କାବେରୀ ପ୍ରସଙ୍ଗରେ କୁମାରସ୍ୱାମୀ- କମଲ ହସନ ଆଲୋଚନା

0

ଚେନ୍ନାଇ : ଅଭିନେତାରୁ ରାଜନେତା ପାଲଟିଥିବା କମଲ ହସନ ତାମିଲନାଡୁବାସୀଙ୍କ ଜଳ ସଂକଟ ଦୂର ନିମନ୍ତେ କାବେରୀ ଜଳ ବିଭାଜନ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏ ନେଇ ସେ ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‍.ଡି କୁମାରସ୍ୱାମୀଙ୍କୁ ଭେଟିଛନ୍ତି। ଉଭୟ ନେତାଙ୍କ ମଧ୍ୟରେ ଏକ ଘଣ୍ଟା ଧରି ଅନୁଷ୍ଠିତ ଏହି ବୈଠକ ଦ୍ୱାରା ତାମିଲନାଡୁବାସୀଙ୍କ ପାଇଁ ଆଶା ସଞ୍ଚାର ହୋଇଛି। ଏହି ଆଲୋଚନା ହୃଦୟସ୍ପର୍ଶୀ ଥିଲା ବୋଲି ହସନ ବୈଠକ ପରେ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଉଭୟ ରାଜ୍ୟ ଗୋଟିଏ ନଦୀ ଜଳ ଉପରେ ନିର୍ଭରଶୀଳ। ଏହାକୁ ନେଇ ଭିନ୍ନ ବିକଳ୍ପ ମଧ୍ୟ ନାହିଁ। କୁମାରସ୍ୱାମୀ ମଧ୍ୟ ଅନୁରୂପ ଚିନ୍ତାଧାରା ପୋଷଣ କରୁଥିବାରୁ ତାମିଲନାଡୁବାସୀଙ୍କ ଜଳସଂକଟ ଦୂର ହେବାର ଆଶା ସୃଷ୍ଟି ହୋଇଛି ବୋଲି ହସନ କହିବା ସହ କୋର୍ଟ ବାହାରେ କାବେରୀ ଜଳ ବିବାଦର ସମାଧାନ ଉପରେ ମତ ଦେଇଛନ୍ତି। ଗତମାସରେ ବରିଷ୍ଠ ଅଭିନେତା ତଥା ରାଜନେତା ରଜନୀକାନ୍ତ ମଧ୍ୟ କୁମାରସ୍ୱାମୀଙ୍କୁ ଭେଟି ସମାନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। କ୍ଷମତାକୁ ଆସିବା ପରେ ତାମିଲନାଡୁବାସୀଙ୍କ ପ୍ରତି ନ୍ୟାୟ କରିବାକୁ ସେ କୁମାରସ୍ୱାମୀଙ୍କୁ ନିବେଦନ କରିଥିଲେ। ଏହି ପରିପ୍ରେକ୍ଷୀରେ ହସନ କହିଛନ୍ତି, ରଜନୀକାନ୍ତ ତାଙ୍କ ମିତ୍ର। କିନ୍ତୁ ବିକ୍ଷୋଭ ବା ପ୍ରତିବାଦ କରିବା ପ୍ରସଙ୍ଗରେ ତାଙ୍କ ଚିନ୍ତାଧାରା ରଜନୀକାନ୍ତଙ୍କଠାରୁ ଭିନ୍ନ। କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ତାଙ୍କ କାର୍ଯ୍ୟକାଳରେ ତାମିଲନାଡୁକୁ ଜଳ ଛାଡିବାକୁ ମନା କରିଦେଇଥିଲେ। ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ମଧ୍ୟ ରଜନୀକାନ୍ତଙ୍କୁ ଅନୁରୂପ ପ୍ରତିକ୍ରିୟା ଦେଇଥିଲେ। ମାତ୍ର ଏବେ କୁମାରସ୍ୱାମୀଙ୍କ ଆଭିମୁଖ୍ୟରେ ଭିନ୍ନତା ପରିଲ୍ଲକ୍ଷିତ ହୋଇଥିବା ହସନ କହିଛନ୍ତି।

Leave A Reply