ବିଜେଡିରୁ ଇସ୍ତଫା ଦେଲେ ବୈଜୟନ୍ତ
ଭୁବନେଶ୍ୱର: ବିଜୁ ଜନତା ଦଳରୁ ସବୁ ସମ୍ପର୍କ ତୁଟାଇ ଦେଇଛନ୍ତି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଦଳରୁ ନିଲମ୍ବିତ ହେବାର ୪ମାସ ପରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ବିଜେଡ଼ି ଯେଭଳି ସ୍ତରକୁ ଯାଇଛି ସେଥିରେ ଗଭୀର ମାନସିକ ଯନ୍ତ୍ରଣା, ଆଘାତ ପାଇ ସେ ଦଳତ୍ୟାଗ କରିଥିବା କହିଛନ୍ତି। ବିଜୁ ଜନତା ଦଳରେ ସେ ଯେ ଅଦରକାରୀ ଏକଥା ବିଜେଡ଼ି ଓ ଦଳର ସଭାପତି ସ୍ପଷ୍ଟ କରିଦେବା ପରେ ସେ ଦଳଠାରୁ ଦୂରେଇଯାଇଥିବା କହିଛନ୍ତି। ପିତାଙ୍କ ଶୁଦ୍ଧିକ୍ରିୟା ପରେ ଲୋକସଭା ସାଂସଦ ପଦରୁ ଇସ୍ତଫା ଦେବା ବିଷୟରେ ଲୋକସଭାର ବାଚସ୍ପତିଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇବେ ବୋଲି ଚିଠିରେ ଲେଖିଛନ୍ତି।
ଶିଳ୍ପପତିରୁ ରାଜନେତା ହୋଇଥିବା ବୈଜୟନ୍ତ ବିଜେଡ଼ିରେ ଦୁଇ ଥର ରାଜ୍ୟ ସଭା ଓ ଦୁଇଥର ଲୋକସଭାର ସାଂସଦ ହୋଇଛନ୍ତି। ଏକଦା ବିଜେଡ଼ିର ଆଗଧାଡ଼ିର ନେତା ଥିବା ବୈଜୟନ୍ତ ପଞ୍ଚାୟତ ନିର୍ବାଚନ ପରେ ଦଳର ପ୍ରଦର୍ଶନକୁ ନେଇ ମୁହଁ ଖୋଲିବାରୁ ନବୀନଙ୍କ ସହିତ ତାଙ୍କର ସମ୍ପର୍କ ତିକ୍ତ ହୋଇଥିଲା। ସିଧାସଳଖ ଗଣମାଧ୍ୟମକୁ ଯିବା ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହେବା ସହିତ ଗତ ଦୁଇ ବର୍ଷ ଧରି ବିଜେଡ଼ି ଓ ବୈଜୟନ୍ତଙ୍କ ଭିତରେ ମନୋମାଳିନ୍ୟ ଉତ୍କଟ ରୂପ ଧାରଣ କରିଥିଲା। ଦଳ ତାଙ୍କୁ ଶେଷରେ ନିଲମ୍ବିତ କରିଥିଲା। ବିଜେଡ଼ିରେ ବୈଜୟନ୍ତଙ୍କ ଦିନ ସରି ସରି ଆସୁଥିଲା ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ଚର୍ଚ୍ଚା ଚାଲିଥିଲା। ତେବେ ପିତାଙ୍କ ମୃତ୍ୟୁ ପରେ ତାଙ୍କ ଶେଷ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିମ୍ବା ବିଜେଡ଼ିର କୌଣସି ନେତା ନଯିବା ଘଟଣା ବୈଜୟନ୍ତଙ୍କୁ ଶକ୍ତ ଆଘାତ ଦେଇଥିଲା। ଏଭଳି ସ୍ଥିତିରେ ସେ ଇସ୍ତଫା ଦେବା ଛଡ଼ା ତାଙ୍କ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା।
