ଷାଠିବାଙ୍କୁଡା ବୈତରଣୀ ନଦୀବନ୍ଧରେ ଫାଟ  : କ୍ଷେତ୍ର ପରିଦର୍ଶନ କଲେ ବିଭାଗୀୟ ଯନ୍ତ୍ରୀ ଓ ଲୋକପ୍ରତିନିଧି

0

ଆରଡି : ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତ ଅଧୀନସ୍ଥ ଷାଠିବାଙ୍କୁଡା ଗାଁ ପଛ ଭାଗ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀବନ୍ଧରେ ଫାଟ ଦେଖା ଦେଇଛି। ଏହାକୁ ନଇ ସ୍ଥାନୀୟ ଲୋକ ଭୟଭୀତ ହୋଇପଡ଼ିଛନ୍ତି। ବିଶେଷକରି ଏହି ନଦୀବନ୍ଧର ସୁଦୃଢକରଣ ନିମନ୍ତେ ବର୍ତ୍ତମାନ କାର୍ଯ୍ୟ ଚାଲୁଥିବାରୁ କିପରି ବନ୍ଧରେ ଫାଟ ସୃଷ୍ଟି ହେଲା ବୋଲି ପୂର୍ବତନ ଜିଲାପରିଷଦ ସଭ୍ୟ ଅଜୟ ନାୟକ ସିଧା ସଳଖ ଭାବେ ଜଳସେଚନ ବିଭାଗକୁ ପ୍ରଶ୍ନ କରିଛନ୍ତି। ଉକ୍ତ ଅଞ୍ଚଳ ବନ୍ୟା ପ୍ଲାବିତ ହୋଇଥିବାରୁ ପ୍ରବାହିତ ହେଉଥିବା ବୈତରଣୀ ଓ ସାଳନ୍ଦୀ ନଦୀବନ୍ଧର ସୁଦୃଢକରଣ ପାଇଁ ଗତ ୫ବର୍ଷ ତଳେ ରାଜ୍ୟ ଜଳସେଚନ ବିଭାଗର ମନ୍ତ୍ରୀ ଓ ଯନ୍ତ୍ରୀଙ୍କୁ ଭେଟିବା ସହ ତୁରନ୍ତ କାର୍ଯ୍ୟ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇଥିବା ଶ୍ରୀ ନାୟକ ପ୍ରକାଶ କରିଥିଲେ। ଗତ ୨୦୧୪/୧୫ରେ ସୁନ୍ଦରପୁର ଠାରୁ ଷାଠିବାଙ୍କୁଡା ଓ ବୋଡକଠାରୁ ତିନିତର ପର୍ଯ୍ୟନ୍ତ ଉଭୟ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ଧ ସୁଦୃଢକରଣ ଓ ପଥର ପ୍ୟାକିଂ ପାଇଁ କୋଟିକୋଟି ଟଙ୍କା ବ୍ୟୟ କରାଯାଇଥିଲା। ମାତ୍ର ଠିକ ଭାବେ କାର୍ଯ୍ୟ ହେଉନଥିବାରୁ ପୂର୍ବ ପରି ସମସ୍ୟା ଉପୁଜିଥିବା ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। ଏପରିକି ବିଗତ ୫ବର୍ଷ ମଧ୍ୟରେ ଏହି ନଦୀବନ୍ଧର ସୁଦୃଢିକରଣ ଓ ପଥର ପ୍ୟାକିଂ ନିମନ୍ତେ କେତେ ଟଙ୍କା ମଞ୍ଜୁର ହୋଇଛି ? ସଠିକ୍‍ କାର୍ଯ୍ୟ ହୋଇଛି କି ? ଏପରି ସଂକ୍ରାନ୍ତରେ ଜଳସେଚନ ବିଭାଗ ସାଧାରଣ ଲୋକମାନଙ୍କୁ ଅନ୍ଧାରରେ ରଖିଛି ବୋଲି ଶ୍ରୀ ନାୟକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ସହ ଯାଜପୁର ଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଓ ଧାମନଗର ଏସଡିଓ କ୍ଷେତ୍ର ପରିଦର୍ଶନ କରିଥିଲେ। ଏପରି ନଦୀବନ୍ଧ ସର୍ମ୍ପକରେ ପଚାରିବାରୁ ଏବେ କାର୍ଯ୍ୟ ଚାଲୁ ରହିଛି। ତାହାସହ କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଥିବାରୁ ମାଟି କାର୍ଯ୍ୟ ଉପରେ ପ୍ରଭାବନ ପକାଇଛି। ଆଗାମୀ ଦିନରେ ସବୁକିଛି ଠିକ ହୋଇଯିବ ବୋଲି ବିଭାଗୀୟ ଯନ୍ତ୍ରୀ ପ୍ରକାଶ କରିଥିଲେ।

Leave A Reply