରେ ଘୋର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଳରେ ସେମାନଙ୍କ ଭବିଷ୍ୟତ ଏକପ୍ରକାର ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ସେମାନଙ୍କ ଅଭିଭାବକମାନେ ଗତକାଲି ଠାରୁ ଧାରଣାରେ ବସି ରହିଛନ୍ତି। ଦୁଇଦିନ କାଳ ଧାରଣାରେ ବସିବା ସତ୍ତ୍ବେ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୂର କରିବା ଦିଗରେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷ ଆଗ୍ରହ ପ୍ରକାଶ କରୁନଥିବାରୁ ଅଭିଭାବକଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଅନୁଷ୍ଠାନର କେତେକ ସିକ୍ୟୁରିଟି ଗାର୍ଡ ଓ କର୍ମଚାରୀ ଆନ୍ଦୋଳନରତ ଅଭିଭାବକଙ୍କୁ ଆଜି ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ବିଭିନ୍ନ ଧମକଚମକ ଦେଇ ଆକ୍ରମଣ କରିଥିବା ନେଇ ପିପିଲି ପୁଲିସରେ ଲିଖିତ ଅଭିଯୋଗ ହୋଇଛି। ତେବେ ଅପରାହ୍ନରେ ଜଣେ ମହିଳା ଅଭିଭାବିକାଙ୍କ ଗୋଡ ଉପରେ ସ୍କୁଟି ମଡାଇ ଦିଆଯାଇଥିବା ବେଳେ ସେ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।
ପିପିଲି ଥାନା କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁଖି ସ୍ଥିତ ଜାଭିୟର ବିଶ୍ୱବିଦ୍ୟାଳୟ (ଏକ୍ସୟୁବି)ର ମୁଖ୍ୟ ଫାଟକ ସମ୍ମୁଖରେ ଗତକାଲି ଠାରୁ ଧାରଣାରତ ଅଭିଭାବକଙ୍କ ଅଭିଯୋଗ ଅନୁଯାଇ, ୨୦୧୬-୧୮ ବ୍ୟାଚ୍‍ର ଏମ୍‍ବିଏ ଡିଗ୍ରୀ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ଆଡ୍‍ମିଟକାର୍ଡ, ପରିଚୟପତ୍ର ଓ ସମସ୍ତ ଚିଠିରେ ଏକ୍ସଆଇଏମ୍‍ବି ଲୋଗୋ ରହିଛି। କିନ୍ତୁ ଏମ୍‍ବିଏ ବିଭାଗର ବିଜ୍‍ନେସ୍‍ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କୁ ବାଦଦେଲେ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ, ରୁରାଲ ମ୍ୟାନେଜମେଣ୍ଟ ଓ ସସ୍‍ଷ୍ଟେନେବୁଲ ମ୍ୟାନେଜମେଣ୍ଟର ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ସାର୍ଟିଫିକେଟ୍‍ରେ ଏକ୍ସଆଇଏମ୍‍ବି ଲୋଗୋ ରହୁନାହିଁ। ଫଳରେ ଉକ୍ତ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାରେ କର୍ମନିଯୁକ୍ତି ପାଇବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। ଏସଂପର୍କରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକମାନେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କୁ ଅବଗତ କରାଇବା ସହ ନ୍ୟାୟ ମାଗିଥିଲେ ମଧ୍ୟ କତ୍ତୃପକ୍ଷ ନିରବ ରହିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଭିଭାବକମାନେ ଗତକାଲିି ଠାରୁ ଜାଭିୟର ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏହାର ଦୃଢ ପ୍ରତିବାଦ କରିବା ସହ ଧାରଣାରେ ବସି ରହିଛନ୍ତି। ଏସଂପର୍କରେ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରୀୟା ମିଳିପାରିନାହିଁ। ତେବେ ଆଜି ଅପରାହ୍ନରେ ଅନୁଷ୍ଠାନର ଜଣେ କର୍ମଚାରୀ ଆନ୍ଦୋଳନରତ ଜନୈକା ମହିଳା ଅଭିଭାବିକା ଦୀପା ଓନ୍ଧିଆ (୪୩)ଙ୍କ ଗୋଡ ଉପରେ ସ୍କୁଟି ଚଢାଇ ଦେବାରୁ ସେ ଆହତ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଅଭିଭାବକଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ପିଲାଙ୍କୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧାରଣା ଚାଲିବ ବୋଲି ଅଭିଭାବକମାନେ ପ୍ରକାଶ କରିଛନ୍ତି। ମହିଳାଙ୍କ ଗୋଡ ଉପରେ ସ୍କୁଟି ମଡାଇ ଦିଆଯିବା ସଂପର୍କରେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସରେ କୌଣସି ଅଭିଯୋଗ ହୋଇନଥିବା ସୂଚନା ମିଳିଛି।

Leave A Reply