ଦଳର ସଭାପତିଙ୍କ ନିକଟକୁ ତିନିପୃଷ୍ଠା ବ୍ୟାପୀ ଇସ୍ତଫାପତ୍ରରେ ବୈଜୟନ୍ତ ଉଲ୍ଲେଖ କରିଛନ୍ତି ଯେ ଗତ ୪ବର୍ଷ ଧରି ଦଳର ସ୍ଥିତି ଅତି ଖରାପ ଆଡ଼କୁ ଗତି କରିଥିବାବେଳେ ମୁଖ୍ୟମନ୍ତ୍ରୀ କିମ୍ବା ବିଜେଡ଼ିର କୌଣସି ନେତା ଏକଦା ବିଜୁବାବୁଙ୍କ ଘନିଷ୍ଠ ଥିବା ତାଙ୍କ ପିତା ଡ.ବଂଶୀଧର ପଣ୍ଡାଙ୍କ ଶେଷ ଦର୍ଶନ ପାଇଁ ଗଲେନାହିଁ। ଏହାଦ୍ୱାରା ତାଙ୍କ ପ୍ରତି ଅମାନବୀୟ ବ୍ୟବହାର ପ୍ରଦର୍ଶନ କରାଗଲା। ଅନ୍ୟ ସମସ୍ତ ଦଳର ବରିଷ୍ଠ ନେତାମାନେ ମୋ ବାପାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପହଞ୍ଚି ଶେଷ ଦର୍ଶନ କଲାବେଳେ ବିଜେଡ଼ିରୁ କେହି ନଆସିବା ଘଟଣା ତାଙ୍କ ହୃଦୟକୁ ବାଧିଥିଲା। ବିଜେଡ଼ି ତାଙ୍କୁ ଚାହୁଁନାହିଁ ବୋଲି ସେ ହୃଦ୍ବୋଧ କଲେ। ଦଳର ଏଭଳି ସଂକୀର୍ଣ୍ଣ ପରିବେଶରେ ନିଜର ଆତ୍ମସମ୍ମାନକୁ ବଳି ନଦେଇ ଇସ୍ତଫା ଦେଲେ।
ଚିଠିରେ ସେ ଲେକିଛନ୍ତି ଯେ ଆମ ପାରିବାରିକ ସମ୍ପର୍କ ବ୍ୟତୀତ ୧୯୯୫ରୁ ୧୯୯୭ ମସିହା ପର୍ଯ୍ୟନ୍ତ ବିଜୁ ଅଙ୍କଲ ତାଙ୍କର ଶେଷ ଦୁଇ ବର୍ଷର ରାଜନୈତିକ କାର୍ଯ୍ୟକ୍ରମରେ ତାଙ୍କୁ ସାମିଲ କରିଥିଲେ। ସେ ଏକ ନୂଆ ରାଜନୈତିକ ଦଳ ଗଢ଼ନ୍ତୁ ବୋଲି ଆମ ଭିତରୁ କିଛି ନେତା ତାଙ୍କ ନିକଟରେ ଯୁକ୍ତି ଉପସ୍ଥାପନ କରିଥିଲେ ହେଁ ତାହା ସମ୍ଭବ ହେବା ଆଗରୁ ତାଙ୍କର ପରଲୋକ ହୋଇଗଲା। ତେବେ ୧୯୯୭ରୁ ବିଜେଡ଼ିରେ ସାମିଲ ହେବା ତାଙ୍କର ସୌଭାଗ୍ୟ ଥିଲା । ୨୦୦୨ରେ ସଂସଦୀୟ ଦଳ ବିଭାଜନଠାରୁ ଆରମ୍ଭ କରି ୨୦୧୨ ମଧ୍ୟରାତ୍ରୀ ଷଡ଼ଯନ୍ତ୍ର ପର୍ଯ୍ୟନ୍ତ ଅନେକ ବିପଦ ସମୟରେ ସେ ନବୀନବାବୁଙ୍କ ପାଖରେ ବିନା ଦ୍ୱିଧାରେ ଠିଆ ହୋଇଥିଲେ।
ବୈଜୟନ୍ତ େଲେଖିଛନ୍ତି ଯେ ଦଳ ଗଠନର ପ୍ରଥମ ବାର ବର୍ଷ ଧରି ଯେଉଁମାନେ ନବୀନଙ୍କର କଠୋର ବିରୋଧୀ ଓ ସମାଲୋଚକ ଥିଲେ ସେମାନେ ଏବେ ଦଳର ଗୁରୁତ୍ୱପୂର୍ଣ୍ଣ ପଦରେ ଅଛନ୍ତି, ମାତ୍ର ଯେଉଁମାନେ ତାଙ୍କ ପାଇଁ ସଂଗ୍ରାମ କରୁଥିଲେ ସେମାନଙ୍କୁ ଆଡ଼େଇ ଦିଆଯାଇଛି। ଦଳକୁ ମଜଭୁତ କରିବାରେ ତାଙ୍କର ଅକୁଣ୍ଠ ସହଯୋଗ ଥିଲା। କେନ୍ଦ୍ରାପଡ଼ାର ବିକାଶ ପାଇଁ ସେ ଶହ ଶହ ପଞ୍ଚାୟତ ବୁଲିଛନ୍ତି ଯାହା ଅନ୍ୟ ସାଂସଦଙ୍କ ଅମଳରେ କେବେ ହୋଇ ନଥିଲା। ବର୍ଷ ବର୍ଷ ଧରି ପଡ଼ି ରହିଥିବା ପ୍ରକଳ୍ପକୁ ସେ ଶେଷ କରିବା ସହ ତାଙ୍କ ସମୟରେ ହିଁ ଜିଲାକୁ ପ୍ରଥମ ରେଳ ଲାଇନ କାମ ଖୁବ୍ଶୀଘ୍ର ସମ୍ପୂର୍ଣ୍ଣ ହେବାକୁ ଯାଉଥିବାରୁ ସେଥିନେଇ ସେ ଆନନ୍ଦିତ। ସେ ମଧ୍ୟ ସାଂସଦ ପାଣ୍ଠିରୁ କେନ୍ଦ୍ରାପଡ଼ା ଜନସାଧାରଣଙ୍କ ଦାବି ଅନୁସାରେ ବୃହତ ପ୍ରକଳ୍ପ ନିର୍ମାଣ କରିଛନ୍ତି। ସାଂସଦ ପାଣ୍ଠିରେ ବହୁ ସଂଖ୍ୟକ ପାଇପ ପାଣି ପ୍ରକଳ୍ପ ତିଆରି ହୋଇଛି। ଦେଶରେ ଅନ୍ୟ କୌଣସି ଅଞ୍ଚଳଠାରୁ ଏଠାରେ ସର୍ବାଧିକ ଅର୍ଥ ଖର୍ଚ୍ଚ ହୋଇଛି। ହେଲେ ଦୁର୍ଭାଗ୍ୟର କଥା ଗତ ବର୍ଷଠାରୁ ଏସବୁ ପ୍ରକଳ୍ପକୁ ବିଜେଡ଼ି ଦ୍ୱାରା ବିରୋଧ କରାଯାଇ ହିଂସାତ୍ମକ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯାଇଥିଲା।
ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ ୨୦୧୪ ପରଠାରୁ ଦଳ ଏହାର ନୀତି ଆଦର୍ଶଠାରୁ ବିଚ୍ୟୁତ ହେଉଥିବା ସମ୍ପର୍କରେ ସେ ଦଳର ମୁଖିଆଙ୍କ ବ୍ୟକ୍ତିଗତ ନଜରକୁ ଆଣିଥିଲେ। ତାଙ୍କ ବିରୋଧରେ ଷଡ଼ଯନ୍ତ୍ର ଚାଲିଥିବା କହିଥିଲେ। ଗତବର୍ଷ ପଞ୍ଚାୟତ ନିର୍ବାଚନ ପରେ ଏଥିନେଇ ଆତ୍ମସମୀକ୍ଷା କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ପରେ ସେ କେବଳ ‘ସମାଜ’ରେ ଏକ ସ୍ତମ୍ଭ ଲେଖି ଦଳକୁ ଗୁଣ୍ଡାଗର୍ଦି ଓ ଦୁର୍ନୀତିଗ୍ରସ୍ତଙ୍କଠାରୁ ଦଳକୁ ଦୂରେଇ ରଖି ସଙ୍ଗଠନ ମଜଭୁତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।
ହେଲେ ଏହା ପରେ ଗତ ମେ ମାସରେ ମାହାଙ୍ଗାରେ ପାଣି ଟାଙ୍କି ଉଦଘାଟନ ପାଇଁ ଯିବାବେଳେ ତାଙ୍କ ଉପରକୁ ଅଣ୍ଡା, ପଥର ଫିଙ୍ଗାଯାଇଥିଲା। ଏହା ସତ୍ତେ୍ୱ ତାଙ୍କର ସ୍ୱାସ୍ଥ୍ୟ ଓ ନିରାପତ୍ତା ପ୍ରତି ମୁଖ୍ୟମନ୍ତ୍ରୀ ଭ୍ରୂକ୍ଷେପ କରି ନଥିଲେ କିମ୍ବା ତଦନ୍ତ ପାଇଁ ଉଦ୍ୟମ କରି ନଥିଲେ। ଏପରିକି କାନ୍ଧରେ ଆଘାତ ପାଇଥିବାରୁ ସେବେଠୁ ସେ ଏ ପର୍ଯ୍ୟନ୍ତ ଚିକିତ୍ସାରେ ଥିବା ଜଣାଇଛନ୍ତି। ୨୦୧୪ ପରଠାରୁ ତାଙ୍କୁ ନାନା ବାଟରେ ସର୍ବସାଧାରଣରେ ଅପମାନିତ କରାଯାଉଥିଲା। ନିର୍ବାଚନମଣ୍ଡଳୀ ସମୀକ୍ଷା ବୈଠକ, ସଭା ସମିତିରେ ଦଳ ପକ୍ଷରୁ ତାଙ୍କୁ ବିରୋଧ କରାଯାଉଥିଲା। ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ନେଇ ମିଥ୍ୟା ଆରୋପ ଲଗାଇ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ, କଳୁଷିତ ବ୍ୟକ୍ତିବିଶେଷଙ୍କ ଦ୍ୱାରା କଙ୍ଗାରୁ କୋର୍ଟ ପରି ତଦନ୍ତ କରାଯାଇଥିଲା। ତାଙ୍କୁ ପକ୍ଷ ରଖିବାର ସୁଯୋଗ ନଦେଇ ତଦନ୍ତ ରିପୋର୍ଟ ଆଧାରରେ ଦୁଇ ଦିନ ଭିତରେ ଦଳରୁ ନିଲମ୍ବିତ କରାଯାଇଥିଲା।
