ଆମେରିକାକୁ ୟୁନେସ୍କୋର ଚେତାବନୀ : ଇରାନର ଐତିହ୍ୟ ସ୍ଥଳୀ ଧ୍ବଂସ କରନି

ପ୍ୟାରିସ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ଜେନେରାଲ କାସିମ ସୋଲେମାନୀଙ୍କୁ ହତ୍ୟା କରାଯିବା ପରେ ଇରାନର ସଂସ୍କୃତିର ପରିବାହକ ଭାବେ ପରିଚିତ ୫୨ଟି ପର୍ଯ୍ୟଟନ ସ୍ଥଳକୁ ଧ୍ବଂସ କରିଦିଆଯିବ ବୋଲି ଯେଉଁ ଧମକ ଦେଇଥିଲେ ତା’ଉପରେ ପ୍ରତିକ୍ରିୟା ରଖିଛି ୟୁନେସ୍କୋ। ଜାତିସଙ୍ଘ ଶିକ୍ଷା, ବିଜ୍ଞାନ ଓ ସାଂସ୍କୃତିକ ସଂଗଠନ (ୟୁନେସ୍କୋ)ର ମହାନିର୍ଦେଶକ ଅଡ୍ରେ ଅଜୁଲେ ମଙ୍ଗଳବାର ଟ୍ରମ୍ପଙ୍କୁ ଏଭଳି ପଦକ୍ଷେପ ନ ନେବା ପାଇଁ ନିବେଦନ କରିଛନ୍ତି। ରାଜନୈତିକ ବିବାଦ ଯୋଗୁଁ କୌଣସି ଐତିହ୍ୟ ସ୍ଥଳୀକୁ ଧ୍ବଂସ କରାଯିବା​ ଅନୁଚିତ ଏବଂ ଏହା ଆନ୍ତର୍ଜାତିକ ନୀତିନିୟମର ପରିପନ୍ଥୀ ବୋଲି ସେ ଟ୍ରମ୍ପଙ୍କୁ ଚେତାଇ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଅଜୁଲେ ଇରାନ ରାଷ୍ଟ୍ରଦୂତ ଅହମ୍ମଦ ଜଳାଲିଙ୍କୁ ଭେଟି ଆଲୋଚନା କରିଛନ୍ତି। ଆମେରିକା ଓ ଇରାନ ଉଭୟ ଜାତିସଙ୍ଘର ସଂକଳ୍ପ ୨୩୪୭ ଆଧାରରେ ଐତିହ୍ୟ ସ୍ଥଳୀର ସୁରକ୍ଷା ପାଇଁ ପୂର୍ବରୁ ପ୍ରତିବଦ୍ଧତା ପ୍ରକାଶ କରିଥିବାରୁ ଓ ଏ ନେଇ ଚୁକ୍ତି ସ୍ବାକ୍ଷର କରିଥିବାରୁ ସେଥିପ୍ରତି ସଚେତନ ରହିବା ଉଚିତ ବୋଲି ସେ କହିଛନ୍ତି।

Comments are closed.