ଆସୁଛି ଲଘୁଚାପ

0

ଭୁବନେଶ୍ୱର : ପ୍ରାକ୍‍-ମୌସୁମି ବର୍ଷା ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ଓ ତାତିରୁ ଆଶ୍ୱସ୍ତି ଆଣିଛି। ଶୁକ୍ରବାର ଓ ଶନିବାର ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ହୋଇଛି। ଶନିବାର ରାଜଧାନୀ ଭୁବନେଶ୍ୱର, କଟକ, ଅନୁଗୋଳ, ତାଳଚେର, ଦାରିଙ୍ଗବାଡ଼ି ଓ କେନ୍ଦୁଝରଗଡ଼ ସମେତ କିଛି ସ୍ଥାନରେ ବର୍ଷା ହୋଇଛି। ଆଗାମୀ ଦିନରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
୫ରୁ ୭ ତାରିଖ ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ରାଜ୍ୟକୁ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଉତ୍ତର ବଙ୍ଗୋପସାଗର ଓ ବାଂଲାଦେଶ ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ୫ ତାରିଖ ପରେ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସେହିପରି ଜୁନ୍‍ ଦ୍ୱିତୀୟ ସପ୍ତାହରେ ମଧ୍ୟ ଆଉ ଏକ ଲଘୁଚାପର ଆଶଙ୍କା ରହିଛି। ଶନିବାର ଦାରିଙ୍ଗବାଡ଼ିରେ ସର୍ବାଧିକ ୨୩ ସେମି ବର୍ଷା ରେକର୍ଡ଼ କରାଯାଇଛି। କେନ୍ଦୁଝରଗଡ଼ରେ ୧୨, ତାଳଚେରରେ ୮ ଓ କଟକରେ ୩ ସେ.ମି ବର୍ଷା ରେକର୍ଡ଼ କରାଯାଇଛି।
ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଉଦଳାରେ ୧୨ ସେମି, ଜୟପୁରରେ ୮, କଙ୍କଡ଼ାହାଡ଼ରେ, ପଟ୍ଟାମୁଣ୍ଡାଇ, ଚନ୍ଦରପୁର ଓ କପ୍ତିପଦାରେ ୫ ସେମି ଲେଖାଏଁ ବର୍ଷା ରେକର୍ଡ଼ କରାଯାଇଛି। ବାଲେଶ୍ୱରରେ ୪ ସେମି ବର୍ଷା ହୋଇଥିବାବେଳେ ବାଙ୍ଗିରିପୋଷି, ସ୍ୱାମ୍‍ପାଟଣା, ରେମୁଣା, ନୀଳଗିରି, ବାରିପଦା, ତାଳଚେର, ନୱାନା, ବେତନଟୀ, ବାସୁଦେବପୁର, ଆଠଗଡ଼, ବନ୍ତ, ସୋରୋ, ତିରିଂ, ବାଲିମୁଣ୍ଡଳି, ସାମଖୁଣ୍ଟା, ଜାମଶୋଳାଘାଟ, ପାରାଦ୍ୱୀପ, ତିଗିରିଆ, ନରସିଂହପୁର, ରାଜକନିକା ଆଦି ଅଞ୍ଚଳରେ ୨ ସେମିରୁ ଅଧିକ ବର୍ଷା ରେକର୍ଡ଼ କରାଯାଇଛି। ତେବେ ପଶ୍ଚିମ ଓଡ଼ିଶାରେ ତାତି ଓ ଗୁଳୁଗୁଳି ଅବ୍ୟାହତ ରହିଛି। ଟିଟିଲାଗଡ଼ ଓ ସୋନପୁରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି।

Leave A Reply