କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳର ବିସ୍ତାର

0

ନୂଆଦିଲ୍ଲୀ: କର୍ଣ୍ଣାଟକରେ ମନ୍ତ୍ରିମଣ୍ଡଳର ବିସ୍ତାର ହେବା ସହ ଦୀର୍ଘ ଦିନ ଧରି ଜେଡିଏସ ଓ କଂଗ୍ରେସ ମଧ୍ୟରେ ମନ୍ତ୍ରୀ ପଦକୁ ଲାଗି ରହିଥିବା ଆଶଙ୍କାର ଅବସାନ ଘଟିଛି। ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଓ ଉପ-ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଉପସ୍ଥିତିରେ କ୍ୟାବିନେଟରେ ୨୫ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ଜେଡିଏସର ୯ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଥିବାବେଳେ କଂଗ୍ରେସର ୧୪ବିଧାୟକ ରହିଛନ୍ତି। ମାୟାବତୀଙ୍କ ବିଏସପିର ଜଣେ ବିଧାୟକ ଓ ଜଣେ ନିର୍ଦଳୀୟ ବିଧାୟକଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି।
ଏଭଳି ଘଟଣା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି। କର୍ଣ୍ଣାଟକରେ ସବୁଠାରୁ କମ୍‍ ଆସନ ଅଧିକାର କରି ମଧ୍ୟ ଜେଡିଏସ ଶାସନ ଦାୟିତ୍ୱ ଗ୍ରହଣ କରିବା ସହ କେବଳ ଗୋଟିଏ ଆସନରେ ଜିତି ବିଏସପି ପ୍ରାର୍ଥୀ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି। ଉତ୍ତରପ୍ରଦେଶ ବ୍ୟତୀତ ମାୟାବତୀଙ୍କ ବିଏସପି ପ୍ରଥମ ଥର ପାଇଁ ଅନ୍ୟ ରାଜ୍ୟରେ ମନ୍ତ୍ରୀ ହେବାର ସୁଯୋଗ ପାଇଛନ୍ତି। ସେହିପରି କୁମାରସ୍ୱାମୀଙ୍କ କ୍ୟାବିନେଟରେ ତାଙ୍କ ଭାଇ ଏଚଡି ରେବାନାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଅଥଚ ସିଦ୍ଧରମୈଆ ସରକାରରେ ମନ୍ତ୍ରୀ ଥିବା କଂଗ୍ରେସ ବିଧାୟକ ତନବୀର ସେନଙ୍କୁ ଚଳିତ କ୍ୟାବିନେଟରୁ ବାଦ୍‍ ଦିଆଯାଇଛି। ଏହାକୁ ନେଇ ତନବୀରଙ୍କ ସମର୍ଥକ ପ୍ରବଳ ବିରୋଧ ପ୍ରଦର୍ଶନ କରିଛନ୍ତି। କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ବିସ୍ତାରକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହ କର୍ଣ୍ଣାଟକର କଂଗ୍ରେସ ବିଧାୟକ ଦିଲ୍ଲୀ ଯାଇ ବ୍ୟାପକ ଆଲୋଚନା କରିଥିଲେ। ଏହି ଆଲୋଚନାରେ ପ୍ରଦେଶ ଅଧ୍ୟକ୍ଷ ଚୟନକୁ ନେଇ ମଧ୍ୟ ଆଲୋଚନା ହୋଇଥିଲା। ନୂଆ ଅଧ୍ୟକ୍ଷ ତାଲିକାରେ ଡିକେ ଶିବକୁମାର ଓ ଦୀନେଶ ରାଓ ସବୁଠାରୁ ଆଗରେ ଅଛନ୍ତି।
ମନ୍ତ୍ରିମଣ୍ଡଳର ବିସ୍ତାରରେ କଂଗ୍ରେସକୁ ଗୃହ, ସ୍ୱାସ୍ଥ୍ୟ, ରାଜସ୍ୱ ଓ କୃଷି ପରି ବିଭାଗ ମିଳିଥିବାବେଳେ ଜେଡିଏସକୁ ବିତ୍ତ, ଅବକାରୀ,ପିଡ୍ୱୁଡି ପରି ବିଭାଗ ମିଳିବ।

Leave A Reply