ମଧ୍ୟପ୍ରଦେଶରେ ବିଏସ୍‍ପି-କଂଗ୍ରେସ ମେଣ୍ଟ ସମ୍ଭାବନା

0

ନୂଆଦିଲ୍ଲୀ : ମେଣ୍ଟ ପାଇଁ କଂଗ୍ରେସ ସର୍ବପ୍ରଥମେ ମଧ୍ୟପ୍ରଦେଶ ଉପରେ ଦୃଷ୍ଟି ପକାଇଛି। ଦୀର୍ଘ ୧୫ ବର୍ଷ ଧରି ରାଜ୍ୟରେ ଶାସନ କରିଆସୁଥିବା ବିଜେପିକୁ କ୍ଷମତାଚ୍ୟୁତ କରିବା ଉଦ୍ଦେଶ୍ୟରେ କଂଗ୍ରେସ ରାଜ୍ୟରେ ବିଏସ୍‍ପି ସହିତ ମେଣ୍ଟ ଗଠନ ଉଦ୍ୟମ ଆରମ୍ଭ କରିଛି। ଏନେଇ ଦଳୀୟ ନେତାମାନେ ନିଜଆଡୁ ଆଗୁଆ ପଦକ୍ଷେପ ଗ୍ରହଣ ସ୍ୱରୂପ ବିଏସ୍‍ପି ମୁଖ୍ୟ ମାୟାବତୀଙ୍କ ସହିତ ଆଲୋଚନା କରିଛନ୍ତି। ଅବଶ୍ୟ ଏହି ଆଲୋଚନା ଏଯାବତ୍‍ ପ୍ରାରମ୍ଭିକ ପର୍ଯ୍ୟାୟରେ ହିଁ ରହିଛି।
ଉତ୍ତରପ୍ରଦେଶର ଦଳିତ ପାୱାର ହାଉସ୍‍ ଭାବେ ପରିଚିତ ବିଏସ୍‍ପି ବିଗତ ୨୦ ବର୍ଷ ହେବ ମଧ୍ୟପ୍ରଦେଶର ୭% ଭୋଟ୍‍ ନିଜ ସପକ୍ଷରେ ସଂଗ୍ରହ କରିଆସୁଅଛି। କଂଗ୍ରେସ ନିକଟରେ ରାଜ୍ୟର ୩୬% ଏବଂ ବିଜେପି ନିକଟରେ ୪୫% ଭୋଟ ରହିଛି। ଏମିତିରେ ଯଦି କଂଗ୍ରେସ ବିଏସ୍‍ପିର ସମର୍ଥନ ହାସଲ କରେ ତା’ହେଲେ ବିଜେପିର ପଥ ଅବରୋଧ କରିବା ସମ୍ଭବ ହେବ ବୋଲି ଦଳୀୟ ନେତାମାନେ ଆକଳନ କରିଛନ୍ତି। ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ବିଏସ୍‍ପି କଂଗ୍ରେସର ମେଣ୍ଟ ପ୍ରସ୍ତାବ ପ୍ରତି ଗ୍ରହଣଶୀଳ ମନୋଭାବ ପୋଷଣ କରିଛି।
ଏଥିସହିତ ବିଏସ୍‍ପି ଛତିଶଗଡ଼ ଏବଂ ରାଜସ୍ଥାନରେ ମଧ୍ୟ କଂଗ୍ରେସ ସହିତ ଏକାଠି ବିଧାନସଭା ନିର୍ବାଚନ ଲଢ଼ିବାର ଆଶା ରଖିଛି। ଏହି ଦୁଇ ରାଜ୍ୟରେ ବିଏସ୍‍ପିର ଭୋଟ ସଂଖ୍ୟା ଯଥାକ୍ରମେ ୫% ଏବଂ ୪% ରହିଛି। ତେବେ କଂଗ୍ରେସ ବର୍ତ୍ତମାନ ଆସନ ବୁଝାମଣା ପ୍ରସଙ୍ଗ ଉଠାଉ ନାହିଁ। ଅନ୍ୟ ଦଳର ପ୍ରାର୍ଥୀ ଯଦି ନିଶ୍ଚିତ ବିଜୟଲାଭ କରିବାର ସମ୍ଭାବନା ଥାଏ ତା’ହେଲେ ତାଙ୍କୁ ସୁଯୋଗ ଦେବାକୁ କଂଗ୍ରେସ ପ୍ରସ୍ତୁତ ରହିଛି। ଛତିଶଗଡ଼ରେ ମଧ୍ୟ କଂଗ୍ରେସ ମେଣ୍ଟ ଯୋଗାଡରେ ଅଛି। କିନ୍ତୁ ରାଜସ୍ଥାନରେ ଅନ୍ୟ କୌଣସି ଦଳ ସହିତ କଂଗ୍ରେସର ମେଣ୍ଟ ଯୋଜନା ଉପରେ ଦଳର କିଛି ନେତା ଆପତ୍ତି ଉଠାଇଛନ୍ତି। ରାଜସ୍ଥାନରେ ରାଜନୈତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ମେଣ୍ଟ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ଏହି ନେତାମାନେ କହିଛନ୍ତି। ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ଉତ୍ତମ ନିର୍ବାଚନୀ ଫଳାଫଳ ନିମନ୍ତେ କଂଗ୍ରେସ ଅନ୍ୟ ବିରୋଧୀ ଦଳଗୁଡିକ ସହିତ ହାତ ମିଳାଇବା ଉଚିତ ବୋଲି ଶୁକ୍ରବାର ରାଷ୍ଟ୍ରୀୟ ଲୋକ ଦଳ (ଆର୍‍ଏଲ୍‍ଡି) ନେତା ଜୟନ୍ତ ଚୌଧୁରୀ କହିଥିଲେ। ଜାଠ୍‍ ସମ୍ପ୍ରଦାୟର ବିପୁଳ ସମର୍ଥନ ଲାଭ କରିଥିବା ଏହି ଦଳ ରାଜସ୍ଥାନରେ କଂଗ୍ରେସ ସହିତ ହାତ ମିଳାଇବା ଉଚିତ ବୋଲି ସେ ଏହି ମନ୍ତବ୍ୟ ଦ୍ୱାରା ପରୋକ୍ଷରେ ତାଙ୍କ ଦଳର ପ୍ରମୁଖ ନେତାମାନଙ୍କୁ ପରାମର୍ଶ ଦେବାର ଉଦ୍ୟମ କରିଥିବା କୁହାଯାଉଛି।

Leave A Reply