ଚାପର ବଶବର୍ତ୍ତୀ ହୋଇ ଗଣମାଧ୍ୟମଗୁଡ଼ିକରେ ତାଙ୍କ ବିରୋଧରେ ବିଭ୍ରାନ୍ତିକର ତଥ୍ୟ ଉପସ୍ଥାପନ କରାଯାଇଥିଲା। ତାଙ୍କୁ ଏବଂ ତାଙ୍କ ସହ ଥିବା ବ୍ୟକ୍ତିବିଶେଷ ଓ ସଂସ୍ଥାକୁ ଅପମାନିତ କରାଯାଇଥିଲା। ଏକବିଂଶ ଶତାବ୍ଦୀରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଏକ ରାଜନୈତିକ ଦଳର ଏହା ହେଉଛି ଷ୍ଟାଲିନିଷ୍ଟ ରଣନୀତି ବୋଲି ସେ କହିଛନ୍ତି। ତାଙ୍କ ବିରୋଧରେ ସରକାରୀ କଳର ଦୁରୁପଯୋଗ କରାଯାଇଥିବା ଅଭିଯୋଗ ଆଣିଛନ୍ତି। ଆଜି ପର୍ଯ୍ୟନ୍ତ ସେ ଦଳର ମୁଖିଆଙ୍କୁ ନ୍ୟାୟ ବାଟରେ ଯିବାକୁ ଅନୁରୋଧ କରିଆସୁଥିଲେ, ହେଲେ ତାହା ସମ୍ଭବ ହେଲା ନାହିଁ। ଯେଉଁ ଦଳର ସଭ୍ୟ ଭାବେ ସେ ଆଦର୍ଶ ରକ୍ଷା ପାଇଁ ସହାୟତା କରିଆସିଥିଲେ ସେ ଦଳ ଆଜି ମରିଯାଇଛି ବୋଲି କ୍ଷୋଭର ସହ କହିଛନ୍ତି। ବିଜୁବାବୁଙ୍କ ଶବ ସତ୍କାର ସମୟରେ ସାମିଲ ହୋଇ ସେ ବେଶ ଗୌରବାନ୍ୱିତ ମନେକରିଥିଲେ। ହେଲେ ଯେଉଁଁ ଦଳ ତାଙ୍କ ନାଁକୁ ନେଇ ଗଠନ ହୋଇଛି ତାହା ବିଜୁବାବୁଙ୍କ ଆଦର୍ଶଠାରୁ ଦୂରେଇ ଯାଇଛି ବୋଲି ଚିଠିରେ ଲେଖିଛନ୍ତି।
ଘଟଣାକ୍ରମ
-ପଞ୍ଚାୟତ ନିର୍ବାଚନ ପରେ ୨୦୧୭ ମାର୍ଚ୍ଚ ୨୮ରେ ସାଂସଦ ବୈଜୟନ୍ତ ପଣ୍ଡା ‘ସମାଜ’ରେ ଲେଖିଥିବା ଏକ ପ୍ରବନ୍ଧ ବିଜେଡିର ଆତ୍ମସମୀକ୍ଷା ଶୀର୍ଷକ ପ୍ରବନ୍ଧ ପରେ ଆରମ୍ଭ ହୋଇଥିଲା ବିତର୍କର ଝଡ଼।
-ଏହା ପରେ ୨୦୧୭ ମେ ୨୮ରେ ବୈଜୟନ୍ତଙ୍କୁ ବିଜେଡ଼ି ମୁଖପାତ୍ର ପଦରୁ ହଟାଇ ଦିଆଯାଇଥିଲା।
-ମେ ୩୦ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ର ମାହାଙ୍ଗାର ଜଟିପାରିଲୋ ଗ୍ରାମରେ ସାଂସଦ ଉନ୍ନୟନ ପାଣ୍ଠିରେ ନିର୍ମିତ ଏକ ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ ଉତ୍ସବରେ ତାଙ୍କ ଉପରକୁ ଅଣ୍ଡା ଓ ପଥର ମାଡ଼ ହୋଇଥିଲା।
-୨୦୧୮ ଜାନୁଆରୀ ୧୧ରେ ମାହାଙ୍ଗାର ବୁହାଳୋ ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପ ଉଦଘାଟନୀ ଉତ୍ସବକୁ ବାତିଲ କରିବା ପାଇଁ ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ବିଜେଡ଼ି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ସହ ଜିଲାପାଳଙ୍କୁ ଚିଠି ଲେଖାଯାଇଥିଲା।
