ନୂଆଦିଲ୍ଲୀ : ଚର୍ତୁଦ୍ଦଶ ଅର୍ଥ ଆୟୋଗ ସୁପାରିସ ଅନୁଯାୟୀ ଓଡ଼ିଶାକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ କ୍ରମାଗତ ଭାବେ ହ୍ରାସ ପାଇବାକୁ ନେଇ ଲୋକସଭାରେ ବିଜେଡି ଉଦ୍ବେଗ ପ୍ରକାଶ କରିଛି। ଅର୍ଥ ଆୟୋଗଙ୍କ ସୁପାରିସ ପରେ ଓଡ଼ିଶାକୁ ପ୍ରଥମ ବର୍ଷ ୪୮ ହଜାର କୋଟି ଟଙ୍କାର ଅନୁଦାନ ମିଳିଥିଲା। ୨୦୧୯-୨୦ ଆର୍ଥିକବର୍ଷ ପାଇଁ ୩୭ ହଜାର ଏବଂ ୨୦୨୦-୨୧ ବଜେଟରେ ମାତ୍ର ୩୦ ହଜାର କୋଟି ଅନୁଦାନ ମିଳିବାର ପ୍ରସ୍ତାବ ରହିଛି। ଉତ୍ତମ ଆର୍ଥିକ ପରିଚାଳନା ଓ ଜନସଂଖ୍ୟା ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶାକୁ ଏଭଳି ଦଣ୍ଡ ମିଳିଛି ା ଭଲ ପ୍ରଦର୍ଶନ ସେତ୍ତ୍ବ ଓଡ଼ିଶାକୁ ନ୍ୟାଯ୍ୟ ଅନୁଦାନରୁ ବଞ୍ଚିତ କରାଯିବା ଆଦୌ ଠିକ୍ ନୁହେଁ ବୋଲି କ୍ଷୋଭର ସହ ସାଂସଦ ଶ୍ରୀ ମିଶ୍ର କହିଛନ୍ତି। ଅର୍ଥ କମିସନ ଆୟୋଗଙ୍କ ସୁପାରିସ ଅନୁଯାୟୀ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରାଞ୍ଚଳକୁ ଅନୁଦାନର ୫୦ ପ୍ରତିଶତ ରାଶି ମିଳିବ। ମାତ୍ର ରାଜ୍ୟର କୌଣସି ସହର ଅର୍ଥ ଆୟୋଗଙ୍କ ମାନଦଣ୍ଡକୁ ପୂରଣ କରୁ ନ ଥିବାରୁ ସହରାଞ୍ଚଳ ପାଇଁ ଉର୍ଦ୍ଦିଷ୍ଟ ଅନୁଦାନ ପାଇବାରୁ ଓଡ଼ିଶା ବଞ୍ଚିତ ହେଉଛି।
‘ଫୋକସ ଷ୍ଟେଟ’ ମାନ୍ୟତା ପ୍ରସଙ୍ଗ ଉତ୍ଥାପନ କରି ସାଂସଦ ଶ୍ରୀ ମିଶ୍ର କହିଥିଲେ ଯେ ଦେଶରେ କେନ୍ଦ୍ରୀୟ ସମ୍ବଳର ସଠିକ୍ ଭାବେ ବଣ୍ଟନ ହେଉନାହିଁ। ବିକାଶ ପ୍ରସଙ୍ଗରେ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରତିଦ୍ୱଦ୍ବିତା ପାଇଁ ରାଷ୍ଟ୍ରପତି ମହୋଦୟ ନିଜ ଅଭିଭାଷଣରେ ଉଲ୍ଲେଖ କରିଛନ୍ତି। ଅନୁକୂଳ ବାତାବରଣ ନ ହେଲେ ଏଭଳି ପ୍ରତିସ୍ପର୍ଦ୍ଧା ସମ୍ଭବ ନୁହେଁ। ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ସ୍ଥାନ ନ ପାଇବା ନେଇ ବିଜେଡି ପକ୍ଷରୁ ଆଶ୍ଚର୍ଯ୍ୟ ପ୍ରକଟ କରାଯାଇଥିଲା। ପ୍ରାକୃତିକ ବିପର୍ଯ୍ୟୟ ପ୍ରସଙ୍ଗ ଉତ୍ଥାପନ କରି ଶ୍ରୀ ମିଶ୍ର କହିଲେ, ଗତ ଆଠ ବର୍ଷ ମଧ୍ୟରେ ପାଞ୍ଚଟି ବଡ଼ଧରଣର ବାତ୍ୟା ଯୋଗୁଁ ଓଡ଼ିଶା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏଭଳି