ୟୁପିରେ ୪୦ ଲୋକସଭା ଆସନ ଦାବି କଲା ବିଏସପି

0

ଲକ୍ଷ୍ନୌ : ଆଗାମୀ ଲୋକସଭା ନିର୍ବାଚନରେ ଶାସକ ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ସମସ୍ତ ବିରୋଧୀ ଦଳ ଏକଜୁଟ୍‍ ହୋଇଛନ୍ତି। ଏପରି କି ନିକଟରେ ଶେଷ ହୋଇଥିବା ବିଭିନ୍ନ ଉପନିର୍ବାଚନରେ ବିରୋଧୀ ଦଳଗୁଡିକ ଏକଜୁଟ୍‍ ହୋଇ ବିଜେପିକୁ ପରାସ୍ତ କରିଛନ୍ତି। ବିଶେଷକରି ଉତ୍ତରପ୍ରଦେଶର କୈରାନା ଲୋକସଭା ଆସନ ଉପନିର୍ବାଚନରେ ଶାସକ ବିଜେପିକୁ ପରାସ୍ତ କରିବା ପାଇଁ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି, ମାୟାବତୀଙ୍କ ବହୁଜନ ସମାଜ ପାର୍ଟି, ରାହୁଲ ଗାନ୍ଧିଙ୍କ କଂଗ୍ରେସ ଏକାଠି ହୋଇ ଆରଏଲଡି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଥିଲେ। ସେହିପରି ଫୁଲପୁର ଓ ଗୋରଖପୁର ଲୋକସଭା ଆସନ ଉପନିର୍ବାଚନରେ ମଧ୍ୟ ବିରୋଧୀ ଦଳଗୁଡିକ ଏକାଠି ହୋଇ ଶାସକ ବିଜେପିକୁ ପରାସ୍ତ କରିଥିଲେ। ଏହି ସବୁ ଉପନିର୍ବାଚନରେ ବିଜୟୀ ହେବା ପରେ ୨୦୧୯ ଲୋକସଭା ନିର୍ବାଚନରେ ଏହି ୪ଟି ଯାକ ଦଳ ଏକାଠି ହୋଇ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି। ଏକାଠି ନିର୍ବାଚନ ଲଢିବା ପଛରେ ପ୍ରମୁଖ ପ୍ରତିବନ୍ଧକ ହେଉଛି ଆସନ ବୁଝାମଣା। କାରଣ ୪ଟି ଦଳ ସହମତି ଭିତ୍ତିରେ ଆସନ ବୁଝାମଣା କରିବା କଷ୍ଟକର ବ୍ୟାପାର। ଇତି ମଧ୍ୟରେ ଆସନ ବୁଝାମଣାକୁ ନେଇ ପ୍ରଥମ ପ୍ରତିବନ୍ଧକ ସୃଷ୍ଟି କରିଛନ୍ତି ମାୟାବତୀ। ମାୟାବତୀ କହିଛନ୍ତି ଯେ ଉତ୍ତରପ୍ରଦେଶର ୮୦ ଲୋକସଭା ଆସନରୁ ବିଏସପିକୁ ୪୦ଟି ଆସନ ନ ଦେଲେ ଏହା ଏକାକୀ ନିର୍ବାଚନ ଲଢିବ। ସୂଚନା ଅନୁଯାୟୀ ମାୟାବତୀ ଗତ ସପ୍ତାହରେ ଏକ ଦଳୀୟ ବୈଠକରେ ଏପରି ଦାବି ଉଠାଇଛନ୍ତି। ୮୦ ଆସନରୁ ଯଦି ମାୟାବତୀ ଏକା ୪୦ ଆସନ ଦାବି କରନ୍ତି ତେବେ ଅନ୍ୟ ଦଳଗୁଡିକ କେତେ ଆସନ ପାଇବେ ତାହା ସହଜେ ଅନୁମେୟ। ତେଣୁ ଆସନ ବୁଝାମଣାକୁ ନେଇ ଏବେ ଠାରୁ ଅଡୁଆ ଆରମ୍ଭ ହୋଇଛି।
ଗୋରଖପୁର, ଫୁଲପୁର ଲୋକସଭା ଆସନ ଓ ନୂରପୁର ବିଧାନସଭା ଆସନ ଉପନିର୍ବାଚନରେ ବିଏସପି ସମର୍ଥନରେ ବିଜୟ ଲାଭ କରିଥିବା ସମାଜବାଦୀ ପାର୍ଟି ମାୟାବତୀଙ୍କ ଏହି ଦାବି ଉପରେ କୌଣସି ପ୍ରତିକ୍ରିୟା ଦେଇ ନାହିଁ। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ କହିଛନ୍ତି ଯେ ତାଙ୍କ ଦଳ ଲୋକଙ୍କୁ ସମ୍ମାନ ଜଣାଇବା ଜାଣିଛି। ପୂର୍ବ ବୁଝାମଣା ଅନୁଯାୟୀ ୨୦୧୪ ନିର୍ବାଚନରେ ଏସପି ଓ ବିଏସପି ପ୍ରାର୍ଥୀ ଯେଉଁସବୁ ଆସନରେ ଦ୍ୱିତୀୟ ସ୍ଥାନରେ ରହିଥିଲେ ସେହିସବୁ ଆସନ ସେମାନଙ୍କୁ ମିଳିବ। ଏପରି ହେଲେ ବିଏସପିକୁ ୩୪ ଆସନ ଓ ଏସପିକୁ ୩୧ ଆସନ ମିଳିବ। ବାକି ୧୫ଟି ଆସନରେ କଂଗ୍ରେସ, ଆରଏଲଡି ଓ ଅନ୍ୟ ଦଳଗୁଡିକ ପ୍ରାର୍ଥୀ ଦେବେ। ତେବେ ଏହି ବୁଝାମଣାକୁ କେଉଁ ଦଳ କେତେଦୂର ଗ୍ରହଣ କରୁଛନ୍ତି ତାହା ଆଗାମୀ ସମୟ କହିବ।

Leave A Reply