-୨୦୧୮ ଜାନୁଆରୀ ୧୪ ଓ ୧୮ରେ କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରରୁ ବିଜେଡ଼ି ଜିଲା କମିଟି ପକ୍ଷରୁ ନବୀନ ପଟ୍ଟନାୟକଙ୍କୁ ବୈଜୟନ୍ତ ଦଳ ବିରୋଧୀ କାର୍ଯ୍ୟରେ ଜଡ଼ିତ ଥିବା ନେଇ ଅଭିଯୋଗ ଆସିବା ସହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଥିଲା।
-ଜାନୁଆରୀ ୧୫ରେ ବୈଜୟନ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ତଦନ୍ତ ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ଦାୟିତ୍ୱ ଦେଇଥିଲେ।
-ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଆଧାରରେ ଜାନୁଆରୀ ୨୪ରେ ବିଜୁ ଜନତା ଦଳରୁ ବୈଜୟନ୍ତଙ୍କୁ ନିଲମ୍ବିତ କରାଯାଇଥିଲା।
-ଜାନୁଆରୀ ୨୮ରେ ବିଜେଡ଼ିରୁ ବୈଜୟନ୍ତଙ୍କ ଇସ୍ତଫା ଦାବି ହୋଇଥିଲା।
-୨୦୧୮ ମାର୍ଚ୍ଚ ୩ରେ ଲୋକସଭାରେ ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ବିଜେଡ଼ି ସାଂସଦଙ୍କ ପାଇଁ ଥିବା ଆସନଠାରୁ ପୃଥକ କରି ଆସନ ଆବଣ୍ଟନ କରିବାକୁ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ। ଏଥିସହିତ ଗୃହ ବ୍ୟାପାର ସ୍ଥାୟୀ କମିଟି ସଦସ୍ୟ ପଦରୁ ହଟାଇବା ପାଇଁ ଚିଠି ଲେଖାଯାଇଥିଲା।
-୨୦୧୮ ମାର୍ଚ୍ଚ ୨୬ରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସରକାରୀ ବାସଭବନ ଉପରେ ଆକ୍ରମଣ ପାଇଁର୍ ବିଜେପି କର୍ମୀଙ୍କୁ ଉସ୍କାଇବା ଅଭିଯୋଗରେ ବିଜୁ ଜନତା ଦଳର ମୁଖପାତ୍ର ପ୍ରତାପ ଦେବ ସାଂସଦ ବୈଜୟନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପୃକ୍ତି ଥିବା ଅଭିଯୋଗରେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଥିଲେ।
-୨୦୧୮ ମାର୍ଚ୍ଚ ୧୫ରେ ମିଥ୍ୟା ସତ୍ୟପାଠ ଦାଖଲ ଅଭିଯୋଗରେ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ କେନ୍ଦ୍ରାପଡ଼ା ଏସଡ଼ିଜେଏମଙ୍କ କୋର୍ଟରେ ଅଭିଯୋଗ ଦାଖଲ ହୋଇଥିଲା। ଏହା ଉପରେ ଏବେ ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଜାରି କରିଛନ୍ତି।
-ବିଜୁ ଜନ୍ମଶତବାର୍ଷିକ ସମାରୋହର କୌଣସି କମିଟିରେ ତାଙ୍କୁ ରଖାଯାଇ ନଥିଲା।