କୌଣସି ବାତ୍ୟା ରାଜ୍ୟକୁ ୮ରୁ ୨୦ ବର୍ଷ ପଛକୁ ନେଇ ଯିବାର କ୍ଷମତା ରଖିଥିଲା। ମାତ୍ର ବାତ୍ୟା ମୁକାବିଲାରେ ସଫଳତା ଯୋଗୁଁ ଜାତିସଂଘ ଏବଂ ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଭଳି ସଂସ୍ଥାର ପ୍ରଶଂସା ଓଡ଼ିଶାକୁ ମିଳିଛି। ତେବେ ସାମୁଦ୍ରିକ ବାତ୍ୟା ‘ଫଣି’ ବାବଦରେ ଓଡ଼ିଶାକୁ ତୁରନ୍ତ କେନ୍ଦ୍ରୀୟ ସହାୟତା ଘୋଷଣା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁରୀ ସାଂସଦ ଶ୍ରୀ ମିଶ୍ର ପ୍ରଶଂସା କରି କହିଥିଲେ ଯେ ଏହା ବାତ୍ୟା ପରବର୍ତ୍ତୀ ସ୍ଥିତି ମୁକାବିଲାରେ ଯଥେଷ୍ଟ ସହାୟକ ହୋଇଥିଲା। ମରୁଡ଼ି, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ପୀଡ଼ିତ ରାଜ୍ୟକୁ ଫୋକସ ଷ୍ଟେଟ ମାନ୍ୟତା ଦେଇ କେନ୍ଦ୍ରୀୟ ସମ୍ବଳ ବଣ୍ଟନ କରିବାକୁ ପରାମର୍ଶ ଦେଇଥିଲେ।
ସେପ୍ଟେମ୍ବରରୁ ଅଦ୍ୟାବଧି ଜିଏସ୍ଟି ଅଂଶ ରାଜ୍ୟକୁ ନ ମିଳିବା, ଉଭୟ ୟୁପିଏ ଓ ଏନଡିଏ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରମ୍ବାର ଚିଠି ସତ୍ତ୍ବେ କୋଇଲା ରୟାଲଟି ସଂଶୋଧନ ନ ହେବା ଏବଂ କ୍ଲିନ ଏନର୍ଜି ସେସ ଲାଗୁ ନ ହେବା ଫଳରେ ଓଡ଼ିଶା ଗୁରୁତର ଭାବେ ପ୍ରଭାବିତ ହେଉଛି। ବାୟୁ ଓ ଜଳ ପ୍ରଦୂଷଣ ଯୋଗୁଁ ଓଡ଼ିଶାର ଜନତା ପ୍ରଭାବିତ ହେଉଛନ୍ତି ଏବଂ ଲାଭ ଅନ୍ୟ ରାଜ୍ୟବାସୀ ନେଉଛନ୍ତି। କଳିଙ୍ଗ ସଭ୍ୟତା ଦୁଇ ହଜାର ବର୍ଷର ପୁରୁଣା ଦର୍ଶାଇ ସାଂସଦ ଶ୍ରୀ ମିଶ୍ର କହିଥିଲେ ଯେ ଆଇକନିକ ସାଇଟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଭଳି ପ୍ରତ୍ନତତ୍ତ୍ବ ସାଇଟ ସ୍ଥାନ ନ ପାଇବା ଅତ୍ୟନ୍ତ ଦୁଃଖଦାୟକ।
ସେହିପରି ପଛୁଆବର୍ଗଙ୍କ ସଠିକ ସଂଖ୍ୟା ଏ ପର୍ଯ୍ୟନ୍ତ ଜଣା ନ ପଡ଼ିବାରୁ ବିକାଶମୂଳକ କାର୍ଯ୍ୟର ସଠିକ ରୂପାୟନ ହୋଇପାରୁନାହିଁ। ଜନଗଣନାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଭଳି ପଛୁଆବର୍ଗଙ୍କ ଜନଗଣନା କରିବାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଆଲୋଚନାରେ ବିଜେଡି ତରଫରୁ ଧନ୍ୟବାଦ ପ୍ରସ୍ତାବକୁ ସମର୍ଥନ କରାଯାଇଥିଲା।