-ଟଲ୍ ମ୍ୟାନ୍ ପୁସ୍ତକ ଉନ୍ମୋଚନରୁ ବାଦ୍
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଆଧାରିତ ଟଲ୍ ମ୍ୟାନ୍ ପୁସ୍ତକ ଜାନୁଆରୀ ୨୭ ତାରିଖରେ ହୋଇଥିବାବେଳେ ଉନ୍ମୋଚନ କାର୍ଯ୍ୟକ୍ରମକୁ ଶ୍ରୀ ପଣ୍ଡାଙ୍କୁ ନିମନ୍ତ୍ରଣ ହୋଇ ନଥିବା ସେ ଅଭିଯୋଗ କରିଥିଲେ। ବିଜୁ ପ୍ରେମୀ ହିସାବରେ ତାଙ୍କର ଆନୁଗତ୍ୟ ପ୍ରତି ଏହା କଠୋର ଆଘାତ ଦେଇଥିଲା।
-ଇମ୍ଫା ଓ ଓର୍ଟେଲ ବନ୍ଦ ପାଇଁ ଆନ୍ଦୋଳନ
ଇମ୍ଫାକୁ ଅଚଳ କରିବାପାଇଁ ଆନ୍ଦୋଳନ ହୋଇଥିଲା। ଶ୍ରମିକମାନେ ୧୫ଦିନ ଧରି ପ୍ରତିବାଦରେ ଧାରଣା ଦେଇଥିଲେ। ଇମ୍ଫା କିଛି ଦିନ ଅଚଳ ହୋଇପଡ଼ିଥିଲା। ସେହିପରି ଓରଟେଲ୍କୁ ବନ୍ଦ କରିବାପାଇଁ ଆନ୍ଦୋଳନ ହୋଇଥିଲା।
-ପିତାଙ୍କ ମୃତ୍ୟୁ
ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡା ତଥା ସାଂସଦ ଶ୍ରୀ ପଣ୍ଡାଙ୍କ ପିତୃ ବିୟୋଗରେ ବିଜେଡ଼ି ପକ୍ଷରୁ କୌଣସି ନେତା ସମବେଦନା ନଜଣାଇବା ଏବଂ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ଶେଷ ଦର୍ଶନ ପାଇଁ ନଯିବା ତାଙ୍କୁ ଖୁବ୍ ବାଧିଥିଲା।
ପ୍ରତିକ୍ରିୟା
ଦଳ ଭଲ ଲୋକଙ୍କୁ ଆଦର କରିବ:ଧର୍ମେନ୍ଦ୍ର
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପିତୃ ବିୟୋଗ ବେଳେ ମୁଖ୍ୟମନ୍ତ୍ରୀ ସମବେଦନା ନଜଣାଇବା ତାଙ୍କୁ କଷ୍ଟ ଦେଇଥିଲା। ମାନବିକ ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତାଙ୍କ ଅନୁପସ୍ଥିତି ଶ୍ରୀ ପଣ୍ଡାଙ୍କୁ ଦଳ ଛାଡିବା ଭଳି କଠୋର ନିଷ୍ପତ୍ତି ନେବାକୁ ବାଧ୍ୟ କଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ତେବେ ଶ୍ରୀ ପଣ୍ଡା ବିଜେପିରେ ଯୋଗଦେବାର କିଛି ସମ୍ଭାବନା ଅଛି କି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଯଦି ଜଣେ ଭଲ ଲୋକ ବିଜେପିରେ ଯୋଗଦେବାକୁ ଚାହିଁବେ ତେବେ ଦଳ ସ୍ୱାଗତ କରିବ।
ନିନ୍ଦନୀୟ ଘଟଣା:ଜୁଏଲ
ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପିତା ବଂଶୀଧର ପଣ୍ଡା ହେଉଛନ୍ତି ବିଜେଡ଼ିର ପ୍ରତିଷ୍ଠାତା ସଭ୍ୟ। ଏହାବାଦ୍ ବିଜୁ ପଟ୍ଟନାୟକଙ୍କ ସେ ଥିଲେ ଅନ୍ତରଙ୍ଗ। ଦଳୀୟ ରାଜନୀତି ପାଇଁ ତାଙ୍କ ମୃତ୍ୟୁ ସମୟରେ ମୁଖ୍ୟମନ୍ତ୍ରୀ ନଯିବା କିମ୍ବା ତାଙ୍କ ଦଳର କାହାକୁ ନଛାଡିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି।
ଏହି ଅବସରରେ ଶ୍ରୀ ପଣ୍ଡା ବିଜେପିରେ ଯୋଗଦେବା ନେଇ କିଛି ଯୋଜନା ରହିଛି ବୋଲି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ବୈଜୟନ୍ତ ବାବୁଙ୍କ ପାଇଁ ବିଜେପି ଦ୍ୱାର ଉନ୍ମୁକ୍ତ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ତାଙ୍କୁ ମନା କରିବେନି। ଯେବେ ଚାହିଁବେ ଆସିପାରିବେ, ଏଥିରେ କୌଣସି ଅସୁବିଧା ନାହିଁ।
ସୌଜନ୍ୟତାର ଅଭାବ:ନିରଞ୍ଜନ
ବୈଜୟନ୍ତ ବିଜେଡ଼ି ଛାଡ଼ିବା ଦ୍ୱାରା ଦଳ ଦୁର୍ବଳ ହେବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। କେବଳ ବୈଜୟନ୍ତ ନୁହନ୍ତି ଆଗକୁ ବହୁ ନେତା ବିଜେଡ଼ି ଛାଡ଼ିବେ। ବଂଶୀଧର ପଣ୍ଡାଙ୍କ ମୃତ୍ୟୁ ସମୟରେ ତାଙ୍କ ଦୁଆରେ ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଛିଡା ହେବା କଥା। ମାତ୍ର ଏହା ନହେବା ଅତ୍ୟନ୍ତ ଅଶୋଭନୀୟ ଘଟଣା।
ଇସ୍ତଫାପତ୍ର ମିଳିଛି, ଉଚିତ ସମୟରେ ଦଳ ମତ ରଖିବ:ବିଜେଡି
ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ସମ୍ପର୍କରେ ପ୍ରତିକ୍ରିୟା ରଖି ବିଜୁ ଜନତା ଦଳ ଉପସଭାପତି ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ ଶ୍ରୀ ପଣ୍ଡାଙ୍କ ଇସ୍ତଫାପତ୍ର ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ ପହଞ୍ଚିଛି। ନିକଟରେ ତାଙ୍କ ପିତା ବିଶିଷ୍ଟ ଶିଳ୍ପପତି ଡ.ବଂଶୀଧର ପଣ୍ଡାଙ୍କ ବିୟୋଗ ଘଟିଥିବାରୁ ସ୍ୱର୍ଗତ ପଣ୍ଡାଙ୍କ ପରିବାର ଏ ସମୟରେ ଶୋକାକୁଳ ପରିସ୍ଥିତିରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ଡ.ପଣ୍ଡାଙ୍କ ବିୟୋଗରେ ମର୍ମାହତ ହୋଇ ଗଭୀର ଶୋକପ୍ରକାଶ କରିଥିଲେ। ଆମ ପରମ୍ପରା ଅନୁସାରେ ୧୧ଦିନ ପର୍ଯ୍ୟନ୍ତ ଶୁଦ୍ଧିକ୍ରିୟା ପାଳନ କରାଯାଏ। ତେଣୁ ଏଭଳି ଏକ ଦୁଃସମୟରେ ତାଙ୍କ ଇସ୍ତଫା ଉପରେ ବିଜୁ ଜନତା ଦଳ କୌଣସି ମତାମତ ଦେବା ଉଚିତ ମଣୁନାହିଁ। ଉଚିତ ସମୟରେ ଦଳ ଏ ସମ୍ପର୍କରେ ନିଜର ମତାମତ ରଖିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।